ଗୁଜରାଟ ଦଙ୍ଗା ପରେ ‘ବିଜେପି’ ସରକାର ହଟାଇବା ଷଡ଼ଯନ୍ତ୍ରରେ ସାମିଲ୍‌ ଥିଲେ ତୀସ୍ତା ସୀତଲୱାଡ଼; ତାଙ୍କୁ ସାହାଯ୍ୟ କରିଥିଲେ ଅହମଦ୍‌ ପଟେଲ୍‌: ଏସ୍‌ଆଇଟି

Advertisment
ଗୁଜରାଟ ଦଙ୍ଗା ପରେ ‘ବିଜେପି’ ସରକାର ହଟାଇବା ଷଡ଼ଯନ୍ତ୍ରରେ ସାମିଲ୍‌ ଥିଲେ ତୀସ୍ତା ସୀତଲୱାଡ଼; ତାଙ୍କୁ ସାହାଯ୍ୟ କରିଥିଲେ ଅହମଦ୍‌ ପଟେଲ୍‌: ଏସ୍‌ଆଇଟି

Image Courtesy of India Today

ଅହମଦାବାଦ୍‌: ୨୦୦୨ ଦଙ୍ଗା ପରେ ରାଜ୍ୟରୁ ‘ବିଜେପି’ ସରକାରକୁ ହଟାଇବା ପାଇଁ କଂଗ୍ରେସ ନେତା ସ୍ବର୍ଗତ ଅହମଦ୍‌ ପଟେଲଙ୍କ ଆଦେଶରେ କରାଯାଇଥିବା ବୃହତ୍ତର ଷଡ଼ଯନ୍ତ୍ରରେ ସାମାଜିକକର୍ମୀ ତୀସ୍ତା ସୀତଲୱାଡ଼ ସମ୍ପୃକ୍ତି ଥିଲେ ବୋଲି କହି ଶୁକ୍ରବାର ଦିନ ଗୁଜରାଟ ପୁଲିସ ତାଙ୍କ ‌ଜାମିନ ଆବେଦନକୁ ବିରୋଧ କରିଛି।

ପୁଲିସର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଅହମଦାବାଦ୍‌ର ସେସନ୍‌ କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛି, ଉକ୍ତ ବୃହତ୍ତର ଷଡ଼ଯନ୍ତ୍ରରେ ଭୂମିକା ଗ୍ରହଣ କରିବାରେ ଆବେଦନକାରିଣୀଙ୍କ (ସୀତଲୱାଡ଼) ରାଜନୈତିକ ଉଦ୍ଦେଶ୍ୟ ଥିଲା ନିର୍ବାଚିତ ସରକାରଙ୍କୁ ବିଦା କରିବା ଅଥବା ସରକାରରେ ଅସ୍ଥିରତା ସୃଷ୍ଟି କରିବା। ଏହି ଷଡ଼ଯନ୍ତ୍ରରେ ଗୁଜରାଟର ନିରୀହ ଜନତାଙ୍କୁ ଅନୈତିକ ଭାବେ ସମ୍ପୃକ୍ତ କରାଇବାକୁ କରିଥିବା ଉଦ୍ୟମ ପ୍ବତିବଦଳରେ ସେ ପ୍ରତିଦ୍ବନ୍ଦ୍ବୀ ରାଜନୈତିକ ଦଳରୁ ବେଆଇନ ଆର୍ଥିକ ଏବଂ ଅନ୍ୟାନ୍ୟ ସୁବିଧା ତଥା ଉପହାର ପାଇଥିଲେ।

ଜଣେ ସାକ୍ଷୀଙ୍କ ବୟାନକୁ ଉଦାହରଣ ଭାବେ ଉପସ୍ଥାପନ କରି ‘ଏସ୍‌ଆଇଟି’ କହିଛି, ସ୍ବର୍ଗତ ଅହମଦ୍‌ ପଟେଲ୍‌ଙ୍କ ତରଫରୁ ଉକ୍ତ ଷଡ଼ଯନ୍ତ୍ର କରାଯାଇଥିଲା।୨୦୦୨ରେ ଗୋଧ୍ରା ଦଙ୍ଗା ପରେ ପଟେଲ୍‌ଙ୍କ ଆଦେଶକ୍ରମେ ସୀତଲ୍‌ୱାଡ଼ ୩୦ ଲକ୍ଷ ଟଙ୍କା ଗ୍ରହଣ କରିଥିଲେ।

publive-image Image Courtesy of NDTV

୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ମିଥ୍ୟା ପ୍ରମାଣ ପ୍ରସ୍ତୁତି କରିବା ଅଭିଯୋଗରେ ପୂର୍ବତନ ପୁଲିସ ମହାନିର୍ଦେଶକ ଆର୍‌. ବି. ଶ୍ରୀକୁମାରଙ୍କ ସମେତ ସାମାଜିକକର୍ମୀ ତୀସ୍ତା ସୀତଲୱାଡ଼ଙ୍କୁ ଗିରଫ କରାଯାଇଥିଲା।

ଦାଖଲ କରିଥିବା ସତ୍ୟପାଠରେ ‘ଏସ୍‌ଆଇଟି’ ଆହୁରି ମଧ୍ୟ କହିଛି ଯେ, ଦଙ୍ଗା ମାମଲାରେ ବରିଷ୍ଠ ‘ବିଜେପି’ ନେତାମାନଙ୍କର ନାମ ଅନ୍ତର୍ଭୁକ୍ତ କରାଇବା ଲାଗି ସେ ସମୟ‌ରେ ଦିଲ୍ଲୀରେ କ୍ଷମତାସୀନ ଥିବା ଏକ ପ୍ରତିଷ୍ଠିତ ଜାତୀୟ ରାଜନୈତିକ ଦଳର ନେତାମାନଙ୍କୁ ସୀତଲୱାଡ଼ ବରାବର ଭେଟୁଥିଲେ।

ସୀତଲୱାଡ଼ଙ୍କ ବିରୋଧରେ ତଦନ୍ତ ଚାଲିଛି। ତାଙ୍କୁ ଯଦି ଛଡ଼ାଯାଏ ସେ ସାକ୍ଷୀମାନଙ୍କୁ ଭୟଭୀତ କରାଇବା ସହ ପ୍ରମାଣ ଜାଲିଆତି କରିବାକୁ ଉଦ୍ୟମ କରିପାରନ୍ତି କହି ମଧ୍ୟ ‘ଏସ୍‌ଆଇଟି’ ତାଙ୍କ ଜାମିନ ଆବେଦନକୁ ବିରୋଧ କରିଛି।

‘ଏସ୍‌ଆଇଟି’ ଜବାବକୁ ଅତିରିକ୍ତ ସେସନ୍‌ସ୍‌ ଜଜ୍‌ ଡି.ଡି. ଠାକୁର ରେକର୍ଡ କରି ସୀତଲୱାଡ଼ଙ୍କ ଜାମିନ ଆବେଦନର ଶୁଣାଣି ସୋମବାର ଦିନ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe