The Indian Express
ଚଣ୍ଡିଗଡ଼: ପଂଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଆଜି ଶପଥ ନେବାପରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ସେ ନିଜ ସଂଘର୍ଷମୟ ଜୀବନ କଥା କହି ଭାବପ୍ରବଣ ହୋଇଯାଇଥିଲେ। ଚନ୍ନି କହିଛନ୍ତି, ସେ ମାଟି ଘରେ ବଢ଼ିଛନ୍ତି। ରିକ୍ସା ଟାଣିଛନ୍ତି। ବାପା ଟେଣ୍ଟ୍ ହାଉସ୍ ବ୍ୟବସାୟ କରୁଥିଲେ ଏବଂ ବାପାଙ୍କୁ ସହଯୋଗ କରିବା ପାଇଁ ଚନ୍ନି ରିକ୍ସା ଟାଣି ଚେୟାର ଯୋଗାଣ କରୁଥିଲେ। ଆଜି ସାମ୍ବାଦିକ ସମ୍ମିଳନୀରେ ନିଜ ସଂଘର୍ଷମୟ ଜୀବନ ସଂକ୍ରାନ୍ତରେ କହିବା ସମୟରେ ଚନ୍ନି ଏତେ ଭାବପ୍ରବଣ ହୋଇ ଯାଇଥିଲେ ଯେ ତାଙ୍କ କଣ୍ଠରୋଧ ହୋଇଯାଇଥିଲା। ଚନ୍ନି କହିଛନ୍ତି, ମୁଁ ଗରିବ ଲୋକର ପ୍ରତିନିଧି। ସେ ଗରିବ କୃଷକ ହେଉ କି ଗରିବ ଶ୍ରମିକ- ମୁଁ ପଂଜାବର ସବୁ ସାଧାରଣ ଲୋକଙ୍କ ସ୍ବର ପାଲଟିବି ଏବଂ ଲୋକଙ୍କ ପାଖରେ ସବୁବେଳେ ଉପଲବ୍ଧ ହେବି। ଦଳୀୟ ନେତୃତ୍ବକୁ ଧନ୍ୟବାଦ ଦେଇ ଚନ୍ନି କହିଛନ୍ତି, କଂଗ୍ରେସ ଜଣେ ସାଧାରଣ ଲୋକଙ୍କୁ ବଡ଼ ସମ୍ମାନ ଦେଇଛି। ରାହୁଲଙ୍କୁ ସେ ଜଣେ ବିପ୍ଳବୀ ନେତା କହିଛନ୍ତି।
‘ମୁଁ ଆମ୍ ଆଦ୍ମୀ’। ମୁଖ୍ୟମନ୍ତ୍ରୀ ହେବା ପରେ ଚନ୍ନି ଆରମ୍ଭରୁ ଆପ୍କୁ ଟାର୍ଗେଟ୍ କରିଛନ୍ତି। ଆପ୍କୁ ଟାର୍ଗେଟ୍ କରି ସେ କହିଛନ୍ତି, ମୁଁ ଆମ୍ ଆଦମୀ। ଏହା ଆମ୍ ଆଦ୍ମୀ ସରକାର। କିନ୍ତୁ ଅନ୍ୟ ଦଳମାନେ କେବଳ ଆମ୍ ଆଦ୍ମୀ ସମ୍ପର୍କରେ କହୁଛନ୍ତି। ଚନ୍ନି କହିଛନ୍ତି, ତାଙ୍କ ସରକାର ଗରିବଙ୍କର, ଗରିବଙ୍କ ପାଇଁ ଏବଂ ଗରିବଙ୍କ ସହ। ଦଳ ସର୍ବୋଚ୍ଚ। ମୁଖ୍ୟମନ୍ତ୍ରୀ ନୁହନ୍ତି କି କ୍ୟାବିନେଟ୍ ନୁହନ୍ତି। ସରକାର ଦଳର ବିଚାରଧାରା ଅନୁଯାୟୀ କାମ କରିବେ ବୋଲି ଚନ୍ନି କହିଛନ୍ତି। ରାଜ୍ୟର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଚନ୍ନି ଆଜି କୃଷକଙ୍କ ନିକଟରେ ପହଞ୍ଚିଛନ୍ତି। ପଂଜାବରେ କୃଷକଙ୍କ ପାଣି ଏବଂ ବିଜୁଳି ବିଲ ସରକାର ଛାଡ଼ କରିବେ ବୋଲି ଚନ୍ନି ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ଚନ୍ନି କୃଷି ଆଇନ ପ୍ରତ୍ୟାହାର କରିବାପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଚନ୍ନି କହିଛନ୍ତି, ତାଙ୍କ ଦଳ ‘କଳା’ କୃଷି ଆଇନ ବିରୋଧରେ କୃଷକଙ୍କ ସହ ରହିଛନ୍ତି ଏବଂ କୃଷକଙ୍କ ପାଇଁ କାମ କରିବ।
Follow Us