ୱାସିଂଟନ୍: ଦୁର୍ଘଟଣାଗ୍ରସ୍ତ ହୋଇ ଟିନେସିର ଗୋଟାଏ ହ୍ରଦକୁ ଖସିପଡ଼ିଥିବା କ୍ଷୁଦ୍ର ବିମାନରେ ଥିବା ‘ଟାର୍ଜନ୍’ ଅଭିନେତା ଜୋ ଲାରା ଓ ତାଙ୍କ ବିବାଦୀୟ ‘ଡାଏଟ୍ ଗୁରୁ’ ପତ୍ନୀ ତଥା ଗୀର୍ଜା ନେତ୍ରୀ ଗ୍ବେନ୍ ଲାରାଙ୍କ ସମେତ ୭ଜଣଙ୍କୁ ମୃତ ବୋଲି ଧରିନିଆଯାଇଥିବା କଥା ରବିବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।
Image Courtesy of News Bhtଟିନେସି ଅନ୍ତର୍ଗତ ସ୍ମାଇର୍ଣ୍ଣାରୁ ଉଡ଼ାଣ ଆରମ୍ଭ କରି ଫ୍ଲୋରିଡାର ପାମ୍ ବେଳଭୂମି ଅଭିମୁଖେ ଯାତ୍ରା କରୁଥିବା କ୍ଷୁଦ୍ର ବିମାନ ‘ସେସ୍ନା ସି୫୦୧’ ‘ପିର୍ସି ପ୍ରିଷ୍ଟ୍ ହ୍ରଦ’ ଉପର ଦେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରବିବାର ଦିନ ବିବୃତି ଦେଇ ‘ରଥର୍ଫୋର୍ଡ କାଉଣ୍ଟି ଫାୟାର୍ ରେସ୍କ୍ୟୁ’ କ୍ୟାପ୍ଟେନ୍ ଜୋସୁଆ ସାଣ୍ଡର୍ସ କହିଛନ୍ତି ଯେ, ବିମାନର ଭଗ୍ନାଂଶ ପଡ଼ିଥିବା ହ୍ରଦର ଅଧମାଇଲ୍ ପରିବ୍ୟାପ୍ତ ଅଞ୍ଚଳରେ ଉଦ୍ଧାର ଅଭିଯାନ ନିବଦ୍ଧ କରାଯାଇଥିଲା। କିନ୍ତୁ, ଏବେ ଆଉ କୌଣସି ବିମାନଯାତ୍ରୀ ଜୀବନ୍ତ ଥିବା ମନେ ହେଉ ନ ଥିବାରୁ ଉଦ୍ଧାର ଅଭିଯାନ ତଲାସ ଅଭିଯାନ ପାଲଟି ଗଲାଣି। ଆଜି ସକାଳୁ ମଧ୍ୟ ତଲାସ ଅଭିଯାନ ଆରମ୍ଭ ହୋଇଛି।
Image Courtesy of Eyewitness Newsସୂଚନାଯୋଗ୍ୟ, ୧୯୮୯ରେ ଲାରା ଟେଲିଭିଜନ୍ ଚଳଚ୍ଚିତ୍ର ‘ଟାର୍ଜନ୍ ଇନ୍ ମାନ୍ହଟନ୍’ରେ ‘ଟାର୍ଜନ୍’ ଭୂମିକାରେ ଅଭିନୟ କରିଥିଲେ। ପରେ ସେ ୧୯୯୬ରୁ ୧୯୯୭ ପର୍ଯ୍ୟନ୍ତ ପ୍ରସାରିତ ଟେଲିଭିଜନ୍ ସିରିଜ୍ ‘ଟାର୍ଜନ୍: ଦି ଏପିକ୍ ଆଡ୍ଭେଞ୍ଚର୍ସ’ରେ ମଧ୍ୟ ଅଭିନୟ କରିଥିଲେ।
୨୦୧୮ରେ ସେ ଗ୍ବେନ୍ ଶାମ୍ବଲିନ୍ ଲାରାଙ୍କୁ ବିବାହ କରିଥିଲେ। ‘ଖ୍ରୀଷ୍ଟିଆନ୍ ୱେଟ୍-ଲସ୍ ଗ୍ରୁପ୍ର ନେତ୍ରୀ’ ଗ୍ବେନ୍ ‘ୱେ ଡାଉନ୍ ମିନିଷ୍ଟ୍ରିଜ୍’ ଭାବେ ସୁପରିଚିତା ଥିଲେ। ପୂର୍ବ ବିବାହରୁ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।
Follow Us