ଆଦାନି ଝଡ଼ ଥମୁନି, ସଂସଦରେ ପ୍ରବଳ ହଟ୍ଟଗୋଳ

Advertisment

ଆଦାନି ଗ୍ରୁପ୍‌ ବିରୋଧରେ ତଦନ୍ତ ଦାବି, ଉଭୟ ଗୃହରେ ଅଚଳାବସ୍ଥା

ଆଦାନି ଗ୍ରୁପ୍‌ ବିରୋଧରେ ତଦନ୍ତ ଦାବି, ଉଭୟ ଗୃହରେ ଅଚଳାବସ୍ଥା

ଆଦାନି ଝଡ଼ ଥମୁନି, ସଂସଦରେ ପ୍ରବଳ ହଟ୍ଟଗୋଳ

ନୂଆଦିଲ୍ଲୀ : ଆଦାନି-ହିଣ୍ଡେନବର୍ଗ ରିପୋର୍ଟକୁ ବିରୋଧ କରି ଶୁକ୍ରବାର ଦିନ ବିରୋଧୀ ଦଳ ନେତାମାନେ ଲଗାତାର ଦ୍ବିତୀୟ ଦିନ ପାଇଁ ସଂସଦରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଆଜି ହାଇଡ୍ରାମା ହୋଇଛି। ହଙ୍ଗାମା ଯୋଗୁଁ ୨ ଦିନ ଧରି ଗୃହରେ ସ୍ବାଭାବିକ କାମ ହୋଇପାରି ନାହିଁ। ବିରୋଧୀ ଦଳ ନେତାମାନେ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଗୃହରେ ଆଲୋଚନା ଦାବି କରିଥିଲେ। ଆଦାନି ଗ୍ରୁପ୍‌ ଦ୍ବା‌ରା ହୋଇଥିବା ‌ଷ୍ଟକ୍‌ ଜାଲିଆତି ଘଟଣା‌ରେ ସେମାନେ ସଂସଦୀୟ କମିଟି ଏବଂ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ କମିଟି ଦ୍ବାରା ତଦନ୍ତ ଦାବି କରିଛନ୍ତି।

ତେବେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ବିରୋଧୀ ଦଳ ସଦସ୍ୟଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ ବିରୋଧୀଙ୍କ ଦ୍ବାରା ଅଣାଯାଇଥିବା ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଫଳରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯ‌ାଇ ସ୍ଲୋଗାନ୍‌ ଦେଇ ହଟ୍ଟଗୋଳ କରିଥିଲେ। ଲୋକସଭାରେ ଆଜି କଂଗ୍ରେସ, ଟିଏମ୍‌ସି, ଡିଏମ୍‌କେ ଏବଂ ଜେଡିୟୁ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ‘ଆଦାନୀ ସରକାର ହାଏ ହାଏ’ ଏବଂ ‘ୱି ୱାଣ୍ଟ ଜେପିସି’ କହି ସ୍ଲୋଗାନ ଦେଇଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଥିଲା। ଫଳରେ ଉଭୟ ଗୃହକୁ ଆସନ୍ତା ଫେବ୍ରୁଆରି ୬ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ଆଜି ଗୃହକାର୍ଯ୍ୟ ଆରମ୍ଭ ‌ହେବା ପୂର୍ବରୁ ୧୬ ବିରୋଧୀ ଦଳର ନେତାମାନେ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ତାଙ୍କ ଚ୍ୟାମ୍ବରରେ ଭେଟିଥିଲେ। ଏହାପରେ ସେମାନେ ଆଦାନି ଗ୍ରୁପ୍‌ ବିରୋଧରେ ଆସିଥିବା ହିଣ୍ଡେନବର୍ଗ ରିପୋର୍ଟ ଉପରେ ଆଲୋଚନା ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe