Image Courtesy of NDTV
ଚେନ୍ନାଇ: ଆଜି ପାରମ୍ପରିକ ଅଭିଭାଷଣ ଦେବା ବେଳେ କେବଳ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଭାଷଣକୁ ରେକର୍ଡ କରି ରାଜ୍ୟପାଳ ନିଜଆଡୁ ସଂଯୋଗ କରିଥିବା ଅଂଶକୁ ବାଦ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ବାଚସ୍ପତିଙ୍କୁ କହିବାରୁ ତାମିଲନାଡୁ ରାଜ୍ୟପାଳ ଆର୍. ଏନ୍. ରବି ବିଧାନସଭା ଛାଡ଼ି ଚାଲିଯାଇଛନ୍ତି।
ରାଜ୍ୟ ସରକାରଙ୍କଦ୍ବାରା ପ୍ରସ୍ତୁତ କରାଯାଇଥିବା ରାଜ୍ୟପାଳଙ୍କ ମୂଳ ଭାଷଣକୁ ରେକର୍ଡ କରିବା ଲାଗି ତାମିଲନାଡୁ ବିଧାନସଭାରେ ଆଜି ଏକ ପ୍ରସ୍ତାବନା ମଧ୍ୟ ଗୃହୀତ କରାଯାଇଛି।
ରାଜ୍ୟ ସରକାରଙ୍କଦ୍ବାରା ପ୍ରସ୍ତୁତ ଅଭିଭାଷଣରୁ ରାଜ୍ୟପାଳ ରବି କିଛି ଅଂଶ ଛାଡ଼ିଯାଇଥିଲେ। ସେ ଛାଡ଼ିଯାଇଥିବା ଅଂଶରେ ଧର୍ମନିରପେକ୍ଷତା ଏବଂ ପେରିୟାର୍, ବି.ଆର୍. ଆମ୍ବେଦକର୍, କେ. କାମରାଜ, ସି. ଏନ୍. ଆନ୍ନାଦୁରାଇ ଏବଂ କରୁଣାନିଧିଙ୍କ ଭଳି ନେତାଙ୍କ ପ୍ରସଙ୍ଗ ରହିଥିଲା।
 Image Courtesy of Deccan Heraldଏଥିପାଇଁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଉପରୋକ୍ତ ପ୍ରସ୍ତାବନା ଆଗତ କରିଥିଲେ। ଆଗତ ପ୍ରସ୍ତାବନାରେ ଷ୍ଟାଲିନ୍ କହିଥିଲେ, ରାଜ୍ୟପାଳଙ୍କ କାର୍ଯ୍ୟ ସମ୍ବିଧାନ ବିରୋଧୀ।
ଶାସକ ‘ଡିଏମ୍କେ’ର ମେଣ୍ଟ ଦଳ: କଂଗ୍ରେସ, ବିଦୁତାଲାଇ ଚିରୁତାଇଗଲ୍ କାଟ୍ଚି, ‘ସିପିଆଇ’, ଏବଂ ‘ସିପିଆଇ(ଏମ୍) ଆଦି ପୂର୍ବରୁ ରାଜ୍ୟପାଳଙ୍କ ଅଭିଭାଷଣ ବର୍ଜନ କରି ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଅନ୍ଲାଇନ୍ ଜୁଆଖେଳ, ରାଜ୍ୟ ବିଶ୍ବବିଦ୍ୟାଳୟମାନଙ୍କରେ କୁଳପତି ନିଯୁକ୍ତିରେ ରାଜ୍ୟପାଳଙ୍କ କ୍ଷମତା ସଙ୍କୋଚନ ସମେତ ପ୍ରାୟ ୨୧ ବିଲ୍ ଅନୁମୋଦନ କରିବାରେ ରାଜ୍ୟପାଳ ବିଳମ୍ବ କରୁଥିବା ଦର୍ଶାଇ ସେମାନେ ପ୍ରତିବାଦ ପ୍ରଦର୍ଶନ କରିଥିଲେ।
ରାଜ୍ୟପାଳ ରବିଙ୍କ ବିରୋଧରେ ବିଧାୟକମାନେ ‘ତାମିଲନାଡୁ ଛାଡ଼’ ସ୍ଲୋଗାନ୍ ଦେଇଥିଲେ। ‘ବିଜେପି’, ‘ଆର୍ଏସ୍ଏସ୍’ ଧାରା ଲାଗୁ କରନ୍ତୁ ନାହିଁ’ ବୋଲି ଶାସକ ‘ଡିଏମ୍କେ’ର ବିଧାୟକମାନେ ମଧ୍ୟ ସ୍ଲୋଗାନ୍ ଦେଇଥିଲେ।
  
 Follow Us