www.timesnownews.com
ହାଇଦ୍ରାବାଦ: ବିଗତ ସାତ ବର୍ଷ ହେଲା ୧୩୯ ଜଣଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇ ଆସିଛନ୍ତି ବୋଲି ତେଲେଙ୍ଗାନା ହାଇଦ୍ରାବାଦର ଜଣେ ୨୫ ବର୍ଷୀୟା ଅଭିଯୋଗ ଆଣିଛନ୍ତି। ଏପରିକି ଦୁଷ୍କର୍ମକାରୀଙ୍କ ମଧ୍ୟରେ ଓକିଲ, ଛାତ୍ରନେତା, ବ୍ୟବସାୟୀ, ସାମ୍ବାଦିକ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ରହିଥିବା ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପଞ୍ଜାଗୁଟ୍ଟା ଥାନା ପୁଲିସ ୪୨ ପୃଷ୍ଠା ସମ୍ବଳିତ ଏକ ମାମଲା ରୁଜୁ କରିବା ସହ ଯୁବତୀଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଛି।
ଅଭିଯୋଗ ଅନୁଯାୟୀ, ୨୦୦୯ ମସିହାରେ ବିବାହ କରିଥିବା ଉକ୍ତ ଯୁବତୀଙ୍କର ବର୍ଷକ ଭିତରେ ହିଁ ବିବାହ ବିଚ୍ଛେଦ ଘଟିଥିଲା। ଏହା ପରେ ସେ ବାପ ଘରକୁ ଆସି ନିଜ ପାଠପଢ଼ା ପୁଣି ଆରମ୍ଭ କରିଥିଲେ। ତେବେ ସେଠାରେ ତାଙ୍କ ସମ୍ପର୍କୀୟଙ୍କ ସମେତ ୨୦ ଜଣଙ୍କ ଦ୍ବାରା ସେ ଦୁଷ୍କର୍ମର ଶିକାର ହୋଇଥିଲେ। ଏପରିକି ଏ ବିଷୟରେ ପୁଲିସକୁ ଜଣାଇଲେ ଜୀବନରେ ମାରିଦେବାକୁ ସେମାନେ ଧମକ ଦେଇଥିଲେ ଏବଂ ଏଥିରେ ଭୟଭୀତ ହୋଇ ବେଳେବେଳେ ତାଙ୍କୁ ସିଗାରେଟ୍ ନିଆଁ ଚେଙ୍ଖ ମଧ୍ୟ ସହିବାକୁ ପଡ଼ିଥିଲା। ଏହି ଭୟ ଯୋଗୁଁ ହିଁ ସେ ଏପରି ଅଭିଯୋଗ କରିବାରେ ବିଳମ୍ବ କରିଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Follow Us