ସୁପ୍ରିମକୋର୍ଟରେ ଠାକ୍‌ରେ-ସିନ୍ଦେ ଗୋଷ୍ଠୀ ବିବାଦ: ବଡ଼ ଖଣ୍ଡପୀଠରେ ଶୁଣାଣି ହେବ!

ଅଗଷ୍ଟ ୧ରେ ପରବର୍ତ୍ତୀ ଶୁଣାଣି

ସୁପ୍ରିମକୋର୍ଟରେ ଠାକ୍‌ରେ-ସିନ୍ଦେ ଗୋଷ୍ଠୀ ବିବାଦ: ବଡ଼ ଖଣ୍ଡପୀଠରେ ଶୁଣାଣି ହେବ!

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିଲା। କୋର୍ଟ ଆଜି ଉଭୟ ଉଦ୍ଧବ ଠାକ୍‌ରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠୀ ପକ୍ଷରୁ ହୋଇଥିବା ମୋଟ ୬ଟି ଆବେଦନର ଶୁଣାଣି କରିଛନ୍ତି। କୋର୍ଟ ଏହି ୬ଟି ଆବେଦନ ଉପରେ ସମସ୍ତ ପକ୍ଷଙ୍କୁ ନୋଟିସ୍‌ କରିଛନ୍ତି ଏବଂ ସପ୍ତାହକ ମଧ୍ୟରେ ଜବାବ ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧ରେ ହେବ। ଜଷ୍ଟିସ ଏନ୍‌ଭି ରମଣା‌, ଜଷ୍ଟିସ କ୍ରୀଷ୍ଣା ମୁରାରି ଏବଂ ହିମା କୋହଲିଙ୍କ ଖଣ୍ଡପୀଠ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅନ୍ୟ ୧୪ ଜଣ ଶିବସେନା ବିଧାୟକଙ୍କ ଗୋଟିଏ ଆବେଦନ ଏବଂ ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ୫ଟି ଆବେଦନର ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ରମଣା କହିଛନ୍ତି, ଆବେଦନରେ ଆସିଥିବା କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ସାମ୍ବିଧାନିକ ପ୍ରଶ୍ନ ଉଠିଥିବାରୁ ବୃହତ୍ତର ଖଣ୍ଡପୀଠରେ ଏହାର ବିଚାରଣ ହେବା ଆବଶ୍ୟକ। ତେବେ ମାମଲାକୁ ବୃହତ୍ତର ଖଣ୍ଠପୀଠକୁ ପଠାଯାଇ ନାହିଁ ଏବଂ ଏନେଇ ବିଚାରବିମର୍ଶ ଜାରି ରହିଛି।

ବିଦ୍ରୋହୀ ବିଧାୟକମାନେ ଗୌହାଟୀରେ ଥିବା ସମୟରେ ଉପବାଚସ୍ପତି ନରହରି ଜିରୱାଲ ଏକନାଥ ସିନ୍ଦେ ଏବଂ ଅନ୍ୟ ୧୪ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ନୋଟିସ୍‌ କରିଥିଲେ। ତେବେ ଏହାକୁ ବିରୋଧ କରି ସିନ୍ଦେ ଗୋଷ୍ଠୀ କୋର୍ଟରେ ଆବେଦନ କରିଥିଲେ। ଅନ୍ୟପକ୍ଷେ ଠାକ୍‌ରେ ଗୋଷ୍ଠୀ ନୂଆ ବାଚସ୍ପତି ରା‌ହୁଲ ନର୍ବେକରଙ୍କ ପଦକ୍ଷେପ, ବାଚସ୍ପତି ବିଏସ୍‌ କୋଶୟାରୀ ଠାକ୍‌ରେ ସରକାରକୁ ସଂଖ୍ୟାଗରିଷ୍ଠତା ପ୍ରମାଣ ନିର୍ଦ୍ଦେଶ ଦେବା ଏବଂ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ନିଲମ୍ବନ ଦାବି କରି ଆବେଦନ କରିଥିଲେ। ଠାକ୍‌ରେ ଗୋଷ୍ଠୀ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ଆଜି କୋର୍ଟରେ କହିଥିଲେ, ସିନ୍ଦେ ଗୋଷ୍ଠୀ ବିଧାୟକମାନେ ଜାରି ହୋଇଥିବା ହ୍ବିପ୍‌କୁ ଅବମାନନା କରିଛନ୍ତି। ତେଣୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଉଚିତ। ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ରାଜ୍ୟପାଳ ସେମାନଙ୍କୁ ଶପଥ ନେବା ପାଇଁ ଅନୁମତି ଦେବା ଉଚିତ ନଥିଲା। ଅନ୍ୟପକ୍ଷେ ସିନ୍ଦେ ଗୋଷ୍ଠୀ ପକ୍ଷରୁ ହରିଶ ସାଲ୍‌ଭେ କହିଥିଲେ, ଆମେ କ’ଣ ଏଭଳି ଅସହାୟ ସ୍ଥିତିରେ ପହଞ୍ଚିଛେ ଯେ ୨୦ ବିଧାୟକଙ୍କ ସମର୍ଥନ ପାଇପାରୁନଥିବା ଜଣେ ବ୍ୟକ୍ତିଙ୍କୁ କୋର୍ଟଙ୍କ ଦ୍ବାରା କ୍ଷମତାକୁ ଫେରାଇ ଆଣିବା। ସେ କହିଛନ୍ତି, ସିନ୍ଦେ ଗୋଷ୍ଠୀର ବିଧାୟକଙ୍କର ଦଳ ମଧ୍ୟରେ ଗଣତାନ୍ତ୍ରିକ ଅଧିକାର ଅଛି। ତେଣୁ ଦଳ ମଧ୍ୟରେ ସ୍ବର ଉତ୍ତୋଳନ କ‌ରିବା ଆଦୌ ଦଳ ବିରୋଧୀ କାର୍ଯ୍ୟ ନୁହେଁ ଏବଂ ଏହାଦ୍ବାରା କାହାକୁ ଅଯୋଗ୍ୟ ଘୋଷଣା କରାଯାଇପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe