Image Courtesy of NDTV
ନୂଆଦିଲ୍ଲୀ: ଯେଉଁ ୧୬ଜଣ ବିଦ୍ରୋହୀ ବିଧାୟକମାନଙ୍କ ବିପକ୍ଷରେ ଅଯୋଗ୍ୟତା ବିଚାର ଆରମ୍ଭ ହୋଇଛି ସେମାନଙ୍କୁ ନିଲମ୍ବନ କରିବା ପାଇଁ ‘ଉଦ୍ଧବ ସେନା’ ବା ‘ଟିମ୍ ଠାକ୍ରେ’ ଆଜି ସୁପ୍ରିମ୍ କୋର୍ଟରେ ସାନି ଆବେଦନ କରିଛନ୍ତି।
ଆବେଦନରେ ଉଲ୍ଲେଖ ଅଛି, ଅଯୋଗ୍ୟତା ଆବେଦନର ଚୂଡ଼ାନ୍ତ ଶୁଣାଣି ପୂର୍ବରୁ ମଧ୍ୟବର୍ତ୍ତୀକାଳୀନ ପଦକ୍ଷେପ ଭାବେ ମହାରାଷ୍ଟ୍ର ବିଧାନସଭାର ସଦସ୍ୟତାରୁ ଆବେଦନକାରୀଙ୍କ ସମେତ ବାକି ଅବାଧ୍ୟ ବିଧାୟକମାନଙ୍କୁ ନିଲମ୍ବନ କରାଯାଉ।
ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରିଥିବା ‘ଶିବସେନା’ ବିଧାୟକମାନଙ୍କୁ ‘ବିଜେପି ହାତର ଖେଳନା’ କହି ବିଧାନସଭା କାର୍ଯ୍ୟକ୍ରମରେ ସେମାନଙ୍କୁ ଅଂଶ ଗ୍ରହଣ କରାଇ ନ ଦେବାକୁ ‘ଟିମ୍ ଠାକ୍’ରେ ଉକ୍ତ ଆବେଦନରେ ସୁପ୍ରିମ୍ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।
ଏହି ଆବେଦନର ଜରୁରୀ ଶୁଣାଣି ନିମନ୍ତେ ‘ଟିମ୍ ଠାକ୍ରେ’ କରିଥିବା ଅନୁରୋଧକୁ ସୁପ୍ରିମ୍ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଜୁଲାଇ ୧୧ ତାରିଖ ଦିନ ଏହି ଆବେଦନର ବିଚାର ହେବ ବୋଲି ସୁପ୍ରିମ୍ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ଜୁଲାଇ ୩ ଓ ୪ ତାରିଖ ଦିନ ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରାଯାଇଛି। ଜୁଲାଇ ୨ ତାରିଖ ଦିନ ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ହେବ ଏବଂ ଜୁଲାଇ ୩ ତାରିଖରେ ସେଥିପାଇଁ ଭୋଟ୍ ଗ୍ରହଣ କରାଯିବ। ଜୁଲାଇ ୪ରେ ସଂଖ୍ୟାଗରିଷ୍ଠତା ପ୍ରମାଣ ନିମନ୍ତେ ଭୋଟ୍ ହେବ।
Follow Us