Image Courtesy of 8PM News
ନୂଆଦିଲ୍ଲୀ: ଶନିବାର ଦିନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ‘ପାକିସ୍ତାନ ତେହ୍ରୀକ୍-ଏ-ଇନ୍ସାଫ୍’ର (ପିଟିଆଇ) ମୁଖ୍ୟ ଇମ୍ରାନ୍ ଖାଁଙ୍କ ବିମାନ ବୈଷୟିକ ତ୍ରୁଟି କାରଣରୁ ଜରୁରୀକାଳୀନ ଅବତରଣ କରିଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
କିନ୍ତୁ, ଶନିବାର ଦିନ ‘ପିଟିଆଇ’ ନେତା ଆଝାର ମଶୱାନି ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଉଡ଼ାଣ ପରେ ପରେ ଖରାପ ପାଗଜନିତ ପରିସ୍ଥିତି ଯୋଗୁଁ ଇମ୍ରାନ୍ ଖାଁ ଇସ୍ଲାମାବାଦକୁ ଫେରିଆସିଛନ୍ତି। ତାଙ୍କ କଥାରୁ ଉଦ୍ଧୃତି କରି ପାକିସ୍ତନୀ ସମ୍ବାଦପତ୍ର ‘ଏକ୍ସପ୍ରେସ୍ ଟ୍ରିବ୍ୟୁନ୍’ ଉପରୋକ୍ତ ରିପୋର୍ଟ କରିଛି।
Image Courtesy of India Todayସାଧାରଣ ସଭାରେ ଉଦ୍ବୋଧନ ଦେବା ନିମନ୍ତେ ପଞ୍ଜାବ ପ୍ରଦେଶର ଗୁଜର୍ଣ୍ଣୱାଲା ଅଭିମୁଖେ ଯାତ୍ରା କରୁଥିବା ବିମାନରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା ଏବଂ ଇମ୍ରାନ୍ ଖାଁ ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ବୋଲି କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଉପରୋକ୍ତ ସ୍ପଷ୍ଟୀକରଣ ଦିଆଯାଇଥିଲା।
ନିଜର ‘ଅଫିସିଆଲ୍’ ଟୁଇଟର୍ ହ୍ୟାଣ୍ଡେଲ୍ରେ ‘ପିଟିଆଇ’ ନେତା ଆଝାର ଆହୁରି ମଧ୍ୟ ଲେଖିଛନ୍ତି, ବିମାନରେ ବୈଷୟିକ ତ୍ରୁଟି ଉପୁଜିଥିବା ଖବର ଠିକ୍ ନୁହେଁ। ପରେ ସଡ଼କ ପଥରେ ଇମ୍ରାନ୍ ଖାଁ ଗୁଜର୍ଣ୍ଣୱାଲା ଯାଇଥିବା କଥା ସେ କହିଛନ୍ତି।
‘ଏକ୍ସ୍ପ୍ରେସ୍ ଟ୍ରିବ୍ୟୁନ୍’ ରିପୋର୍ଟ ଅନୁସାରେ, ଚଳିତବର୍ଷ ପ୍ରାରମ୍ଭରେ ଇସ୍ଲାମାବାଦରେ ଇମ୍ରାନ୍ ଖାଁଙ୍କ ନିରାପତ୍ତା ଯାନଗୁଡ଼ିକରୁ ଗୋଟିକରେ ନିଆଁ ଲାଗିଯାଇଥିଲା। କିନ୍ତୁ, ଉକ୍ତ ଅଘଟଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଁ ଆହତ ହୋଇ ନ ଥିଲେ।
Follow Us