ନୂଆଦିଲ୍ଲୀ: ନ୍ୟୁୟର୍କ ସିଟି ମେୟର ଜୋହରାନ ମାମଦାନୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଏକ ବୈଠକ ଉପରେ କଂଗ୍ରେସ ସାଂସଦ ଶଶି ଥରୁର ପ୍ରତିକ୍ରିୟା ରଖିଛନ୍ତି।। ମେୟର ନିର୍ବାଚନ ପୂର୍ବରୁ ଉଭୟ ଟ୍ରମ୍ପ ଓ ମାମଦାନୀଙ୍କ ମଧ୍ୟରେ ପ୍ରବଳ ତିକ୍ତତା ଦେଖିବାକୁ ମିଳିଥିଲା। କିନ୍ତୁ ହ୍ବାଇଟ ହାଉସ୍ରେ ହୋଇଥିବା ଟ୍ରମ୍ପ ଏବଂ ମାମଦାନୀଙ୍କ ବୈଠକ ବେଶ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା। ଏହି ବୈଠକର ଏକ ଭିଡିଓ ଉପରେ ଜବାବ ରଖି ଥରୁର କହିଛନ୍ତି, ଏମିତି ହିଁ ଗଣତନ୍ତ୍ର କାମ କରିବା ଉଚିତ। ଭାରତରେ ସେ ଏଭଳି ପରିବେଶ ଦେଖିବାକୁ ପସନ୍ଦ କରିବେ।
‘ନିର୍ବାଚନରେ ନିଜର ମତ ପାଇଁ ଆବେଗର ସହ ଲଢ଼ନ୍ତୁ। କିନ୍ତୁ ନିର୍ବାଚନ ସରିବାପରେ ଏବଂ ଲୋକମାନେ ସେମାନଙ୍କ ନିଷ୍ପତ୍ତି ଜଣାଇବାପରେ ଦେଶର ସ୍ବାର୍ଥ ପାଇଁ ମିଳିତ ଭାବେ କାମ କରିବା ଶିଖନ୍ତୁ’ ବୋଲି ଥରୁର ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି। ଥରୁରଙ୍କ ଏହି ବାର୍ତ୍ତା କଂଗ୍ରେସ ପାଇଁ ସିଧାସଳଖ ଉଦ୍ଦିଷ୍ଟ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଓଭଲ ଅଫିସରେ ବୈଠକ ପରେ ଟ୍ରମ୍ପ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି ଯେ ମାମଦାନୀଙ୍କ ସହ ବୈଠକ ଖୁବ୍ ଫଳପ୍ରଦ ହୋଇଛି ଏବଂ ନ୍ୟୁୟର୍କକୁ ଜଣେ ଶ୍ରେଷ୍ଠ ମେୟର ମିଳିବେ। ମାମଦାନୀଙ୍କୁ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି, ଏହି ନେତା ବହୁତ ଭଲ କାମ କରିବେ ବୋଲି ସେ ଆଶା ରଖିଛନ୍ତି।
Follow Us