ସନ୍ତୁର ଗୁରୁ ପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକ

ସନ୍ତୁର ଗୁରୁ ପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକ

ମୁମ୍ବାଇ: ଭାରତର ବିଶିଷ୍ଟ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କର ମୁମ୍ବାଇଠାରେ ଆଜି ସକାଳ ୯ଟାରେ ୮୪ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ଘଟିଛି। ସେ ଗତ ଛଅମାସ ହେଲା କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ଡାୟାଲିସିସ୍ ଚାଲିଥିଲା। ଏକଦା ବିଶେଷ ଜଣାଶୁଣା ନ ଥିବା ଜମ୍ମୁ-କାଶ୍ମୀରର ଆଞ୍ଚଳିକ ବାଦ୍ୟଯନ୍ତ୍ର ସନ୍ତୁରକୁ ସେ ଶାସ୍ତ୍ରୀୟ ମର୍ଯ୍ୟାଦା ପ୍ରଦାନ କରିବା ସହ ଏହାକୁ ଅନ୍ୟ ପାରମ୍ପରିକ ବାଦ୍ୟଯନ୍ତ୍ର ସିତାର ଓ ସରୋଦର ସମକକ୍ଷ କରାଇଥିଲେ। ସନ୍ତୁରରେ ଶାସ୍ତ୍ରୀୟ ସଂଗୀତ ବଜାଇବାରେ ସେ ହେଉଛନ୍ତି ପ୍ରଥମ କଳାକାର। ସେ ବିଶିଷ୍ଟ ବଂଶୀବାଦକ ହରିପ୍ରସାଦ ଚୌରାଶିଆଙ୍କ ସହ ମିଶି ଗୀତଗୁଡ଼ିକର ସ୍ବରସଂଯୋଜନା କରୁଥିଲେ। ସେଥିପାଇଁ ଏହି ଯୋଡ଼ିକୁ ଶିବ-ହରି ଯୋଡ଼ି କୁହାଯାଏ। ସିଲସିଲା, ଲହ୍ମେ ଓ ଚାନ୍ଦନୀ ଭଳି ସଫଳ ସିନେମାରେ ଏ ଦୁଇଜଣ ମିଶି ସ୍ବରସଂଯୋଜନା କରିଛନ୍ତି। ଜମ୍ମୁରେ ଜନ୍ମ ହୋଇଥିବା ଏହି କଳାକାରଙ୍କୁ ଭାରତ ସରକାର ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି।

ସନ୍ତୁର ଗୁରୁଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟରରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ, ପଣ୍ଡିତ ଶିବକୁମାର ଶର୍ମାଜୀଙ୍କ ବିୟୋଗରେ ଆମ ସାଂସ୍କୃତିକ ଜଗତ ଅଧିକ ଗରିବ ହୋଇଗଲା। ସେ ବିଶ୍ବ ସ୍ତରରେ ସନ୍ତୁରକୁ ଲୋକପ୍ରିୟ କରାଇଥିଲେ। ତାଙ୍କ ସଂଗୀତ ଆଗାମୀ ପିଢ଼ିଗୁଡ଼ିକୁ ବି ମୁଗ୍ଧ କରୁଥିବ। ତାଙ୍କ ପରିବାର-ପରିଜନ ଓ ପ୍ରଶଂସକଙ୍କୁ ମୁଁ ସମବେଦନା ଜ୍ଞାପନ କରୁଛି। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ଏକ ଶୋକବାର୍ତ୍ତାରେ କହିଛନ୍ତି, ପଣ୍ଡିତ ଶିବକୁମାରଙ୍କ ବିୟୋଗ ଖବର ଅତ୍ୟନ୍ତ ଦୁଃଖଦାୟକ। ସନ୍ତୁର ଓ ଭାରତୀୟ ଶାସ୍ତ୍ରୀୟ ସଂଗୀତକୁ ସେ ବିଶ୍ବସ୍ତରରେ ପହଞ୍ଚାଇଥିଲେ। ପଣ୍ଡିତ ଶର୍ମା ଜଣେ ମହାନ କଳାକାର, ଗୁରୁ, ଗବେଷକ, ଚିନ୍ତକ ଓ ସର୍ବୋପରି ଜଣେ ଦୟାଳୁ ମଣିଷ ଥିଲେ। ତାଙ୍କ ପ୍ରତି ମୁଁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଏବଂ ତାଙ୍କ ପୁତ୍ର ପଣ୍ଡିତ ରାହୁଲ ଶର୍ମା ଓ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଉଛି।

ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସରୋଦ ବାଦକ ଅମଜାଦ ଅଲି ଖାନ୍, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ବଲିଉଡ ଅଭିନେତା ଅନୁ କପୁର, ଗାୟକ ଓ ସ୍ବର ସଂଯୋଜକ ଜିତ୍ ଗାଙ୍ଗୁଲି, ବିଶାଲ ଦାଦଲାନି ପ୍ରମୁଖ ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କରାଇବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲି ଅପରାହ୍ଣରେ ପବନହଂସଠାରେ ତାଙ୍କର ‌ଅନ୍ତ୍ୟେଷ୍ଟି ସମ୍ପନ୍ନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe