କାବୁଲ୍‌ରେ ଆତଙ୍କବାଦୀ ଆକ୍ରମଣ, ବିଶ୍ବବିଦ୍ୟାଳୟରେ ପଶି ଆଖିବୁଜା ଗୁଳି ଚଳାଇଲେ

Advertisment

ଗୁଳିକାଣ୍ଡରେ ୨୫ ମୃତ, ୩ ଆତଙ୍କବାଦୀ ନିପାତ

ଗୁଳିକାଣ୍ଡରେ ୨୫ ମୃତ, ୩ ଆତଙ୍କବାଦୀ ନିପାତ

କାବୁଲ୍‌ରେ ଆତଙ୍କବାଦୀ ଆକ୍ରମଣ, ବିଶ୍ବବିଦ୍ୟାଳୟରେ ପଶି ଆଖିବୁଜା ଗୁଳି ଚଳାଇଲେ

କାବୁଲ: ଆଫାଗାନିସ୍ତାନର କାବୁଲ ବିଶ୍ବବିଦ୍ୟାଳୟରେ ଆଜି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ବିଶ୍ବ ବିଦ୍ୟାଳୟ ପରିସରରେ ଆଫଗାନିସ୍ତାନ ଓ ଇରାନ ପକ୍ଷରୁ ମିଳିତ ଭାବେ ଏକ ପୁସ୍ତକମେଳା ଆୟୋଜନ ହୋଇଥିଲା। ଏହି ପୁସ୍ତକମେଳାକୁ ସରକାରୀ ଅଧିକାରୀମାନେ ଆସିବାର କିଛି ସମୟ ପୂର୍ବରୁ ତିନିଜଣ ଆତତାୟୀ ବିଶ୍ବବିଦ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ। ସେମାନେ ଛାତ୍ରଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅତିକମ୍‌ରେ ୧୦ ଜଣ ଛାତ୍ର ଥିବା ପ୍ରାଥମିକଭାବେ ଜଣାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଆକ୍ରମଣକାରୀମାନେ ମୁଖ୍ୟତଃ ଛାତ୍ରମାନଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ସେମାନେ ଯେଉଁ ଛାତ୍ରଙ୍କୁ ଦେଖୁଥିଲେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଛାତ୍ରମାନେ ଯିଏ ଯୁଆଡ଼େ ପାଇଲେ ଦୌଡ଼ିବାକୁ ଆରମ୍ଭ କରିଥିଲେ। କେତେକ ଛାତ୍ର ପାଚେରି ଡେଇଁ ବିଶ୍ବବିଦ୍ୟାଳୟ ବାହାରକୁ ମଧ୍ୟ ପଳାଇଥିଲେ। ଏହି ଆକ୍ରମଣରେ ତାଲିବାନ ସଂପୃକ୍ତ ନଥିବା କହିଛି। ତେଣୁ ଏଥିପାଇଁ କିଏ ଦାୟୀ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା। ଶେଷରେ ତିନିଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ବୋଲି ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରାଳୟର ପ୍ରବକ୍ତା ତାରିକ୍ ଏରିଆନ୍ କହିଛନ୍ତି। ଆକ୍ରମଣରେ ସାମିଲ ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷାକର୍ମୀ ଗୁଳି କରି ଉଡ଼ାଇ ଦେଇଥି‌ବାବେଳେ ଜଣେ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଥିବା ଏରିଆନ୍ କହିଛନ୍ତି।

ଏହି ଜଘନ୍ୟ ଆକ୍ରମଣରେ ୩ ଜଣ ଆକ୍ରମଣକାରୀ ସାମିଲ ଥିବାବେଳେ ସେମାନେ ସମସ୍ତେ ନିପାତ ହୋଇଛନ୍ତି। ଏକାଧିକ ଆକ୍ରମଣକାରୀ ବିଶ୍ବବିଦ୍ୟାଳୟ ଭିତରେ ପ୍ରବେଶ କରିବା ସହିତ ସୁରକ୍ଷା କର୍ମୀଙ୍କ ସହିତ ଲଢ଼ିଥିଲେ ବୋଲି ଆଭ୍ୟନ୍ତରୀଣ ମନ୍ତ୍ରାଳୟର ପ୍ରବକ୍ତା ତାରିକ୍ ଏରିଆନ୍ କହିଛନ୍ତି। ଏହି ଆକ୍ରମଣରୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଆଫଗାନିସ୍ତାନ ପାଇଁ ନିଯୁକ୍ତ ନାଟୋର ବରିଷ୍ଠ ପ୍ରତିନିଧି ଷ୍ଟିଫାନୋ ପୋଣ୍ଟେକର୍ଭୋ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। କମ୍ ଦିନର ବ୍ୟବଧାନରେ କାବୁଲ ସ୍ଥିତ ଶିକ୍ଷାନୁଷ୍ଠାନ ଉପରେ ଦ୍ବିତୀୟ ଥର ପାଇଁ ଏହି ଆକ୍ରମଣ ହୋଇଛି। ଗତମାସରେ ଅନ୍ୟ ଏକ କୋଚିଂ ପ୍ରତିଷ୍ଠାନ ଉପରେ ବଡ଼ ଧରଣର ଆକ୍ରମଣ ହୋଇଥିଲା। ଏଥିରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ରହିଥିଲେ। ହିଂସା ପ୍ରପୀଡ଼ିତ ଆଫଗାନିସ୍ତାନରେ ଶାନ୍ତି ଫେରାଇ ଆଣିବା ଲାଗି କତାରଠାରେ ତାଲିବାନ ଓ ସରକାରୀ ପ୍ରତିନିଧିଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି। ଏହି ସମୟରେ କାବୁଲ ବିଶ୍ବବିଦ୍ୟାଳୟ ଉପରେ ଆକ୍ରମଣ ଆଫଗାନବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe