ଏଲ୍‌ଏସିରେ ପୁଣି ଉତ୍ତେଜନା : ସେନା ମୁତୟନ ବଢ଼ାଇଲା ଚୀନ୍‌

ଭାରତୀୟ ସେନା ସର୍ବାଧିକ ସତର୍କ

ଏଲ୍‌ଏସିରେ ପୁଣି ଉତ୍ତେଜନା : ସେନା ମୁତୟନ ବଢ଼ାଇଲା ଚୀନ୍‌

National Herald

ନୂଆଦିଲ୍ଲୀ : ପୂର୍ବ ଲଦାଖ୍‌ରେ ଚୀନ୍‌ ସେନାର ଅତିକ୍ରମଣକୁ ନେଇ ଜାରି ରହିଥିବା ଉତ୍ତେଜନା ଏବେ ଆହୁରି ଜଟିଳ ସ୍ଥିତିକୁ ଆସିଛି। ପୂର୍ବରୁ କୋର୍‌ କମାଣ୍ଡରସ୍ତରୀୟ ଆଲୋଚନାରେ ଦୁଇ ଦେଶ ମଧ୍ୟରେ ଯେଉଁ ବୁଝାମଣା ହୋଇଥିଲା ତାହାକୁ ଚୀନ୍‌ ଉଲ୍ଲଂଘନ କରି ସେନା ମୁତୟନ ବଢ଼ାଇ ଚାଲିଛି। ସପ୍ତାହକ ମଧ୍ୟରେ ପୂର୍ବ ଲଦାଖ୍‌ର ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ଚୀନ୍‌ ଅଧିକ ସେନା ମୁତୟନ କରିଛି ଏବଂ ଭାରୀ ଯୁଦ୍ଧାସ୍ତ୍ର ଠୁଳ କରୁଛି। ଚୀନ୍‌ର ଗତିବିଧିକୁ ଦେଖି ଭାରତ ମଧ୍ୟ ଏହାର ମୁକାବିଲା ପାଇଁ ସର୍ବାଧିକ ସତର୍କତା ଅବଲମ୍ବନ କରିଛି।

ଅନ୍ୟପକ୍ଷରେ ଦୀର୍ଘ ଅଢ଼େଇ ମାସର ଅଚଳାବସ୍ଥା ପରେ ଆଜି ଦୁଇ ଦେଶ କମାଣ୍ଡରସ୍ତରୀୟ ଆଲୋଚନା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ୮ ଥର ଆଲୋଚନା ହୋଇଥିଲେ ମଧ୍ୟ ଉତ୍ତେଜନା ହ୍ରାସ ଦିଗରେ କୌଣସି ସୁଫଳ ମିଳିନାହିଁ। ନଭେମ୍ବର ୬ ତାରିଖରେ ହୋଇଥିବା ଶେଷ ବୈଠକରେ ଯେଉଁ ସବୁ ସର୍ତ୍ତ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ତାହାକୁ ଚୀନ୍‌ ଲଗାତାର ଉଲ୍ଲଂଘନ କରି ଚାଲିଥିବାରୁ ୯ମ ପର୍ଯ୍ୟାୟ ବୈଠକ ବିଫଳ ହେଲେ ସ୍ଥିତି ସାଂଘାତିକ ହେବ ବୋଲି ଆଶଙ୍କା କରାଯାଉଛି।

ପୂର୍ବ ଲଦାଖ୍‌ର ମୋଲ୍‌ଡରେ ଆଜି ଅପରାହ୍ନରୁ ଆଲୋଚନା ଆରମ୍ଭ ହୋଇଛି ଏବଂ ଉଭୟ ଦେଶର ବରିଷ୍ଠ କମାଣ୍ଡରମାନେ ଏଥିରେ ସାମିଲ ହୋଇଛନ୍ତି। ଚୀନ୍‌ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ସ୍ବାଭାବିକ ରହିଥିବା ଅଂଚଳକୁ ବିବାଦୀୟ କରୁଛି ଏବଂ ସେଠାରେ ସୈନ୍ୟ ମୁତୟନ ବଢ଼ାଉଥିବାରୁ ଆଗକୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ମଧ୍ୟ ସାମରିକ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ଏବେ ପ୍ରବଳ ଥଣ୍ଡା ଓ ବରଫପାତ ଭିତରେ ମଧ୍ୟ ଉଭୟ ପଟେ ୫୦ ହଜାରରୁ ଅଧିକ ସୈନ୍ୟ ମୁତୟନ ହୋଇଛନ୍ତି। ଚୀନ୍‌ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ଲଗାତାର ନୂଆ ନିର୍ମାଣ ଜାରି ରଖି ଭାରତକୁ ଚାପରେ ରଖିବାକୁ ଚାହୁଛି। ଭାରତୀୟ ସେନା ଲଦାଖ୍‌ରେ କ୍ଷେପଣାସ୍ତ୍ର ମୁତୟନ ସହ ଯେ କୌଣସି ବିମାନ ଆକ୍ରମଣର ଜବାବ ଦେବାକୁ ମଧ୍ୟ ପ୍ରସ୍ତୁତ ରହିଛି । ଭାରତୀୟ ସେନା ଗୁରଙ୍ଗ୍‌ ପର୍ବତ, ମଗର ପର୍ବତ, ମୁଖପରୀ, ରେଚିନ୍‌ ରେଜିଙ୍ଗ୍‌ ଅଞ୍ଚଳରେ ସ୍ଥିତି ସୁଦୃଢ଼ କରିଛି ଏବଂ ଚୀନ୍‌ର ସବୁ ଚାଲ୍‌କୁ ପଣ୍ଡ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe