Terrorist module: ଆତଙ୍କୀ ମଡ୍ୟୁଲ୍‌ର ‘ଅପରେସନ୍‌ ଡି-୬’ ଯୋଜନା

ଦିଲ୍ଲୀର ଲାଲକିଲ୍ଲା ନିକଟରେ ଗତ ସପ୍ତାହରେ ହୋଇଥିବା ବିସ୍ଫୋରଣ ଘଟଣା ସହ ଜଡ଼ିତ ଜେଇଏମ୍‌ (ଜୈସ-ଏ-ମହମ୍ମଦ)ର ‘ହ୍ବାଇଟ୍‌ କଲାର ମଡ୍ୟୁଲ୍‌’ ଡି‌ସେମ୍ବର ୬ ତାରିଖରେ  ବିଭିନ୍ନ...

Untitled-2

ନୂଆଦିଲ୍ଲୀ:  ଦିଲ୍ଲୀର ଲାଲକିଲ୍ଲା ନିକଟରେ ଗତ ସପ୍ତାହରେ ହୋଇଥିବା ବିସ୍ଫୋରଣ ଘଟଣା ସହ ଜଡ଼ିତ ଜେଇଏମ୍‌ (ଜୈସ-ଏ-ମହମ୍ମଦ)ର ‘ହ୍ବାଇଟ୍‌ କଲାର ମଡ୍ୟୁଲ୍‌’ ଡି‌ସେମ୍ବର ୬ ତାରିଖରେ  ବିଭିନ୍ନ ସହରରେ ଭୟାନକ ଆତ୍ମଘାତୀ ଆକ୍ରମଣ ଯୋଜନା କରିଥିଲା। ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଆଜି ଏ ନେଇ ନୂଆ ତଥ୍ୟ ଜାରି କରିଛି।  ଫରିଦାବାଦ ଏବଂ ଜମ୍ମୁ କାଶ୍ମୀରରୁ ଗିରଫ  ଆତଙ୍କୀ ଓ ସନ୍ଦିଗ୍ଧଙ୍କୁ ଜେରାରୁ ଜଣାପଡ଼ିଛି ଯେ ଏହି ‘ଟେରର୍‌ ମଡ୍ୟୁଲ୍‌’ ଯେଉଁ ଆକ୍ରମଣ ଯୋଜନା କରିଥିଲା  ତାର ନାଁ ଦିଆଯାଇଥିଲା ‘ ଅପରେସନ୍‌ ଡି-୬’। ସୂଚନାନୁଯାୟୀ ଏହି ଆତଙ୍କୀ ମଡ୍ୟୁଲ୍‌ ବହୁ ସଂଖ୍ୟକ କାର୍‌ ବୋମା ଦ୍ବାରା ଆତ୍ମଘାତୀ ଆକ୍ରମଣ ଯୋଜନା କରିଥିଲା। ସେମାନେ ଅନେକ ସପ୍ତାହ ପୂର୍ବରୁ ଏଥିପାଇଁ ଯୋଜନା କରିଥିଲେ। ଅଭିଯୁକ୍ତମାନେ ବାବ୍ରି ମସଜିଦ ଭଙ୍ଗ ବାର୍ଷିକୋତ୍ସବ ଅବସରରେ ବିଭିନ୍ନ ସହରରେ ଆତ୍ମଘାତୀ ବିସ୍ଫୋରଣ ପାଇଁ ଯୋଜନା କରିଥିଲେ ଏବଂ ଏହାଦ୍ବାରା ଦେଶକୁ  ଭୀଷଣ ଅସ୍ଥିରତା ଭିତରକୁ ଠେଲିଦେବା ସେମାନଙ୍କ ଲକ୍ଷ୍ୟ ଥିଲା।  ସେମାନେ ଏକ ଭୟାବହ ଦୁଇ ଥାକିଆ ଆକ୍ରମଣ ଯୋଜନା କରିଥିଲେ।  ତେବେ ଏହି ଆକ୍ରମଣ ଯୋଜନା ପଣ୍ଡ ‌ହେବା ଫଳରେ ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ସେମାନଙ୍କ ‘ପ୍ଲାନ୍‌ ବି’ ଅଭିଯାନ ବୋଲି ତଦନ୍ତକାରୀ ଦଳ ଦାବି କରିଛନ୍ତି।  

