ବିଷାକ୍ତ ହୋଇଛି ପ୍ରଚାର ବାତାବରଣ: ଅପମାନ, ଉପହାସ, ଗାଳିଗୁଲଜ

Advertisment
ବିଷାକ୍ତ ହୋଇଛି ପ୍ରଚାର ବାତାବରଣ: ଅପମାନ, ଉପହାସ, ଗାଳିଗୁଲଜ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ର ୬ଟି ପର୍ଯ୍ୟାୟ ଶେଷ ହୋଇସାରିଥିବା ବେଳେ ଏବେ ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ଘମାଘୋଟ ପ୍ରଚାର ଚାଲିଛି। ଚଳିତ ନିର୍ବାଚନରେ ବ୍ୟକ୍ତିଗତ ଆକ୍ରମଣ, ଉତ୍ତେଜନାମୂଳକ ସାମ୍ପ୍ରଦାୟିକ ଏବଂ ଲିଙ୍ଗବାଦୀ ବୟାନ ଏବଂ ଲଗାମଛଡ଼ା ସମାଲୋଚନା ଚର୍ଚ୍ଚାରେ ରହିଛି। ଉତ୍ତେଜନାମୂଳକ ରାଜନୈତିକ ବୟାନବାଜି ଯୋଗୁଁ ଗଣତାନ୍ତ୍ରିକ ମୂଲ୍ୟବୋଧ କ୍ଷୁଣ୍ଣ ହେଉଥିବା ଏବଂ ସାମଗ୍ରିକ ଭାବରେ ନିର୍ବାଚନର ଗୁଣବତ୍ତା ମଧ୍ୟ ଖରାପ ହେଉଥିବା ଦେଖିବାକୁ ମିଳିଛି। ଏ ନେଇ ନିର୍ବାଚନ କମିସନଙ୍କ ତୁହାକୁ ତୁହା ତାଗିଦ କିଛି କାମ ଦେଉନାହିଁ। କଂଗ୍ରେସ, ବିଜେପି ସମେତ ବିଭିନ୍ନ ଦଳର ଷ୍ଟାର୍‌ ପ୍ରଚାରକମାନେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ପ୍ରତି କର୍ଣ୍ଣପାତ କରୁନଥିବାରୁ ଏବେ ବିଭିନ୍ନ ରାଜ୍ୟରେ ବିଷାକ୍ତ ରାଜନୈତିକ ବାତାବରଣ ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ‘ଦୁର୍ନୀତିର ଜନନୀ’ ବୋଲି କହିଥିବା ବେଳେ କଂଗ୍ରେସ ମୋଦୀଙ୍କୁ ‘ମିଥ୍ୟାବାଦୀ’ ଏବଂ ‘ଏକଛତ୍ରବାଦୀ’ ବୋଲି କହି ଟାର୍ଗେଟ୍‌ କରୁଛି। ପ୍ରଧାନମନ୍ତ୍ରୀ ଇଣ୍ଡି ମେଣ୍ଟକୁ ଟାର୍ଗେଟ କରି ଏହାକୁ ଦୁର୍ନୀତିଗ୍ରସ୍ତଙ୍କ ସମାବେଶ ବୋଲି କହିଥିବା ବେଳେ କଂଗ୍ରେସ ସଭାପତି ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ‘ମିଛୁଆଙ୍କ ସର୍ଦ୍ଦାର’ ବୋଲି ଆଖ୍ୟା ଦେଇଛନ୍ତି। ଯୋଗୀ ଆଦିତ୍ୟନାଥ ରାହୁଲ ଗାନ୍ଧୀଙ୍କୁ ‘ଆକସ୍ମିକ ହିନ୍ଦୁ’ ବୋଲି କହିଛନ୍ତି। ନିକଟରେ ଆପ୍ ସଦସ୍ୟଙ୍କ ଗିରଫଦାରୀ ପରିପ୍ରେକ୍ଷୀରେ କେଜ୍ରିୱାଲ ମୋଦୀଙ୍କୁ ‘ଥାନେଦାର’ ବୋଲି କହିଛନ୍ତି। ବରିଷ୍ଠ ବିଜେପି ନେତା ଶିବରାଜ ଚୌହାନ କେଜ୍ରିୱାଲଙ୍କୁ ଦୁର୍ନୀତିର ‘ନଟବରଲାଲ’ (କୁଖ୍ୟାତ ଠକ) ବୋଲି ଆଖ୍ୟା ଦେଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ଇଣ୍ଡି ମେଣ୍ଟ ନେତାମାନେ ‘ମୁଜ୍‌ରା’ କରୁଛନ୍ତି ବୋଲି କହିବା ପରେ ଏହାକୁ ନେଇ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ ମିଳିଥିଲା। କିଛିଦିନ ତଳେ ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତଙ୍କ ପ୍ରତି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତଙ୍କ ଆପତ୍ତିଜନକ ବୟାନ ବଡ଼ ଧରଣର ବିବାଦ ସୃଷ୍ଟି କରିଥିଲା। ଶ୍ରୀନେତ ଇନ୍‌ଷ୍ଟାଗ୍ରାମରେ ରାଣାୱତଙ୍କ ଏକ ଫଟୋ ପୋଷ୍ଟ କରି ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେବା ଏବଂ ଏହାର ଜବାବରେ ବିଜେପି ନେତାଙ୍କ ବୟାନବାଜି ସରଗରମ ସ୍ଥିତି ସୃଷ୍ଟି କରିଥିଲା।

ପ୍ରଚାର ସମୟରେ ନେତାଙ୍କ ମୁହଁରେ ଅନେକ ସମୟରେ ବାଡ଼ବତା ରହୁନଥିବା ବେଳେ ଏହା ପ୍ରଚାରର ମାନକୁ ଅତ୍ୟନ୍ତ ନିମ୍ନସ୍ତରକୁ ନେଇଯାଇଛି। ଚଳିତ ନିର୍ବାଚନରେ ‘କାଲେ ନାଗ’ (କଳା ନାଗ), ‘ବିଗଡ଼ା ଶେହଜାଦା’ (ବାଟହୁଡ଼ା ରାଜକୁମାର) ଏବଂ ‘ହୁସ୍ନ ପରୀ’ (ସୁନ୍ଦରୀ ପରୀ) ଭଳି ଶବ୍ଦ ମଧ୍ୟ ବ୍ୟବହାର କରି ନେତାମାନେ ପରସ୍ପରକୁ କଟାକ୍ଷ କରିଛନ୍ତି। କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲା ମଥୁରାର ବିଜେପି ସାଂସଦ ହେମା ମାଳିନୀଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେବା ପରେ ନିର୍ବାଚନ ଆୟୋଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। କଙ୍ଗନା ରାଣାୱତ ମଧ୍ୟ ବ୍ୟକ୍ତିଗତ ମନ୍ତବ୍ୟ ଦେବାରେ ପଛଘୁଞ୍ଚା ଦେଇନାହାନ୍ତି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଣ୍ଡି ଆସନରୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିକ୍ରମାଦିତ୍ୟ ସିଂହଙ୍କୁ ଯଥାକ୍ରମେ ‘ବଡ଼ା ପପୁ’ ଓ ‘ଛୋଟା ପପୁ’ ବୋଲି କହିଥିଲେ। ଅନ୍ୟପକ୍ଷରେ ଆର୍‌ଜେଡି, ଟିଏମ୍‌ସି, ଡିଏମ୍‌କେ ଏବଂ କଂଗ୍ରେସ ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କ‌ଲାବେଳେ ମଧ୍ୟ ସୀମା ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe