The Hans India
ପାଟନା: ବିହାରରେ ରାଜନୀତି ବଦଳିବା ପ୍ରସଙ୍ଗରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜି ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ବିହାରରେ ଆରମ୍ଭ ହୋଇଥିବା ନୂଆ ରାଜନୈତିକ ଡ୍ରାମାରେ ନୀତୀଶ ହେଉଛନ୍ତି ମୁଖ୍ୟ କଳାକାର। କିନ୍ତୁ ଆର୍ଜେଡି ନେତା ତେଜସ୍ବୀ ଯାଦବ ବାସ୍ତବରେ ରାଜ୍ୟରେ ମହାମେଣ୍ଟ ସରକାର ପରିଚାଳନା କରିବେ। ଗତ ୧୦ ବର୍ଷ ଧରି ବିହାରରେ ଏପ୍ରକାର ରାଜନୈତିକ ଅସ୍ଥିରତା ଚାଲିଛି ଏବଂ ଯେଉଁ ନୂଆ ପରିବର୍ତ୍ତନ ଆସିଛି ତାହା ମଧ୍ୟ ସେହି ସମାନ ଦିଗରେ ଯିବ। ତେବେ ନୀତୀଶ ଏନଡିଏ ମେଣ୍ଟରୁ ଓହରିଯିବା ଦ୍ବାରା ଜାତୀୟ ରାଜନୀତିରେ କୌଣସି ପ୍ରଭାବ ପଡ଼ିବନି। କାରଣ ପୂର୍ବରୁ ଅନେକ ଥର ଏମିତି ସ୍ଥିତି ଦେଖିବାକୁ ମିଳିଛି। ତେଜସ୍ବୀ ହେଉଛନ୍ତି ବିହାରରେ ଏକକ ବୃହତ୍ତମ ଦଳର ନେତା। ସେ ରାଜ୍ୟରେ ନୂଆ ସରକାର ପରିଚାଳନା କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବେ। ତେବେ ସେ କେମିତି ସରକାର ପରିଚାଳନା କରୁଛନ୍ତି ତାହା ଲୋକମାନେ ଦେଖିବାକୁ ବାକି ରହିଲା ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।
ନୂଆ ସରକାର ଭଲରେ ଚାଲିବ: ନୀତୀଶ
ନୂଆଦିଲ୍ଲୀ: ନୀତୀଶ କୁମାର ଆଜି ଶପଥ ନେବାପରେ କହିଛନ୍ତି, ୨୦୨୦ରେ ସେ କେବେ ବି ମୁଖ୍ୟମନ୍ତ୍ରୀ ହେବାପାଇଁ ଚାହିନଥିଲେ। ତାଙ୍କୁ ଏଥିପାଇଁ ଚାପ ପକାଯାଇଥିଲା। ନୂଆ ସରକାର ପରବର୍ତ୍ତୀ ନିର୍ବାଚନ ପୂର୍ବରୁ ଭାଙ୍ଗିଯିବ ବୋଲି ବିଜେପି ଦାବି କରିଥିବାବେଳେ ନୀତୀଶ ଏହାକୁ ଖଣ୍ଡନ କରିଛନ୍ତି। ନୀତୀଶ କହିଛନ୍ତି, ନୂଆ ସରକାର ଭଲରେ ଚାଲିବ। କୌଣସି ପ୍ରକାର ଅସୁବିଧା ସୃଷ୍ଟି ହେବନି। ନୀତୀଶ ଆଜି ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀ ଯୁଗ ମଧ୍ୟରେ ତୁଳନା କରିଛନ୍ତି। ସେ କହିଛନ୍ତି, ବାଜପେୟୀଙ୍କ ସହ ଥିବାବେଳେ ସମୟ ଅଲଗା ଥିଲା। ବାଜପେୟୀ ତାଙ୍କୁ ବହୁତ ଭଲପାଇବା ଏବଂ ସମ୍ମାନ ଦେଇଥିଲେ। ସେ ସମୟ ଆମେ କେବେ ଭୁଲି ପାରିବୁନି। ମୋଦୀଙ୍କ ନାଁ ନନେଇ ନୀତୀଶ କହିଛନ୍ତି, ଆମେ ଯେତେବେଳେ ପୁଣିଥରେ ବିଜେପି ସହ ଆସିଲୁ ଯାହା ସବୁ ଘଟିଲା ସେଥିରେ ଆମ ନେତାମାନେ ଆଦୌ ଖୁସି ହେଲେନି ।
Follow Us