ଗିରଫ ହୋଇଥିବା ସନ୍ଦିଗ୍ଧଙ୍କ ସଂପର୍କରେ ତଦନ୍ତରୁ ଜଣାପଡ଼ିଛି ଯେ ଡାକ୍ତର ଶାହିନ ସୟିଦ ଏବଂ ଉମର  ଏହି ଆକ୍ରମଣ ଯୋଜନାର ମୁଖ୍ୟ ଷଡ୍‌ଯନ୍ତ୍ରକାରୀ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡାକ୍ତର ଶାହିନକୁ ଦେଶରେ ଜେଇଏମ୍‌ର ମହିଳା ଶାଖାର ନେତୃତ୍ବ ନେବା ଦାୟିତ୍ବ ଦିଆଯାଇଥିଲା।  ଅନ୍ୟପକ୍ଷେ ଉମର ଅନେକ ଯୁବକଙ୍କୁ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରସ୍ତୁତ କରାଉଥିଲା। ଡି‌ସେମ୍ବର ୬ ଆକ୍ରମଣ ପାଇଁ ଫରିଦାବାଦରେ ବିସ୍ଫୋରକ ଗଚ୍ଛିତ ରଖାଯାଇଥିଲା। ଡାକ୍ତର ଶାହିନ ନିକଟରୁ ମିଳିଥିବା ଡାଏରିରୁ ଅତି ଭୟାନକ ଆକ୍ରମଣ ଯୋଜନା ସଂପର୍କରେ ଜଣାପଡ଼ିଛି।

ଉମରର ଘନିଷ୍ଠ ସହଯୋଗୀ ଜସିର୍‌ ବିଲାଲ ୱାନି ଗିରଫ

 ଦିଲ୍ଲୀ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଆତଙ୍କବାଦୀ ଉମରର ଅନ୍ୟ ଜଣେ ସହଯୋଗୀ ଜସିର୍‌ ବିଲାଲ ୱାନି ଓରଫ ଡାନିସ୍‌କୁ ଗିରଫ କରିଛି।  ଜମ୍ମୁ କାଶ୍ମୀରର ଶ୍ରୀନଗରରୁ ଜସିର୍‌ ଗିରଫ ହୋଇଛି ଏବଂ ସେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ହମାସ୍‌ ଆତଙ୍କୀଙ୍କ ଭଳି ଡ୍ରୋନ୍‌ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲା ବୋଲି ଜଣାପଡ଼ିଛି।   ଜସିର୍‌ ଆତଙ୍କବାଦୀ ଉମରକୁ ବୈଷୟିକ ସମର୍ଥନ ପ୍ରଦାନ କରୁଥିଲା ଏବଂ ଡ୍ରୋନ୍‌ ମାଧ୍ୟମରେ ଆକ୍ରମଣ ପାଇଁ ବ୍ୟାପକ ପ୍ରସ୍ତୁତି କରୁଥିଲା। ଏନ୍‌ଆଇଏ ଅନୁଯାୟୀ ଜସିର୍‌ ହେଉଛି ଆତଙ୍କବାଦୀ ଉମରର ଘନିଷ୍ଠ ସହ‌ଯୋଗୀ। ଅନନ୍ତନାଗର କ୍ବାଜିକୁନ୍ଦରେ ତା’ ଘର।  ଦିଲ୍ଲୀ ବିସ୍ଫୋରଣ ମାମଲାରେ ତା’ର ସକ୍ରିୟ ଭୂମିକା ରହିଥିଲା ଏବଂ   ଉମର ସହ ସେ ବିସ୍ଫୋରଣ ଯୋଜନା କରିଥିଲା।  ଇତିମଧ୍ୟରେ ଜାଣିବାକୁ ମିଳିଛି ଯେ ଦିଲ୍ଲୀରୁ ଗିରଫ ହୋଇଥିବା ଅମୀର ରସିଦ ଅଲି ବିସ୍ଫୋରଣ ପୂର୍ବରୁ ଉମରକୁ ସୁରକ୍ଷିତ ଆଶ୍ରୟ ପ୍ରଦାନ କରିଥିଲା ଏବଂ ଶତାଧିକ ଆଇଇଡି ତିଆରି କରିବାରେ ସହଯୋଗ କରିଥିଲା।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe