୨୬ ବର୍ଷର ଇସ୍ରୋ ଗୁପ୍ତଚର ମାମଲାର ଅନ୍ତ, ବୈଜ୍ଞାନିକ ନାମ୍ବି ନାରାୟଣଙ୍କୁ ମିଳିଲା ୧.୩ କୋଟି କ୍ଷତିପୂରଣ

Advertisment
୨୬ ବର୍ଷର ଇସ୍ରୋ ଗୁପ୍ତଚର ମାମଲାର ଅନ୍ତ, ବୈଜ୍ଞାନିକ ନାମ୍ବି ନାରାୟଣଙ୍କୁ ମିଳିଲା ୧.୩ କୋଟି କ୍ଷତିପୂରଣ

New Indian Express

ତିରୁବନନ୍ତପୁରମ୍‌: କେରଳ ସରକାର ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ପୂର୍ବତନ ବୈଜ୍ଞାନିକ ନାମ୍ବି ନାରାୟଣନଙ୍କୁ କୋଟିଏ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବା ପୂର୍ବକ ତାଙ୍କ ବିରୋଧରେ ଦୀର୍ଘ ୨୬ ବର୍ଷ ହେଲା ଚାଲିଥିବା ଏକ ଗୁପ୍ତଚର ମାମଲାର ଅନ୍ତ ଘଟାଇଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଅନ୍ୟମାନଙ୍କ ଘୃଣାର ଶିକାର ହୋଇ ସେ ଏକାଧିକ ବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମାତ୍ର ନ୍ୟାୟ ତଥା ସତ୍ୟର ପରିପ୍ରକାଶ ପାଇଁ ସେ ବଞ୍ଚି ରହିଥିଲେ ବୋଲି ୭୯ ବର୍ଷୀୟ ନାରାୟଣନ୍‌ ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ। ଅପରପକ୍ଷେ, ରକେଟ୍‌ ଉତ୍‌କ୍ଷେପଣ ଜ୍ଞାନକୌଶଳରେ ନିଜର ଅସାଧାରଣ ଅବଦାନ ପାଇଁ ବୈଜ୍ଞାନିକ ନାରାୟଣଙ୍କୁ ଗତବର୍ଷ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି।

ମାମଲାର ବିବରଣୀ ଅନୁଯାୟୀ, ୧୯୯୪ ମସିହାରେ ଇସ୍ରୋର ଦୁଇ ବୈଜ୍ଞାନିକ ନାମ୍ବି ନାରାୟଣନ୍‌ ଓ ଡି ଶଶିକୁମାରନ୍‌ ଅର୍ଥ ଏବଂ ଯୌନ ଲାଳସାରେ କିଛି ଗୁରୁତ୍ବପୂର୍ଣ୍ଣ ଗବେଷଣାତ୍ମକ ତଥ୍ୟ କୌଣସି ଶତ୍ରୁଦେଶକୁ ଚାଲାଣ କରିଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ପୁଲିସ ଦ୍ବାରା ରୁଜୁ ଏହି ମାମଲାରେ ମାଳଦ୍ବୀପର ଦୁଇଜଣ ମହିଳା ମଧ୍ୟ ଗିରଫ ହୋଇଥିଲେ। ଏହି ଘଟଣା ସେତେବେଳେ ଦେଶରେ ହଇଚଇ ସୃଷ୍ଟି କରିବା ସହ ତତ୍କାଳୀନ କେରଳ ମୁଖ୍ୟମନ୍ତ୍ରୀ କେ କରୁଣାକରନ୍‌ଙ୍କୁ ପଦବି ଛାଡ଼ିବାକୁ ପଡ଼ିଥିଲା। ୧୯୯୮ର ସିବିଆଇ ତଦନ୍ତ ରିପୋର୍ଟକୁ ଗ୍ରହଣ କରି ସୁପ୍ରିମକୋର୍ଟ ୨୦୧୮ରେ ନାରାୟଣନ୍‌ଙ୍କ ବିରୋଧରେ ରୁଜୁ ଥିବା ମାମଲାକୁ ରଦ୍ଦ କରିଦେଇଥିଲେ। ଏଥି ସହିତ ନାରାୟଣନ୍‌ଙ୍କୁ ଅଯଥାରେ ଗିରଫ କରାଯାଇଛି ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ କରିବା ସହ ତାଙ୍କୁ ୫୦ ଲକ୍ଷ ଟଙ୍କାର ଅନ୍ତରୀଣ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ କରିଥିଲେ। ଏପରିକି ଏହାଠାରୁ ଅଧିକ ପାଇବା ପାଇଁ ସେ ଯୋଗ୍ୟ ଏବଂ ଏଥିପାଇଁ ସେ ତଳ କୋର୍ଟରେ ଆବେଦନ କରିବାକୁ ସୁପ୍ରିମ୍‌କୋର୍ଟ ପରାମର୍ଶ କରିଥିଲେ। ପୂର୍ବରୁ ଜାତୀୟ ମାନବିକ ଅଧିକାର କମିସନ ମଧ୍ୟ ନାରାୟଣଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ କେରଳ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରାକ୍ତନ ମୁଖ୍ୟ ଶାସନ ସଚିବ କେ ଜୟକୁମାର ବୈଜ୍ଞାନିକ ନାରାୟଣଙ୍କ ସହ ଆଲୋଚନା କରି ଏହି କ୍ଷତିପୂରଣ ରାଶି ଧାର୍ଯ୍ୟ କରିଥିଲେ। ଆଜି ଏହି ୧.୩ କୋଟି ଚଙ୍କାର ଚେକ୍ ଗ୍ରହଣ ପରେ ତାଙ୍କର ଲଢ଼େଇ ଅନ୍ୟାୟ ବିରୋଧରେ ରହିଥିଲା ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe