Image Source: The News Minute
ତେଲେଙ୍ଗାନା: ତେଲେଙ୍ଗାନାରେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍)ର ୪ ବିଧାୟକଙ୍କ ପକ୍ଷରୁ ବିଜେପି ବିରୋଧରେ ବିଧାୟକ କ୍ରୟ ଅଭିଯୋଗ ନେଇ ରୁଜୁ ହୋଇଥିବା ମାମଲାରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ଶକ୍ତ ଝଟ୍କା ଲାଗିଛି। ଉକ୍ତ ମାମଲା ସିବିଆଇକୁ ଦେବାପାଇଁ ତେଲେଙ୍ଗାନା ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଗତମାସ ୯ ତାରିଖରେ ଉକ୍ତ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା ୭ ଜଣିଆ ଏସଆଇଟିକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ବିଜେପି ନେତା ତଥା ଆଇନଜୀବୀ ଆର୍ ସି ରାଓ ହାଇକୋର୍ଟଙ୍କ ଆଦେଶକୁ ସ୍ବାଗତ କରିଛନ୍ତି।
ବିଆର୍ଏସ୍ ବିଧାୟକ ରୋହିତ ରେଡ୍ଡୀ ଅଭିଯୋଗ କରିଥିଲେ ଯେ ରାମଚନ୍ଦ୍ର ଭାରତୀ ଓରଫ ସତୀଶ ଶର୍ମା, ନନ୍ଦୁ କୁମାର ଏବଂ ସିମାୟାଜୀ ସ୍ବାମୀ ନାମରେ ୩ ଜଣ ବ୍ୟକ୍ତି ତାଙ୍କୁ ୧୦୦ କୋଟି ଟଙ୍କାର ଅଫର ଦେଇଥିଲେ। ଏଥିପାଇଁ ତାଙ୍କୁ ବିଆର୍ଏସ୍ (ସେତେବେଳର ଟିଆର୍ଏସ୍) ଛାଡ଼ିବାକୁ କୁହାଯାଇଥିଲା।
ଏହାସହିତ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯିବ ବୋଲି ମଧ୍ୟ କୁହାଯାଇଥିଲା। ତଣ୍ଡୁରର ବିଧାୟକ ଶ୍ରୀ ରେଡ୍ଡୀଙ୍କ ସମେତ ବିଆର୍ଏସ୍ର ଆଉ ୩ ଜଣ ବିଧାୟକ ଅକ୍ଟୋବର ୨୬ରେ ଏଫ୍ଆଇଆର୍ ରୁଜୁ କରିଥିଲେ। ଏଥିସହିତ ଅନ୍ୟ ବିଧାୟକମାନେ ଆସି ବିଜେପିରେ ଯୋଗଦେଲେ ସେମାନଙ୍କୁ ୫୦ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ଅଭିଯୋଗରେ ଦର୍ଶାଯାଇଥିଲା। ଏମାନଙ୍କ ଅଭିଯୋଗ ପରେ ସଂପୃକ୍ତ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। କେସିଆର୍ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି କିଭଳି ମଧ୍ୟସ୍ଥ ମାନଙ୍କ ଜରିଆରେ ତାଙ୍କ ଦଳର ବିଧାୟକମାନଙ୍କୁ ୧୦୦ କୋଟି ଲେଖାଏଁ ପ୍ରଦାନ କରି କିଣିବାକୁ ବସିଥିଲା ସେ ସଂକ୍ରାନ୍ତ ୩ ଘଣ୍ଟାର ଭିଡିଓ ଉପସ୍ଥାପନ କରିଥିଲେ। ତେବେ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଥିଲା।
Follow Us