Image Courtesy of NDTV
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟର ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍ଭି ରମଣା ଆଜି କହିଛନ୍ତି ଯେ, ଧର୍ମ ସବୁ ପ୍ରକାର ଅନ୍ଧବିଶ୍ବାସ ଓ କଠୋରତାଠାରୁ ଊର୍ଦ୍ଧ୍ବରେ ରହିବା ଆବଶ୍ୟକ। ସମାଜରେ ନିରର୍ଥକ ସାମ୍ପ୍ରଦାୟିକ ବିବାଦ ହେତୁ ସମ୍ଭାବ୍ୟ ବିପଦକୁ ନେଇ ସ୍ବାମୀ ବିବେକାନନ୍ଦଙ୍କ ବାଣୀ ଆଜିର ଦିନରେ ପ୍ରଣିଧାନଯୋଗ୍ୟ ବୋଲି ସେ କହିଥିଲେ।
ପ୍ରଧାନବିଚାରପତି କହିଲେ ଯେ, ଆଜିର ଭାରତରେ ସ୍ବାମୀ ବିବେକାନନ୍ଦଙ୍କ ୧୮୯୩ ମସିହାର ବାଣୀକୁ ଆମେ ଧ୍ୟାନ ଦେବା ଆବଶ୍ୟକ।
ସେ ଯାହା କହିଥିଲେ ତାହା ସତ୍ୟ। ଭାରତ ସ୍ବାଧୀନତା ଲାଭ କରିବାର ବହୁ ପୂର୍ବରୁ ସେ ଧର୍ମନିରପେକ୍ଷତାର ଆବଶ୍ୟକତା ବିଷୟରେ କହିଥିଲେ। ହାଇଦ୍ରାବାଦସ୍ଥିତ ବିବେକାନନ୍ଦ ମାନବ ଉତ୍କର୍ଷ ସଂସ୍ଥାନର ଦ୍ବାବିଂଶ ସ୍ଥାପନା ଦିବସ ତଥା ସ୍ବାମୀ ବିବେକାନନ୍ଦଙ୍କ ଐତିହାସିକ ଶିକାଗୋ ଭାଷଣର ୧୨୮ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ଜଷ୍ଟିସ୍ ରମଣା କହିଲେ ଯେ, ସ୍ବାମୀ ବିବେକାନନ୍ଦଙ୍କ ବିଶ୍ବାସ ଅନୁସାରେ ଧର୍ମର ସାରତତ୍ତ୍ବ ହେଉଛି ସାର୍ବଜନୀନ ମଙ୍ଗଳ ଓ ସହିଷ୍ଣୁତା। ଧର୍ମ ସବୁବେଳେ ଅନ୍ଧବିଶ୍ବାସ ଓ କଠୋରତାଠାରୁ ଊର୍ଦ୍ଧ୍ବରେ ରହିବା ଉଚିତ। ଆଜିର ଯୁବସମାଜ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେଲେ ସମାଜର ଉନ୍ନତି ହୋଇପାରିବ। ଜାତିର ନିର୍ମାଣ ପାଇଁ ଯୁବସମାଜର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥଲେ।
Follow Us