ହାଇଦ୍ରାବାଦ: ତେଲେଙ୍ଗାନାର ମେହେବୁବ୍ ନଗର ଜିଲ୍ଲାରେ ଜଣେ ମହିଳା ପୁଲିସ କନଷ୍ଟେବଲଙ୍କ ଦ୍ୱାରା ମହିଳା ବସ କଣ୍ଡକ୍ଟର ମାଡ଼ ଖାଇବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କଥିତ ରୂପେ ହୋଇଥିବା ଏହି ମାଡ଼ର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡ଼ିଛି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ଯାଞ୍ଚ କରୁଛି।
ରାଜ୍ୟ ପରିବହନ ନିଗମର ଜଣେ କର୍ମଚାରୀ କହିଛନ୍ତି, ଏହି ଘଟଣା ଗତ ସେପ୍ଟେମ୍ବର ୨୭ରେ ହୋଇଥିଲା। ମହିଳା ପୁଲିସ କନଷ୍ଟେବଲ ଜି ରଞ୍ଜିତା କୁମାରୀ ମେହେବୁବ୍ ନଗର ଡିପୋରୁ ତେଲେଙ୍ଗାନା ରାଜ୍ୟ ପରିବହନ ନିଗମର ବସରେ ଯାତ୍ରା କରୁଥିଲେ। କଣ୍ଡକ୍ଟର ଯେତେବେଳେ ଟିକଟ ନେବା ପାଇଁ କହିଲେ, ସେ ନିଜର ପରିଚୟ ପତ୍ରର ଫଟୋ କପି ଦେଖାଇଥିଲେ। ଏହା ପରେ କଣ୍ଡକ୍ଟର ପୁଲିସ କର୍ମୀଙ୍କୁ ମୂଳ ପରିଚୟପତ୍ର ଦେଖାଇବାକୁ କହିଥିଲେ।
ଏହି ଘଟଣାକୁ କୌଣସି ଏକ ଯାତ୍ରୀ ଭିଡ଼ିଓ ରେକଡିଂ କରିଥିଲେ, ଯାହାକି ଟିଭି ଚ୍ୟାନେଲ ଓ ସୋସିଆଲ ମିଡିଆରେ ପ୍ରସାରଣ ହୋଇଥିଲା। ଭିଡ଼ିଓରେ ଦେଖାଯାଉଥିଲା ଯେ, କଣ୍ଡକ୍ଟର ଓ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତି-ତର୍କ ହୋଇଥିଲା। ପରେ ପୁଲିସ କର୍ମଚାରୀ ଜଣକ କଣ୍ଡକ୍ଟରଙ୍କୁ ଧକ୍କା ଦେଇଥିଲେ। ସେମାନଙ୍କ ଝଗଡ଼ାକୁ ଯାତ୍ରୀମାନେ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।
ଏହି ଘଟଣାକୁ ରାଜ୍ୟ ପରିବହନ ନିଗମର କର୍ମଚାରୀମାନେ ନିନ୍ଦା କରିବାକୁ ଯାଇ ଗୁରୁବାର ପ୍ରଦର୍ଶନ କରିବା ସହିତ ମେହେବୁବ୍ ନଗରରେ ର୍ୟାଲି କରିଥିଲେ। ସେମାନେ ଘଟଣା ସହିତ ଜଡ଼ିତ ଥିବା ମହିଳା ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ଦାବି କରିଥିଲେ। ଏଥି ସହିତ ସେମାନେ ଅଭିଯୋଗ ଆଣିଛନ୍ତି ଯେ, କଣ୍ଡକ୍ଟର ଟିକଟ ମାଗିବାରୁ ପୁଲିସ କର୍ମୀଙ୍କ ଠାରୁ ଧକ୍କା ଖାଇଥିଲେ।
ମାମଲାର ତଦନ୍ତ ପାଇଁ ଅଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ ଅନୁଶାସନ ମୂଳକ କାର୍ଯ୍ୟାନୁଷ୍ଠାନ ହେବ। କନଷ୍ଟେବଲଙ୍କୁ ମେହେବୁବ୍ ନଗର ପୁଲିସ ମୁଖ୍ୟ କାର୍ଯ୍ୟଳୟକୁ ବଦଳି କରି ଦିଆଯାଇଛି।
-ବି. ଅନୁରାଧା,
ପୁଲିସ ଅଧିକ୍ଷକ, ମେହେବୁବ୍ ନଗର
Follow Us