ନୂଆଦିଲ୍ଲୀ : ଉଦ୍ଧବ ଠାକ୍ରେ ଓ ଏକନାଥ ସିନ୍ଦେଙ୍କ ମଧ୍ୟରେ ଶିବସେନା ଦଳ ନିୟନ୍ତ୍ରଣକୁ ନେଇ ଚାଲିଥିବା ଲଢ଼େଇ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି। ସଂଖ୍ୟାଗରଷ୍ଠିତା ପ୍ରମାଣ ପାଇଁ ଦୁଇପକ୍ଷକୁ କାଗଜପତ୍ରର ପ୍ରମାଣ ଅଗଷ୍ଟ ୮ ତାରିଖ ସୁଦ୍ଧା ଦାଖଲ କରିବା ଲାଗି ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ କମିସନ ଉକ୍ତ ମାମଲାର ଶୁଣାଣି କରିବେ। ଦଳରେ ଦେଖାଦେଇଥିବା ବିବାଦ ସଂପର୍କରେ ଦୁଇ ପକ୍ଷ ଲିଖିତ ଭାବେ ବିସ୍ତୃତ ସୂଚନା ଦେବାପାଇଁ କୁହାଯାଇଛି।
ନିର୍ବାଚନ କମିସନଙ୍କୁ ଚିଠି ଲେଖି ସିନ୍ଦେ ଗୋଷ୍ଠୀ ଜଣାଇଥିଲେ ଯେ ସେମାନଙ୍କ ପାଖରେ ୫୫ ବିଧାୟକଙ୍କ ମଧ୍ୟରୁ ୪୦ ବିଧାୟକଙ୍କର ଓ ୧୮ ସାଂସଦଙ୍କ ମଧ୍ୟରୁ ୧୨ ସାଂସଦଙ୍କର ସମର୍ଥନ ରହିଛି। ତେଣୁ ଦଳରେ ବିଭାଜନ ହୋଇଛି। ଗୋଟିଏ ଗୋଷ୍ଠୀ ସିନ୍ଦେଙ୍କ ଦ୍ବାରା ଏବଂ ଅନ୍ୟ ଗୋଷ୍ଠୀଟି ଠାକ୍ରେଙ୍କ ନେତୃତ୍ବରେ ପରିଚାଳିତ ହେଉଛି। ତେବେ ଉଭୟ ଗୋଷ୍ଠୀ ପ୍ରକୃତ ଶିବସେନା ଭାବେ ଦାବି କରୁଛନ୍ତି। ଉଭୟ ପକ୍ଷରୁ ଦସ୍ତାବିଜ ମିଳିବା ପରେ ତାହାକୁ ପରସ୍ପର ମଧ୍ୟରେ ବିନିମୟ କରାଯିବ। କାଗଜପତ୍ରର ପ୍ରମାଣ ଓ ଲିଖିତ ବିବୃତି ପାଇବା ପରେ ହିଁ ଯାଇ ବିସ୍ତୃତ ଶୁଣାଣି କରାଯିବ ବୋଲି ନିର୍ବାଚନ କମିସନ କହିଛନ୍ତି।
Follow Us