The Statesman
ନୂଆଦିଲ୍ଲୀ: ନିର୍ବାଚନୀ ପାଣ୍ଠି ଯୋଗାଡ଼ କ୍ଷେତ୍ରରେ ବିଜେପି ଅନ୍ୟମାନଙ୍କ ଠାରୁ ବହୁ ଆଗରେ ରହିଛି। ଇଲେକ୍ଟୋରାଲ ଟ୍ରଷ୍ଟ ମାଧ୍ୟମରେ ବିଜେପି ୨୦୧୯-୨୦ ଆର୍ଥିକ ବର୍ଷରେ ୨୭୬.୪୫ କୋଟି ଟଙ୍କା ସଂଗ୍ରହ କରିଛି। ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ମାଧ୍ୟମରେ ଯୋଗାଡ଼ ହୋଇଥିବା ମୋଟ ୨୭୧.୫ କୋଟି ଟଙ୍କା ମଧ୍ୟରୁ ବିଜେପି ୮୦ ପ୍ରତିଶତ ପାଣ୍ଠି ପାଇଛି। ଏଥିରେ ଏୟାରଟେଲ ଗ୍ରୁପ୍ ଏବଂ ଡିଏଲ୍ଏଫ୍ ଆଦି ପ୍ରମୁଖ ଦାତା ରହିଛନ୍ତି। ବିଭିନ୍ନ ଇଲେକ୍ଟୋରାଲ ଟ୍ରଷ୍ଟ ମାଧ୍ୟମରେ ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଚାନ୍ଦା ସଂପର୍କରେ କରାଯାଇଥିବା ଏକ ଅନୁଧ୍ୟାନରୁ ଏହା ଜଣାଯାଇଛି। ଏହାବ୍ୟତୀତ ୨୭୬.୪୫ କୋଟି ଟଙ୍କା ମଧ୍ୟରୁ ବିଜେପି ଜନକଲ୍ୟାଣ ଇଲେକ୍ଟୋରାଲ ଟ୍ରଷ୍ଟ ମାଧ୍ୟମରେ ୪୫.୯୫ କୋଟି ଟଙ୍କା ଏବଂ ଏ ବି ଜେନେରାଲ ଇଲେକ୍ଟୋରାଲ ଟ୍ରଷ୍ଟ ମାଧ୍ୟମରେ ୯ କୋଟି ଟଙ୍କା ଏବଂ ସମାଜ ଇଲେକ୍ଟୋରାଲ ଟ୍ରଷ୍ଟ ମାଧ୍ୟମରେ ୩.୭୫ କୋଟି ଟଙ୍କା ସଂଗ୍ରହ କରିଛି। ଅନ୍ୟପକ୍ଷରେ ବିରୋଧୀ କଂଗ୍ରେସ ଦଳକୁ ୨୦୧୯-୨୦ ବର୍ଷରେ ୫୮ କୋଟି ଟଙ୍କା ମିଳିଛି। କଂଗ୍ରେସ ଏଥିରୁ ୨୧ କୋଟି ଟଙ୍କା ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ମାଧ୍ୟମରେ, ୨୫ କୋଟି ଟଙ୍କା ଜନକଲ୍ୟାଣ ଟ୍ରଷ୍ଟ ମାଧ୍ୟମରେ ଏବଂ ୨ କୋଟି ଟଙ୍କା ସମାଜ ଇଲେକ୍ଟୋରାଲ ଟ୍ରଷ୍ଟ ମାଧ୍ୟମରେ ପାଇଛି।
ବର୍ତ୍ତମାନ ସୁଦ୍ଧା ନିର୍ବାଚନ କମିସନଙ୍କ ନିକଟରେ ୩୫ଟି ଆଞ୍ଚଳିକ ଦଳ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସେମାନଙ୍କ ଅଡିଟ୍ ରିପୋର୍ଟ ଦାଖଲ କରିଛନ୍ତି। ଏଥିରୁ ଜଣାଯାଇଛି ଟିଆରଏସ୍ ସର୍ବାଧିକ ୧୩୦.୪୬ କୋଟି ଟଙ୍କା ଆୟ କରିଥିବାବେଳେ ଏହା ପଛକୁ ଶିବ ସେନା ୧୧୧.୪ କୋଟି ଟଙ୍କା, ୱାଇଏସଆର୍ କଂଗ୍ରେସ ପାର୍ଟି ୯୨.୭ କୋଟି ଟଙ୍କା, ବିଜେଡି ୯୦.୩୫ କୋଟି ଟଙ୍କା, ଏଆଇଏଡିଏମ୍କେ ୮୯.୬ କୋଟି ଟଙ୍କା, ଡିଏମ୍କେ ୬୪.୯୦ କୋଟି ଟଙ୍କା ଏବଂ ଆପ୍ ୪୯.୬୫ କୋଟି ଟଙ୍କା ଆୟ କରିଛନ୍ତି। ଇଲେକ୍ଟୋରାଲ ଟ୍ରଷ୍ଟ ସହିତ ଅନ୍ୟ ସମସ୍ତ ସୂତ୍ରରୁ ସଂଗ୍ରହ ହୋଇଥିବା ଅର୍ଥକୁ ନେଇ ରାଜନୈତିକ ଦଳଗୁଡ଼ିକର ଆୟ ହିସାବ କରାଯାଇଛି। ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ଭଲ ଆୟ କରିବା ଦେଖିବାକୁ ମିଳୁଛି।
Follow Us