ନଖୋନ୍ ରାଚାସୀମା: ଉତ୍ତର ପୂର୍ବ ଥାଇଲାଣ୍ଡ୍ର ନଖୋନ ରାଚାସୀମାରେ ଆଜି ଜଣେ ସୈନିକଙ୍କ ବର୍ବର କାଣ୍ଡ ଆଲୋଡ଼ନ ସୃଷ୍ଟି କରିଛି। ବ୍ୟାଂକକ୍ଠାରୁ ୨୫୦ କିମି ଦୂରରେ ଥିବା ଏହି ସହରର ବିଭିନ୍ନ ସ୍ଥାନରେ ଆଖି ବୁଜା ଗୁଳିଚାଳନା କରି ସୈନିକ ଜଣଙ୍କ ୨୦ ଜଣଙ୍କ ଜୀବନ ନେଇଛନ୍ତି। ଆକ୍ରମଣକାରୀ ସୈନିକ ପ୍ରଥମେ ଏକ ମେସିନ୍ ଗନ୍ରୁ ତାଙ୍କ କମାଣ୍ଡର ଏବଂ ଅନ୍ୟ ଦୁଇ ଜଣ ସୈନିକଙ୍କୁ ଏକ ସାମରିକ ଶିବିରରେ ଗୁଳି କରି ହତ୍ୟା କରିବାପରେ ମୁଆଙ୍ଗ୍ ଜିଲ୍ଲାର ଟର୍ମିନାଲ୍ ସପିଙ୍ଗ୍ ମଲ୍ ସମ୍ମୁଖ ରାସ୍ତାରେ ଆଖି ବୁଜା ଗୁଳି ମାଡ଼ କରିଥିଲେ। ଏଥିରେ ଆଉ ୧୭ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଏହି ସୈନିକଙ୍କ ନାମ ହେଉଛି ଜକ୍ରପନ୍ଥ ଥୋମ୍ମା। ସେ ଏବେ ମଲ୍ ନିକଟରେ କେଉଁଠି ଲୁଚି ରହିଥିବାରୁ ପୁଲିସ ତାଙ୍କୁ କାବୁ କରିବା ପାଇଁ ବଡ଼ ଧରଣର ଅପରେସନ ଆରମ୍ଭ କରିଛି। ସୈନିକ ଜଣଙ୍କ ଏହି ଗୁଳି କାଣ୍ଡ ଘଟାଇବାର କିଛି ସମୟ ପୂର୍ବରୁ ତାଙ୍କ ଫେସବୁକ୍ ପେଜ୍ରେ ଲେଖିଥିଲେ - ମୃତ୍ୟୁ ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ । ନିଜ ହାତରେ ଏକ ବନ୍ଧୁକ ଧରି ମଧ୍ୟ ସେ ଫଟୋ ପୋଷ୍ଟ୍ କରିଥିଲେ। ପରେ ଏହି ଫେସବୁକ୍ ପେଜ୍ ପ୍ରତ୍ୟାହାର କରାଯାଇଥିବା ଜଣାପଡ଼ିଛି।
ଥାଇଲାଣ୍ଡ୍ରେ ସୈନିକଙ୍କ ବର୍ବର କାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୨୦ ମୃତ
Advertisment
Follow Us