CNN
କିଏଭ/ବ୍ରସେଲ୍ସ: ୟୁରୋପୀୟ ରାଷ୍ଟ୍ର ୟୁକ୍ରେନରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହି ଦେଶ ଉପରେ ରୁଷିଆ ଆକ୍ରମଣ କରିବାର ଆଶଙ୍କା ରହିଛି। ତେବେ ଆମେରିକା ଏହାର ଦୃଢ଼ ବିରୋଧ କରୁଛି। ରୁଷିଆର କଡ଼ା ଜବାବ ଦେବା ପାଇଁ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ଅଣ୍ଟା) ଭିଡ଼ିଛି। ସଂପୃକ୍ତ ଅଞ୍ଚଳକୁ ନାଟୋ ଅଧିକ ବିମାନ ଏବଂ ଜାହାଜ ପଠାଇବା ଆରମ୍ଭ କରିଦେଇଛି। ଅଧିକ ସଂଖ୍ୟକ ସୈନ୍ୟଙ୍କୁ ମଧ୍ୟ ନାଟୋ ପ୍ରସ୍ତୁତ କରି ରଖିଛି। ଯଦିଓ ୟୁକ୍ରେନ ଆକ୍ରମଣ କରିବାର ଯୋଜନା ନାହିଁ ବୋଲି ମସ୍କୋ କହୁଛି ତଥାପି ଏସବୁ ଆମେରିକା ଓ ନାଟୋର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି। ସଦସ୍ୟ ରାଷ୍ଟ୍ରମାନେ ଅତିରିକ୍ତ ସୈନ୍ୟ ଯୋଗାଇ ଦେଇଥିବାରୁ ନାଟୋର ମହାନିର୍ଦ୍ଦେଶକ ଜେନ୍ସ ଷ୍ଟଲଟେନବର୍ଗ ସେମାନଙ୍କୁ ସ୍ବାଗତ କରିଛନ୍ତି। ସବୁ ସଦସ୍ୟ ରାଷ୍ଟ୍ରଙ୍କୁ ସୁରକ୍ଷା ଦେବା ପାଇଁ ନାଟୋ ଆବଶ୍ୟକ ପଦକ୍ଷେପ ଜାରି ରଖିବ ବୋଲି ସେ କହିଛନ୍ତି।
ୟୁକ୍ରେନରେ ଉତ୍ତେଜନା ବଢ଼ୁଥିବାରୁ ଦୂତାବାସ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଓ ଆମେରିକୀୟ ନାଗରିକମାନେ ଦେଶ ଛାଡ଼ିବାକୁ ଆମେରିକା ନିର୍ଦ୍ଦେଶ ଦେଇଛି। ରବିବାର ରାତିରେ ଆମେରିକାର ବିଦେଶ ବିଭାଗ ଏ ନେଇ ଉପଦେଶ ଜାରି କରିଛି। ସେହିଭଳି ବ୍ରିଟେନ ମଧ୍ୟ ଏହାର କିଏଭସ୍ଥିତ ଦୂତାବାସ କାର୍ଯ୍ୟାଳୟରୁ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ପ୍ରତ୍ୟାହାର କରିବା ଆରମ୍ଭ କରିଛି। ୟୁକ୍ରେନ ପ୍ରତି ରୁଷିଆ ଆକ୍ରମଣର ବିପଦ ବଢ଼ୁଥିବାରୁ ବ୍ରିଟେନ ଏଭଳି ନିଷ୍ପତ୍ତି ନେଇଛି। ରୁଷିଆ ଯେକୌଣସି ସମୟରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ପକ୍ଷରୁ କୁହାଯାଇଛି। ଡେନମାର୍କ, ସ୍ପେନ, ବୁଲଗେରିଆ, ନେଦରଲାଣ୍ଡ ସମେତ ନାଟୋର ଅନ୍ୟ ସଦସ୍ୟଦେଶମାନେ ପୂର୍ବ ୟୁରୋପକୁ ଅଧିକ ଯୁଦ୍ଧ ଜାହାଜ ଏବଂ ଲଢ଼ୁଆ ବିମାନ ପଠାଇଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ ସୀମାରେ ରୁଷିଆ ପାଖାପାଖି ୧ ଲକ୍ଷ ସେନା ମୁତୟନ କରିଛି।
ରୁଷିଆକୁ ଚେତାବନୀ ଦେଲେ ଜନସନ୍
ଲଣ୍ଡନ: ରୁଷିଆକୁ ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଚେତାବନୀ ଦେଇଛନ୍ତି। ୟୁକ୍ରେନ ଆକ୍ରମଣ କରିଲେ ରୁଷିଆକୁ ଏଥିପାଇଁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ୟୁକ୍ରେନରୁ ବିଦେଶ ମନ୍ତ୍ରାଳୟ ଏହାର ଦୂତାବାସ କର୍ମଚାରୀମାନଙ୍କୁ ପ୍ରତ୍ୟାହାର କରୁଥିବା ସଂପର୍କରେ ପ୍ରଶ୍ନ ହେବାରୁ ଜନସନ କହିଛନ୍ତି ଏହା ନିଶ୍ଚିତଭାବେ ସଂକଟଜନକ ହୋଇଥିଲେ ମଧ୍ୟ ଯୁଦ୍ଧ ଅନିବାର୍ଯ୍ୟ ନୁହେଁ। ରୁଷିଆ ବିରୋଧରେ ଅର୍ଥନୈତିକ କଟକଣା ଲାଗୁ ପାଇଁ ବ୍ରିଟେନ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏଥିସହିତ ୟୁକ୍ରେନକୁ ପ୍ରତିରକ୍ଷାତ୍ମକ ଯୁଦ୍ଧାସ୍ତ୍ର ପଠାଯାଇଛି ବୋଲି ଜନସନ କହିଛନ୍ତି।
Follow Us