କିବ୍‌‌ ଓ ଖାର୍‌କିଭରେ ଭୟଙ୍କର ସ୍ଥିତି: ଯୁଦ୍ଧ ନେଲାଣି ୩୮ ଶିଶୁଙ୍କ ଜୀବନ, ଦେଶ ଛାଡ଼ିଲେଣି ୧୭ ଲକ୍ଷ ଲୋକ

ଯୁଦ୍ଧବିରତି ସତ୍ତ୍ବେ ଆକ୍ରମଣ, ମୋର୍ଟାର ମାଡ଼ରେ ୨ ଶିଶୁଙ୍କ ସମେତ ୮ ମୃତ

କିବ୍‌‌ ଓ ଖାର୍‌କିଭରେ ଭୟଙ୍କର ସ୍ଥିତି: ଯୁଦ୍ଧ ନେଲାଣି ୩୮ ଶିଶୁଙ୍କ ଜୀବନ, ଦେଶ ଛାଡ଼ିଲେଣି ୧୭ ଲକ୍ଷ ଲୋକ

Polish News

କିବ୍‌: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଆଜି ୧୨ ଦିନରେ ପହଞ୍ଚିଛି। ଗତକାଲି ଯୁଦ୍ଧର ୧୧ ଦିନରେ ଉଭୟ ରୁଷ୍‌ ଏବଂ ୟୁକ୍ରେନ୍‌ ୧୧ ଘଣ୍ଟା ପାଇଁ କିଛି ସହରରେ ଯୁଦ୍ଧବିରତି ଘୋଷଣା କରିଥିଲେ। ଆଜି ୟୁକ୍ରେନ୍ ରାଜଧାନୀ କିବ୍‌ରେ ରୁଷ୍‌ ପ୍ରଥମ ଥର ପାଇଁ ଯୁଦ୍ଧବିରତି ଘୋଷଣା କରିଛି। କିବ୍‌ ବାଦ୍ ଅନ୍ୟ ୩ଟି ସହରରେ ଏହା ଯୁଦ୍ଧବିରତି ଘୋଷଣା କରିଛି। କିନ୍ତୁ ବାସ୍ତବ ସ୍ଥିତି ଅଲଗା ରହିଛି। ରୁଷ୍‌ ୪ ସହରରେ ଯୁଦ୍ଧବିରତି ଘୋଷଣା କରିଥିଲେ ସୁଦ୍ଧା ଉଦ୍ଧାର ପଥରେ ହିଁ ଆକ୍ରମଣ ଜାରି ରହିଥିବା ୟୁକ୍ରେନ୍‌ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। ରବିବାର କିବ୍‌ରେ ନାଗରିକଙ୍କୁ ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଥିବାବେଳେ ଏକ କ୍ରସିଂ ପଏଣ୍ଟ୍‌ରେ ରୁଷ୍‌ ସେନାର ଆକ୍ରମଣ ଯୋଗୁଁ ୨ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ଉତ୍ତରପଶ୍ଚିମ କିବ୍‌ର ଇରପିନ୍‌ରେ ୨ଟି ମୋର୍ଟାର ମାଡ଼ ଏବଂ ଗୋଳାବର୍ଷା ହୋଇଛି। ସେହିପରି କେନ୍ଦ୍ରୀୟ ୟୁକ୍ରେନ୍‌ର ବିନ୍ନିତସିଆ ବିମାନବନ୍ଦରରେ ରୁଷ୍‌ର ବିମାନ ଆକ୍ରମଣ ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ନାଗରିକ ଏବଂ ୫ ଜଣ ସୈନିକ ଅଛନ୍ତି। ରବିବାର ଦିନ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ଏକ ଭିଡିଓ ବାର୍ତ୍ତା ଦେଇ କହିଥିଲେ ଯେ ୮ଟି ରକେଟ୍‌ ବିନ୍ନିତସିଆ ବିମାନବନ୍ଦରରେ ମାଡ଼ ହୋଇଛି। ଏହି ଘଟଣା ପରେ ଜେଲେନ୍‌ସ୍କି ୟୁକ୍ରେନ୍‌କୁ ନୋ-ଫ୍ଲାଏ୍‌ ଜୋନ୍‌ ଘୋଷଣା ପାଇଁ ବିଦେଶ ରାଷ୍ଟ୍ରମାନଙ୍କୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷେ ଖାରକିଭରେ ଜନବସତି ଅଞ୍ଚଳଗୁଡ଼ିକୁ ଟାର୍ଗେଟ୍‌ କରି ରୁଷ୍‌ ଲଗାତାର ଗୁଳିଗୋଳା ମାଡ଼ କରିଥିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଛି। ସହରର କେନ୍ଦ୍ରୀୟ ଅଞ୍ଚଳରେ ୨୧ଟି କୋଠାକୁ ଟାର୍ଗେଟ୍‌ କରି ଭୟଙ୍କର ଗୁଳିମାଡ଼ ହୋଇଛି।

ବିମାନ ବନ୍ଦରରେ ର‌କେଟ୍‌ ମାଡ଼, ୯ ମୃତ
ଖାରକିଭ୍‌ରେ ଗୋଳାବର୍ଷା, ୨୪ ଘଣ୍ଟାରେ ୮ ମୃତ

କିବ୍‌ରେ ବଢ଼ି ଚାଲିଥିବା ମାନବୀୟ ସଙ୍କଟର ସମାଧାନ ପାଇଁ କିବ୍‌ ଆଞ୍ଚଳିକ ସାମରିକ ପ୍ରଶାସନ ଅନ୍ତର୍ଜାତୀୟ ଅନୁଷ୍ଠାନର ସହ‌ଯୋଗ ମାଗିଛି। ହଜାର ହଜାର ଲୋକ ବଞ୍ଚିବା ପାଇଁ ଲୁଚି ରହିଛନ୍ତି। କିଛି ସ୍ଥାନରେ ଲୋକମାନେ ୫-୬ ଦିନ ବିନା ଖାଦ୍ୟ ଏବଂ ବିନା ପାଣିରେ ବଞ୍ଚିବାପାଇଁ ସଂଘର୍ଷ କରୁଛନ୍ତି। ଇତି ମଧ୍ୟରେ ୧୭ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ୍‌ ଛାଡ଼ି ସାରିଛନ୍ତି। ଜାତିସଂଘ ମାନବ ଅଧିକାର ହାଇ କମିସନରଙ୍କ ଅନୁଯାୟୀ ରୁଷ୍‌ ଆକ୍ରମଣରେ ୩୬୦ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଫେବ୍ରୁଆରି ୨୪ରେ ରୁଷ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଏଯାବତ୍‌ ୬୦୦ କ୍ଷେପଣାସ୍ତ୍ର ମାଡ଼ କରିଛି ବୋଲି ଜଣେ ବରିଷ୍ଠ ଆମେରିକୀୟ ପ୍ରତିରକ୍ଷା ଅଧିକାରୀ କହିଛନ୍ତି। ରବିବାର ଦିନ ପଶ୍ଚିମ ଏବଂ ଉତ୍ତରପଶ୍ଚିମ କିବ୍‌ରେ ପ୍ରବଳ ଗୋଳାବର୍ଷା ହେଉଥିଲା। ଆଜି ସକାଳେ ମଧ୍ୟ କିବ୍‌ରେ ଜୋରଦାର ଗୁଳିଗୋଳା ବର୍ଷା ହୋଇଛି। କିବ୍‌ର ୪ଟି ଜିଲ୍ଲାରେ ଆଜି ପ୍ରବଳ ଗୋଳାବର୍ଷା ହୋଇଛି। ୟୁକ୍ରେନ୍‌ର ଦକ୍ଷିଣ ସହର ମିକୋଲେଭ୍‌ରେ ମଧ୍ୟ ଆଜି ସକାଳେ ରୁଷ୍‌ ରକେଟ୍‌ ମାଡ଼ କରିଛି। ଇତି ମଧ୍ୟରେ ୟୁକ୍ରେନ୍‌କୁ ଜାତିସଂଘ ଏବଂ ଅନ୍ୟ ନାଟୋ ସଦସ୍ୟମାନେ ଏଯାବତ୍‌ ୧୭,୦୦୦ ଆଣ୍ଟିଟ୍ୟାଙ୍କ୍‌ ମିସାଇଲ୍ ଏବଂ ୨,୦୦୦ ଷ୍ଟ୍ରିଞ୍ଜର ଆଣ୍ଟି ଏୟାରକ୍ରାଫ୍ଟ ମିସାଇଲ୍‌ ପଠାଇଛନ୍ତି। ରୁଷ୍‌ ଆକ୍ରମଣ ଆରମ୍ଭ କରିବା ପରେ ୧୪ ଟି ରାଷ୍ଟ୍ର ୟୁକ୍ରେନ୍‌କୁ ସୁରକ୍ଷା ସହାୟତା ପଠାଇଛନ୍ତି।

publive-image
CBS News

ଯୁଦ୍ଧ ନେଲାଣି ୩୮ ଶିଶୁଙ୍କ ଜୀବନ, ଦେଶ ଛାଡ଼ିଲେଣି ୧୭ ଲକ୍ଷ ଲୋକ
ନୂଆଦିଲ୍ଲୀ: ମାର୍ଚ୍ଚ ୨୪ରେ ରୁଷ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଏଯାବତ୍‌ ୟୁକ୍ରେନ୍‌ରେ ମୋଟ୍‌ ୩୮ ଶିଶୁଙ୍କ ମୃତ୍ୟୁ ହେଲାଣି। ରୁଷ୍‌ ଆକ୍ରମଣ ଯୋଗୁଁ ୭୧ ଶିଶୁ ଆହତ ହୋଇଛନ୍ତି। ୟୁକ୍ରେନ ମାନବାଧିକାର ସଂସଦ କମିସନର ଲ୍ୟୁଡମିଲା‌ ଡେନିସୋଭା ଆଜି ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ରୁଷ୍‌ ଆକ୍ରମଣ ଯୋଗୁଁ ୟୁକ୍ରେନ୍‌ରେ ମୋଟ୍‌ ୩୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ବାସ୍ତବ ସଂଖ୍ୟା ଏହାଠାରୁ ଆହୁରି ଅଧିକ ହୋଇଥାଇପାରେ ବୋଲି ଜାତିସଂଘ ମାନବାଧିକାର ସଂସ୍ଥା ପକ୍ଷରୁ କୁହାଯାଇଛି। ଇତି ମଧ୍ୟରେ ୧୭ ଲକ୍ଷ ଲୋକ ୟୁକ୍ରେନ୍‌ ଛାଡ଼ିଲେଣି। ପ୍ରାୟ ୫୦ ଲକ୍ଷ ଲୋକ ୟୁକ୍ରେନ୍‌ ଛାଡ଼ି ଦେବେ ବୋଲି ଜଣେ ଶୀର୍ଷ କୂଟନୀତିଜ୍ଞ କହିଛନ୍ତି। ୫୦ ଲକ୍ଷ ଲୋକଙ୍କୁ ଗ୍ରହଣ କରିବାପାଇଁ ୟୁରୋପୀୟ ସଂଘ ପ୍ରସ୍ତୁତ ରହନ୍ତୁ ବୋଲି ୟୁରୋପୀୟ ସଂଘର ଉଚ୍ଚସ୍ତରୀୟ ପ୍ରତିନିଧି ଜୋସେଫ ବେରେଲ୍‌ କହିଛନ୍ତି। ମାତ୍ର ୧୦ ଦିନରେ ଏତେ ସଂଖ୍ୟକ ଲୋକ ୟୁକ୍ରେନ୍‌ ଛାଡ଼ିଛନ୍ତି। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହା ସବୁଠାରୁ ବଡ଼ ଶରଣାର୍ଥୀ ସଙ୍କଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe