ନୂଆଦିଲ୍ଲୀ: ଯାହାକୁ ରଖିବେ ଅନନ୍ତ କି କରି ପାରିବ ବଳବନ୍ତ ବୋଲି କଥାରେ ଅଛି। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଦ୍ରୁତଗତିରେ ମାଡ଼ି ଆସୁଥିବା ଏକ ବସ ଧକ୍କାରୁ ଦୁଇଜଣ ମହିଳା ଅଳ୍ପକେ ବର୍ତ୍ତି ଯାଇଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ତାମିଲନାଡୁର ଦିଣ୍ଡିଗୁଲର ବୋଲି କୁହାଯାଉଛି।
ଭିଡିଓରେ ତାମିଲନାଡୁ ରାଜ୍ୟ ପରିବହନ ନିଗମର ଏକ ସରକାରୀ ବସ ଅନିୟନ୍ତ୍ରିତ ହୋଇ ଏକ ଦୋକାନ ଆଡକୁ ମାଡ଼ି ଯାଉଛି। ଏହି ସମୟରେ ଦୋକାନ ସାମ୍ନାରେ ଥିବା ମହିଳା ଜଣକ ଆଖିପିଛୁଳାକେ ବସ ସାମ୍ନାରୁ ହଟି ଯାଉଥିବା ବେଳେ ଦୋକାନ ଭିତରେ ଥିବା ମହିଳା ଜଣକ ବସ ଧକ୍କାରୁ ଅଳ୍ପକେ ବର୍ତ୍ତି ଯାଉଛନ୍ତି। ବସ ଦୋକାନ ସାମ୍ନାରେ ମାଡ଼ ହେବାପରେ ଭିତରେ ଥିବା ମହିଳା ଜଣକ ଟେବୁଲରେ ପିଟି ହୋଇ ତଳେ ପଡ଼ିଯାଉଛନ୍ତି। ଏହାପରେ ଭୟଭୀତ ହୋଇ ସେ ଦୋକାନରୁ ବାହାରକୁ ଚାଲି ଯାଇଥିବା ଦେଖିବାକୁ ମିଳୁଛି।
ଏହି ଦୁର୍ଘଟଣାରେ ଦୁଇ ମହିଳା ସାମାନ୍ୟ ଆହତ ହୋଇଥିଲେ। ଚିକିତ୍ସା ପରେ ଦୁହେଁ ସୁସ୍ଥ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି। ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ ଯେପରି ଭାବେ ଟ୍ରକ ଦୋକାନ ସାମ୍ନାକୁ ମାଡ଼ି ଆସୁଛି ଦୁଇମହିଳାଙ୍କ ସହିତ କିଛିବି ଅଘଟଣ ଘଟି ଯାଇଥାଆନ୍ତା କିନ୍ତୁ ସୌଭାଗ୍ୟବଶତଃ ଏଥିରେ ଦୁହିଁଙ୍କ ଜୀବନ ରକ୍ଷା ପାଇ ଯାଇଛି।’
Follow Us