Image Courtesy of NDTV
ନୂଆଦିଲ୍ଲୀ: ୧୦ ବର୍ଷର କଠୋର ପରିଶ୍ରମ ବୃଥା ହୋଇଗଲା… କିନ୍ତୁ ମୋର ଆତ୍ମସମ୍ମାନ ଓ ଆତ୍ମବିଶ୍ବାସ ଅକ୍ଷୁଣ୍ଣ ରହିଛି ବୋଲି ଶେଷ ଚେଷ୍ଟାରେ ସଫଳତାର ନିକଟବର୍ତ୍ତୀ ହୋଇ ବିଫଳ ହୋଇଥିବା ଜଣେ ‘ସିଭିଲ୍ ସର୍ଭିସ୍’ ଆଶାୟୀ କହିଛନ୍ତି।
ଚଣ୍ଡୀଗଡ଼ସ୍ଥିତ ‘ପଞ୍ଜାବ ଇଞ୍ଜିନିୟରିଙ୍ଗ୍’ କଲେଜରୁ ସିଭିଲ୍ ଇଞ୍ଜିନିୟରିଙ୍ଗ୍ ଶେଷ କରିଥିବା ରଜତ ସଂବ୍ୟାଲ୍ କହିଛନ୍ତି ଯେ, ଦେଶର ଅନ୍ୟତମ କଠୋର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଏହା ଥିଲା ତାଙ୍କ ନିମନ୍ତେ ଷଷ୍ଠ ତଥା ଅନ୍ତିମ ଉଦ୍ୟମ। ପୂର୍ବରୁ କରିଥିବା ଉଦ୍ୟମଗୁଡ଼ିକରେ ସେ କେବେ ବି ଚୂଡ଼ାନ୍ତ ପର୍ଯ୍ୟାୟକୁ ଉଠି ପାରି ନ ଥିଲେ। ସେ ଯାହାହେଉ, ଚଳିତ ଥର ସେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବା ପରେ ସଫଳତା ହାସଲ କରିବେ ବୋଲି ଆଶା କରିଥିଲେ।
ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲାରେ ଜନ୍ମିତ ଏବଂ ଜମ୍ମୁରେ ପାଳିତ ସଂବ୍ୟାଲ୍ ଟୁଇଟ୍ କରି ଲେଖିଛନ୍ତି: ୧୦ ବର୍ଷର କଠୋର ଶ୍ରମ ବ୍ୟର୍ଥ ହେଲା। ୬ ଥର ‘ୟୁପିଏସ୍ସି’ ଉଦ୍ୟମର ଅବସାନ ଘଟିଲା। ୩ ଥର ‘ପ୍ରିଲିମ୍’ରେ ବିଫଳ ହୋଇଥିଲି। ୨ ଥର ‘ମେନ୍’ରେ ଫେଲ୍ ହୋଇଥିଲି। ସାକ୍ଷାତ୍କାରରେ କମ୍ ନମ୍ବର ରଖିବାରୁ ଗତକାଲି ଶେଷ ଉଦ୍ୟମରେ ମୋ ଉଦ୍ୟମର ଅବସାନ ଘଟିଲା। ତଥାପି ମୋର ଆତ୍ମସମ୍ମାନ ଓ ଆତ୍ମବିଶ୍ବାସ ଅକ୍ଷୁଣ୍ଣ ରହିଛି।
Image Courtesy of Twitterଟୁଇଟ୍ରେ ଲେଖା ସହ ସଂବ୍ୟାଲ୍ ତାଙ୍କ ରିପୋର୍ଟ କାର୍ଡ ଏବଂ ଦିଲ୍ଲୀସ୍ଥିତି ‘ୟୁନିୟନ୍ ପବ୍ଲିକ୍ ସର୍ଭିସ୍ କମିସନ୍’ ଅଫିସ୍ ବାହାରେ ଉଠାଇଥିବା ଫଟୋ ସେୟାର୍ କରିଛନ୍ତି। ରିପୋର୍ଟ କାର୍ଡରୁ ଜଣାପଡ଼ିଛି ସେ ସମୁଦାୟ ୯୪୨ ନମ୍ବର ପାଇଛନ୍ତି।
ଉତ୍ସାହଜନକ ସନ୍ଦେଶ ଦେଇ ଅନେକେ ତାଙ୍କ ଟୁଇଟ୍ର ପ୍ରତ୍ୟୁତ୍ତର ଦେଇଛନ୍ତି। ଜଣେ ଲେଖିଛନ୍ତି: ମୁଁ ଆପଣଙ୍କ ଭାବାବେଗ ବୁଝି ପାରୁଛି। ଭାଗ୍ୟ ସହ ଚାଲେଞ୍ଜ୍ କରି ହେବ ନାହିଁ। ‘ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟର୍’ ଭାବେ ଆପଣ ଉନ୍ନତି କରିପାରିବେ।
ଅନ୍ୟ ଜଣେ ଲେଖଛନ୍ତି: ବୁଝୁଛି! ୧୦ ବର୍ଷର ପରିଶ୍ରମ ନିଷ୍ଫଳ ହେଲା। କିନ୍ତୁ, ଏହି ପରିଶ୍ରମ ସମୟରେ ହାସଲ କରିଥିବା ବିପୁଳ ଜ୍ଞାନକୁ ଉପେକ୍ଷା କରନ୍ତୁ ନାହିଁ। ଏହି ଜ୍ଞାନ ଚିରକାଳ ପାଇଁ ଆପଣଙ୍କ ସହିତ ରହିଥିବ। ଭବିଷ୍ୟତର ସିଭିଲ୍ ସର୍ଭିସ ଆଶାୟୀମାନଙ୍କୁ ମାର୍ଗ ଦର୍ଶନ କରାଇବାକୁ ପ୍ରସ୍ତାବ ଦେଉଛି।
Follow Us