The Indian Express
ନୂଆଦିଲ୍ଲୀ: ମେ, ଜୁନ୍ ଏବଂ ଜୁଲାଇ ମାସରେ କେନ୍ଦ୍ର ସରକାର ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଠାରୁ ୧୧ କୋଟି ଡୋଜ୍ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ଠାରୁ ୫ କୋଟି ଡୋଜ୍ କୋଭାକ୍ସିନ୍ ଟିକା କିଣିବା ଲାଗି ୨୫୨୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ତେଣୁ ଦୁଇ କମ୍ପାନି ଠାରୁ କେନ୍ଦ୍ର ସରକାର ୧୬ କୋଟି ଡୋଜ୍ ଟିକା କିଣିବା ଲାଗି ଅର୍ଥ ଦେଇସାରିଛନ୍ତି। ଗତମାସ ୨୮ ତାରିଖରେ ଏହି ଅର୍ଥ ଦିଆଯାଇଛି। ପୂର୍ବରୁ ସିରମଠାରୁ ଭାରତ ସରକାର ୧୦ କୋଟି ଡୋଜ୍ କୋଭିସିଲ୍ଡ ଟିକା କ୍ରୟ ଆଦେଶ ଦେଇଥିଲେ। ଏଥିରୁ ଆଜିସୁଦ୍ଧା ୮.୭୪୪ କୋଟି ଡୋଜ୍ ଟିକା ମିଳିଛି। ସେହିଭଳି ଭାରତ ବାୟୋଟେକ୍ ଠାରୁ କେନ୍ଦ୍ର ସରକାର ପୂର୍ବରୁ ୨ କୋଟି ଡୋଜ୍ ଟିକାର କ୍ରୟ ଆଦେଶ ଦେଇଥିଲେ। କେନ୍ଦ୍ର ସରକାର ଟିକା ଆଣିବା ପାଇଁ ନୂଆ କ୍ରୟଆଦେଶ ଦେଇନାହାନ୍ତି ବୋଲି କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାସ୍ତବତା ସଂପର୍କରେ ସୂଚନା ଦିଆଯାଇଛି। କେତେକ ଗଣମାଧ୍ୟମରେ ଟିକା ସଂପର୍କିତ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ତଥ୍ୟ ଉପରେ ପର୍ଯ୍ୟବସିତ ନୁହେଁ ବୋଲି କୁହାଯାଇଛି। ମେ ୨ ତାରିଖ ସୁଦ୍ଧା ଭାରତ ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ୧୬.୫୪ କୋଟି ଡୋଜ୍ ପ୍ରଦାନ କରିଛନ୍ତି।
ଏଥିସହିତ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ୫୬ ଲକ୍ଷରୁ ଅଧିକ ଟିକା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଦେଶରେ ଗତ ଜାନୁଆରି ୧୬ ତାରିଖରୁ ଟିକାକରଣ ଚାଲିଛି। ଜୁଲାଇ ସୁଦ୍ଧା ଦେଶର ପାଖାପାଖି ଅଧାଅଧି ସାବାଳକଙ୍କୁ କରୋନା ଟିକା ମିଳିଯିବ ବୋଲି ଆକଳନ କରାଯାଉଛି। ଦେଶରେ ୯୦ କୋଟି ସାବାଳକ ଥିବା ହିସାବ କରାଗଲେ ଏମାନଙ୍କ ମଧ୍ୟରୁ ପ୍ରାୟ ଅଧା ଲୋକଙ୍କୁ ଅତିକମ୍ରେ ଗୋଟିଏ ଡୋଜ୍ ଟିକା ମିଳିଯିବ। ସ୍ପୁଟନିକ୍ ଭି ଏବଂ ବର୍ତ୍ତମାନ ବିକଶିତ ହେଉଥିବା ଅନ୍ୟ ଟିକାକୁ ମିଶାଇଲେ ଜୁଲାଇ ସୁଦ୍ଧା ଭାରତକୁ ଅଧିକ ୩୦ କୋଟି ଡୋଜ୍ ଟିକା ମିଳିବ। ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୫.୫ କୋଟି ଡୋଜ୍ ଟିକା ଲୋକଙ୍କୁ ଦିଆଯାଇ ସାରିଛି। ତେଣୁ ଆଉ ୩୦ କୋଟି ଲୋକଙ୍କୁ କରୋନା ଟିକା ଦିଆଯାଇ ପାରିବ ବୋଲି କୁହାଯାଉଛି। ୩ ମାସ ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସର ସବୁ ବ୍ୟକ୍ତି, ୪୫ ବର୍ଷ ବୟସରୁ ଅଧିକ ବୟସର ଅଧିକାଂଶ ବ୍ୟକ୍ତି ଏବଂ ୧୮ରୁ ୪୪ ବର୍ଷ ବୟସ ବର୍ଗର ଅନେକ ବ୍ୟକ୍ତି ଟିକା ନେବାକୁ ସକ୍ଷମ ହେବେ ବୋଲି କୁହାଯାଇଛି।
୧୮-୪୫ ବୟସର ୫୯ କୋଟି ହିତାଧିକାରୀଙ୍କ ପାଇଁ ୧୨୨ କୋଟି ଟିକା ଲୋଡ଼ା
ନୂଆଦିଲ୍ଲୀ: ଦେଶରେ ଗତ ଜାନୁଆରି ୧୬ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ବର ବୃହତ୍ତମ ଟିକାକରଣରେ ଗତ ପହିଲାରୁ ୧୮ରୁ ୪୫ ବର୍ଷ ବୟସର ନୂତନ ହିତାଧିକାରୀମାନେ ସାମିଲ ହୋଇଛନ୍ତି। ତେବେ ଦେଶରେ ଥିବା ପ୍ରାୟ ୫୯ କୋଟି ସଂଖ୍ୟକ ଏହି ବର୍ଗର ହିତାଧିକାରୀଙ୍କ ଟିକାକରଣ ପାଇଁ ପ୍ରାୟ ୧୨୨ କୋଟି ମାତ୍ରା ଆବଶ୍ୟକ ବୋଲି କେନ୍ଦ୍ର ସରକାରଙ୍କ ସୂଚନାରୁ ଜଣାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ମହାମାରୀ କୋଭିଡ୍ର ମୁକାବିଲା ପାଇଁ ଦ୍ରୁତ ଟିକାକରଣ ହିଁ ଶ୍ରେଷ୍ଠ ବିକଳ୍ପ ଭାବେ ଉଭା ହୋଇଛି। ଅପରପକ୍ଷେ, ଉପଲବ୍ଧ ସମ୍ବଳକୁ ଦୃଷ୍ଟିରେ ରଖି ସରକାର ଯେତେ କମ୍ ସମୟ ଭିତରେ ସମ୍ଭବ ଶତ ପ୍ରତିଶତ ନାଗରିକଙ୍କର ଟିକାକରଣ ପାଇଁ ଯୋଜନା କରୁଛନ୍ତି ବୋଲି ଆଜି ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ମାଧ୍ୟମରେ ଜଣାଇଛନ୍ତି। ସେହିପରି ଦେଶରେ କେବଳ କୋଭିସିଲ୍ଡ ଓ କୋଭାକ୍ସିନ୍ ପରି କେବଳ ଦୁଇ ପ୍ରକାରର ଦେଶ ଭିତରେ ପ୍ରସ୍ତୁତ କୋଭିଡ୍ ଟିକା ମିଳୁଥିବାରୁ ସରକାର ଏହାର ଉପଲବ୍ଧିକୁ ଦୃଷ୍ଟିରେ ରଖି ଟିକାକରଣକୁ ଏପରି ପ୍ରାଥମିକତା ଭିତ୍ତିରେ ଚାଲୁ ରଖିଥିବା ସ୍ପଷ୍ଟ କରିଛନ୍ତି।
Follow Us