ପଶ୍ଚିମବଙ୍ଗରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ହାତ ମିଶାଇବେ କି ବଙ୍ଗ ଝିଅ ଓ ବିହାର ପୁଅ?

Advertisment
ପଶ୍ଚିମବଙ୍ଗରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ହାତ ମିଶାଇବେ କି ବଙ୍ଗ ଝିଅ ଓ ବିହାର ପୁଅ?

କୋଲକାତା: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଜିତି ଦିଦିଙ୍କ ତୃଣମୂଳ ଠାରୁ କ୍ଷମତା ଛଡ଼ାଇ ଆଣିବାକୁ ବିଜେପି ଏବେ ରାତିଦିନ ଏକ କରି ଦେଇଛି। ଦିଦି ମଧ୍ୟ ଏକଥା ଜାଣିଗଲା ପରେ ଏବେ ପଶ୍ଚିମବଙ୍ଗରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। ଏହି କ୍ରମରେ ଆଜି ବିହାରର ଆରଜେଡି ନେତା ତେଜସ୍ୱୀ ଯାଦବ କୋଲକାତା ଆସି ମମତା ବାନାର୍ଜୀଙ୍କୁ ଭେଟିବା ପରେ ଆଗାମୀ ନିର୍ବାଚନରେ ରାଜ୍ୟରେ ଉଭୟ ଦଳର ମେଣ୍ଟ ହେଉଥିବା ନେଇ ଆଲୋଚନା ଜୋର ଧରିଛି। ତେବେ, ଉଭୟ ଦଳର ମେଣ୍ଟ ଖବର ଉପରେ ନିରବ ରହିଛନ୍ତି ମମତା ଓ ତେଜସ୍ୱୀ।

ତେଜସ୍ୱୀ ଯାଦବ ଆଜି କୋଲକାତାର ନାବାନ୍ନ ଠାରେ ଥିବା ମୁଖ୍ୟମନ୍ତ୍ରୀ ମମତାଙ୍କ କାର୍ଯ୍ୟାଳୟକୁ ଆସି ତାଙ୍କୁ ଭେଟିଥିଲେ। ଉଭୟ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି କବାଟକିଳା ଆଲୋଚନା ହୋଇଥିଲା। କୁହାଯାଉଛି ଦୁଇ ନେତାଙ୍କ ମଧ୍ୟରେ ଆଗାମୀ ନିର୍ବାଚନରେ ମେଣ୍ଟ କରିବା ସହ ଆସନ ବଣ୍ଟନ ବିଷୟରେ ଆଲୋଚନା ହୋଇଛି।

ମମତାଙ୍କୁ ସାକ୍ଷାତ କଲାପରେ ତେଜସ୍ୱୀ କହିଛନ୍ତି ବାମ ଓ କଂଗ୍ରେସ ସହିତ ଆମର ମେଣ୍ଟ କେବଳ ବିହାରରେ ଅଛି। ଏଠାରେ ମମତା ଦିଦିଙ୍କ ହାତକୁ ମଜବୁତ କରିବା ଏବଂ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ହେଉଛି ଆମର ଏକମାତ୍ର ଲକ୍ଷ୍ୟ। ତେଜସ୍ୱୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଅନେକ ହିନ୍ଦୀ ଭାଷାଭାଷୀ ଭୋଟର ଅଛନ୍ତି ଏବଂ ତାଙ୍କ ପିତା ଲାଲୁ ଯାଦବ ନିଷ୍ପତ୍ତି ନେଇଛନ୍ତି ଯେ ଆଗାମୀ ନିର୍ବାଚନରେ ତାଙ୍କ ଦଳ ମମତା ବାନାର୍ଜୀଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବ। ଆମେ ସବୁବେଳେ ଦିଦିଙ୍କୁ ସମ୍ମାନ ଦେଇଛୁ, ଆମର ଭଲ ସମ୍ପର୍କ ଅଛି। ଆମେ ମମତାଜୀଙ୍କ ସହିତ ଛିଡା ହେବା ଏବଂ ସାମ୍ପ୍ରଦାୟିକ ଶକ୍ତି ବିରୁଦ୍ଧରେ ଠିଆ ହେବା। ବିଜେପି ଏଠାରେ କ୍ଷମତାକୁ ଆସିବାକୁ ସ୍ୱପ୍ନ ଦେଖୁଛି କିନ୍ତୁ ତାହା ଘଟିବ ନାହିଁ ବୋଲି ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ମମତାଙ୍କୁ ପ୍ରଶଂସା କରି କହିଛନ୍ତି। ହେଲେ, ଉଭୟ ଦଳର ମେଣ୍ଟ ନେଇ ନିରବ ରହିଛନ୍ତି।

ସେହିପରି ମମତା ବାନାର୍ଜୀ କହିଛନ୍ତି ଯେ ଲାଲୁ ଯାଦବଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଜେଲରୁ ମୁକ୍ତ କରାଯାଇ ନାହିଁ। କାରଣ, ଲାଲୁଜୀ ଜେଲରୁ ବାହାରିଥିଲେ ସେମାନେ ନଭେମ୍ବରରେ ହୋଇଥିବା ବିହାର ନିର୍ବାଚନରେ ହାରି ଯାଇଥାଆନ୍ତେ ବୋଲି ଜାଣିଥିଲେ। ସେମାନେ ବିହାରରେ ପ୍ରତାରଣା କରି ଜିତିଥିଲେ। ତେଜସ୍ୱୀ ଯୁଦ୍ଧ କରିଛନ୍ତି, ମୁଁ ଯୁଦ୍ଧ କରୁଛି। ସେଥିପାଇଁ ସେମାନେ ସେମାନଙ୍କୁ ସୁହାଇଲା ଭଳି ନିର୍ବାଚନୀ କାର୍ଯ୍ୟସୂଚୀ ସ୍ଥିର କରିଛନ୍ତି। ସେହିପରି ମମତା ବି ମେଣ୍ଟ ନେଇ ନିରବ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe