Image Courtesy: News Nation
ନୂଆଦିଲ୍ଲୀ: କେନ୍ଦ୍ର ସରକାର ସେନା ବାହିନୀ ପାଇଁ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାରେ ପ୍ରଥମ ବର୍ଷ ପାଇଁ ସର୍ବାଧିକ ବୟସ ସୀମାକୁ ବଢ଼ାଇ ୨୧ରୁ ୨୩ ବର୍ଷ କରିଛନ୍ତି। ଏବେ ଏହି ଯୋଜନାର ୨୩ ବର୍ଷ ବୟସର ଯୁବତ/ଯୁବତୀମାନେ ବି ନିଯୁକ୍ତି ପାଇପାରିବେ। ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ମୁତାବକ ଗତ ୨ ବର୍ଷ ମଧ୍ୟରେ କୌଣସି ନିଯୁକ୍ତି ହୋଇନଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ଏବଂ ଏହି ବର୍ଦ୍ଧିତ ବୟସ ସୀମା କେବଳ ପ୍ରଥମ ବର୍ଷ ପାଇଁ ଲାଗୁ ହେବ।
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଯୁବ ଗୋଷ୍ଠୀଙ୍କ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆଜି ଏନେଇ ଚାକିରି ପ୍ରତିଶ୍ରୁତି ଦେଇଛନ୍ତି। ‘ଅଗ୍ନିପଥ’ ଯୋଜନା ଅଧୀନରେ ଭାରତୀୟ ସେନାରେ ଯେଉଁମାନେ ସେବା କରିଥିବେ ସେମାନଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ପ୍ରଥମେ ପ୍ରାଧାନ୍ୟ ମିଳିବ ବୋଲି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପ୍ରତିଶ୍ରୁତି ଦେଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆନ୍ଦୋଳନରତ ଯୁବଗୋଷ୍ଠୀଙ୍କୁ କାହାର ପ୍ରତାରଣାର ଶିକାର ହେବାପାଇଁ ମନା କରିଛନ୍ତି। ଯୋଗୀ କହିଛନ୍ତି ଏହି ଯୋଜନା ଜୀବନକୁ ଏକ ନୂଆ ଦିଗ ଦେବ। ଯୋଗୀ କହିଛନ୍ତି, ପୁଲିସ ଏବଂ ଅନ୍ୟ ସେବା କ୍ଷେତ୍ରରେ ଆମେ ଅଗ୍ନିବୀରଙ୍କୁ ପ୍ରଥମେ ପ୍ରାଧାନ୍ୟ ଦେବୁ।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଅଗ୍ନିବୀରମାନଙ୍କୁ ରାଜ୍ୟ ପୁଲିସ ନିଯୁକ୍ତିରେ ଗୁରୁତ୍ବ ମିଳିବ। ହରିୟାଣାରେ ମଧ୍ୟ ମନୋହର ଲାଲ୍ ଖଟ୍ଟର ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଏବଂ ଅଗ୍ନିପଥ ଯୋଜନା ଅଧୀନରେ ନିଯୁକ୍ତି ପାଇଥିବା ଯୁବଗୋଷ୍ଠୀଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ପ୍ରଥମ ପ୍ରାଥମିକତା ମିଳିବ ବୋଲି ଖଟ୍ଟର କହିଛନ୍ତି। ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶରେ ମଧ୍ୟ ସମାନ ପ୍ରତିଶ୍ରୁତି ଦିଆଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି, ଯେଉଁମାନେ ୪ ବର୍ଷ ସେନାରେ କାମ କରି ଫେରିବେ ସେମାନଙ୍କୁ ପୁଲିସ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଅଗ୍ରାଧିକାର ଭିତ୍ତିରେ ଚାକିରି ମିଳିବ। ଉତ୍ତରପୂର୍ବ ରାଜ୍ୟମାନଙ୍କ ମଧ୍ୟରେ ଆସାମ ଏବଂ ମଣିପୁର ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରୀ ଚାକିରିରେ ଅଗ୍ନିବୀରମାନଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Follow Us