‘ଥ୍ୟାଙ୍କ୍‌ ୟୁ, ଧନ୍ୟବାଦ, ଜୟ ହିନ୍ଦ୍‌’ କହି ସେନାଧ୍ୟକ୍ଷ ପଦକୁ ବିଦାୟ ଦେଲେ ଜେନେରାଲ୍‌ ବିପିନ ରାୱତ

‘ଥ୍ୟାଙ୍କ୍‌ ୟୁ, ଧନ୍ୟବାଦ, ଜୟ ହିନ୍ଦ୍‌’ କହି ସେନାଧ୍ୟକ୍ଷ ପଦକୁ ବିଦାୟ ଦେଲେ ଜେନେରାଲ୍‌ ବିପିନ ରାୱତ

Hindustan Times

ନୂଆଦିଲ୍ଲୀ: ସେନାମୁଖ୍ୟ ଜେନେରାଲ ବିପିନ୍ ରାଓ୍ଵତ୍‌ ଆଜି (‌ମଙ୍ଗଳବାର) ନିଜ ପଦରୁ ଅବସର ଗ୍ରହଣ କରିବା ପରିପ୍ରେକ୍ଷୀରେ ଭାରତୀୟ ସେନାର ସମର୍ଥନ ଓ ସହଯୋଗ ପାଇଁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ୩ ବର୍ଷର କାର୍ଯ୍ୟକାଳ ସାରି ପଦରୁ ଅବସର ନେଉଥିବା ଜେନେରାଲ୍‌ ରାୱତ କହିଛନ୍ତି, ‘ଆଜି ମୁଁ ସେନାଧ୍ୟକ୍ଷ ପଦରୁ ବିଦାୟ ନେଉଛି। ଆହ୍ବାନମୂଳକ ସମୟମାନଙ୍କରେ ମୋ ସହ ରହିଥିବାରୁ ଭାରତୀୟ ସେନାର ସୈନିକ ଓ ଅଧିକାରୀମାନଙ୍କୁ ମୁଁ ମୋର କୃତଜ୍ଞତା ଜଣାଉଛି। ସେନାମୁଖ୍ୟ କେବଳ ଏକ ରାଙ୍କ୍‌ ମାତ୍ର। ସମସ୍ତଙ୍କ ସହାୟତା ନଥିଲେ ମୁଁ କ‌େବେ ବି ଏକା କାମ କରିପାରିନଥାନ୍ତି। ଥ୍ୟାଙ୍କ୍‌ ୟୁ, ଧନ୍ୟବାଦ, ଜୟ ହିନ୍ଦ୍‌।’

ଦେଶର ସର୍ବପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଭାବେ ନିଯୁକ୍ତି  ପାଇବା ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରାୱତ୍‌ କହିଛନ୍ତି, ‘ଜଣେ ସେନାଧ୍ୟକ୍ଷ ହିସାବରେ ମୁଁ ମୋର ବର୍ତ୍ତମାନର ଦାୟିତ୍ବ ଉପରେ ଧ୍ୟାନ ଦେଉଛି।  ଅନ୍ୟ କିଛି ବିଷୟରେ ମୁଁ ଭାବିନାହିଁ। ଏବେ ଏକ ନୂଆ କାର୍ଯ୍ୟ ମୋତେ ଦିଆଯାଇଛି, ମୁଁ ଏ ବିଷୟରେ ଚିନ୍ତା କରିବି ଯେ ଜଣେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଭାବେ କ’ଣ ଓ କେମିତି କରିବା ଉଚିତ।’ ଏହାବ୍ୟତୀତ ତାଙ୍କ ସ୍ଥାନରେ ୨୮ତମ ସେନାଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ମନୋଜ ମୁକୁନ୍ଦ ନରଭାଣେଙ୍କୁ ସେ ନିଜର ଶୁଭେଚ୍ଛା ଜଣାଇଛନ୍ତି।

publive-image Times Now

ଉଲ୍ଲେଖଯୋଗ୍ୟ, ଗତ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ନୂତନ ଭାବେ ସୃଷ୍ଟି ହେବାକୁ ଥିବା ଏହି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପଦବୀକୁ ବିଧିବଦ୍ଧ ଭାବେ ମଞ୍ଜୁରି ମଳିବା ସହ ଏହି ପଦବୀର କାର୍ଯ୍ୟଧାରାକୁ ମଧ୍ୟ ଚୂଡ଼ାନ୍ତ କରାଯାଇଥିଲା। ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ତିନିସେନା- ସ୍ଥଳ, ବାୟୁ ଓ ନୌସେନାର- ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କର ପ୍ରମୁଖ ଉପଦେଷ୍ଟା ଭାବେ ମଧ୍ୟ ନିଜର ଦାୟିତ୍ୱ ନିର୍ବାହ କରିବେ। ଭାରତୀୟ ସେନା ଆଇନ୍‌, ୧୯୫୪କୁ ସଂଶୋଧନ କରି କେନ୍ଦ୍ର ସରକାର ଏହି ନୂତନ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପଦବୀର ସୃଷ୍ଟି କରିଛନ୍ତି। ସେହି ଅନୁସାରେ ଦେଶର ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌ଙ୍କୁ ସରକାର ଦେଶର ସର୍ବପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଭାବେ ସୋମବାର ନିଯୁକ୍ତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe