ପ୍ରିୟ ରୋହିତଙ୍କ ଭୁଲ୍‌କୁ ହଜମ କରିଦେଲେ ଦେଶବାସୀ

ହିଟ୍‌ମ୍ୟାନ ରୋହିତ ଶର୍ମ୍ମା ଜଣେ ସର୍ବକାଳୀନ ମହାନ ବ୍ୟାଟର୍ ଭାବେ ଅଗଣିତ ପ୍ରଶଂସକଙ୍କ ହୃଦୟରେ ସ୍ଥାନ ପାଇସାରିଲେଣି। ତାଙ୍କ ପୁଲ୍‌-ସଟ୍‌ ଖାଲି ସାଧାରଣ ପ୍ରଶଂସକ ନୁହନ୍ତି, କ୍ରିକେଟ ବିଶେଷଜ୍ଞମାନଙ୍କ ମନ ମଧ୍ୟ କିଣିନେଉଛି।

rohit

ହିଟ୍‌ମ୍ୟାନ ରୋହିତ ଶର୍ମ୍ମା ଜଣେ ସର୍ବକାଳୀନ ମହାନ ବ୍ୟାଟର୍ ଭାବେ ଅଗଣିତ ପ୍ରଶଂସକଙ୍କ ହୃଦୟରେ ସ୍ଥାନ ପାଇସାରିଲେଣି। ତାଙ୍କ ପୁଲ୍‌-ସଟ୍‌ ଖାଲି ସାଧାରଣ ପ୍ରଶଂସକ ନୁହନ୍ତି, କ୍ରିକେଟ ବିଶେଷଜ୍ଞମାନଙ୍କ ମନ ମଧ୍ୟ କିଣିନେଉଛି। ଧୋନି ଓ କୋହଲିଙ୍କ ନେତୃତ୍ବାଧୀନ ଟିମ୍-ଇଣ୍ଡିଆ ବିଶ୍ବରେ ଶ୍ରେଷ୍ଠ ଦଳର ମାନ୍ୟତା ହାସଲ କରିବା ପରେ ରୋହିତଙ୍କ ଏବର ଦଳ ଆହୁରି ଅଧିକ ଈର୍ଷଣୀୟ ସଫଳତା ପାଇଚାଲିଛି। ରେକର୍ଡ କହୁଛି, ରୋହିତଙ୍କ ଅଧୀନରେ ଭାରତୀୟ ଦଳ ପ୍ରଦର୍ଶନ ଦୃଷ୍ଟିରୁ ଅନ୍ୟ ପ୍ରତିଦ୍ବନ୍ଦ୍ବୀ ଦଳଗୁଡ଼ିକଠାରୁ ଯେପରି ଅପହଞ୍ଚ ଦୂରତାରେ ପହଞ୍ଚିଛି, ସେପରି ସଫଳତା ଅତୀତରେ କେବେ ବି ଭାରତକୁ ମିଳି ନ ଥିଲା। ଏପରିକି ଗତ ଅଷ୍ଟମ ଦଶକର ୱେଷ୍ଟଇଣ୍ଡିଜ୍ ଏବଂ ନବମ ଦଶକ ଓ ନୂଆ ଶତାବ୍ଦୀର ପ୍ରଥମ ଦଶକର ଅଷ୍ଟ୍ରେଲିଆଠାରୁ ମଧ୍ୟ ରୋହିତଙ୍କ ଦଳ ଅଧିକ ମଜଭୁତ ବୋଲି କୁହାଯାଉଛି। ତେଣୁ ବେଙ୍ଗାଲୁରୁଠାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦଳ ପ୍ରଥମେ ବ୍ୟାଟିଂ କରି ଘରୋଇ ପିଚ୍‌ରେ ସର୍ବନିମ୍ନ ୪୬ରେ ଅଲ୍‌-ଆଉଟ୍‌ ହେବା କଥାକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଚାଲିଛି। ଲକ୍ଷଲକ୍ଷ କ୍ରିକେଟ ପ୍ରେମୀ ଜ୍ଞାନ ବାଣ୍ଟିବା ଆରମ୍ଭ କରିଦେଇଛନ୍ତି।

ସେହିଦିନ ଗଣମାଧ୍ୟମ ଆଗରେ ରୋହିତଙ୍କ ସ୍ବୀକାରୋକ୍ତିକୁ ଅଧିକାଂଶ ନେଟିଜେନ ପ୍ରଶଂସା କରିଥିବା ବେଳେ କିଛି ନିନ୍ଦୁକଙ୍କ ମୁହଁ କିନ୍ତୁ ବନ୍ଦ ହୋଇନାହିଁ। ଅଧିକାଂଶ ଲୋକଙ୍କ ମତ ହେଲା, ଥରେଅଧେ ଖରାପ ଖେଳିଲେ କେହି ଖରାପ ହେଇଯାଏ ନାହିଁ। ଆର୍ଦ୍ର ପରିବେଶରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନେବା ପରି ନିଷ୍ପତ୍ତିର ଉତ୍ତରଦାୟିତ୍ବ ନିଜେ ମୁଣ୍ଡାଇବା ଦ୍ବାରା ରୋହିତ ଅଗଣିତ କ୍ରିକେଟ ପ୍ରେମୀଙ୍କ ରାଗକୁ ଥଣ୍ଡା କରିପାରିଛନ୍ତି। ହେଲେ କିଛି ଲୋକଙ୍କ କୋପରୁ ବର୍ତ୍ତିପାରିନାହାନ୍ତି ରୋହିତ। କୁହାଯାଇଛି, ‘‘ଯାହା ପାଖରେ ବୁମ୍‌ରାଙ୍କ ପରି ବିଶ୍ବସ୍ତରର ଦ୍ରୁତ ବୋଲର ଅଛନ୍ତି, ସେପରି ପରିବେଶ ପାଇଥିଲେ ଛୋଟ ଛୁଆଟିଏ ମଧ୍ୟ ଆଗ ନ୍ୟୁଜିଲ୍ୟାଣ୍ଡକୁ ବ୍ୟାଟିଂ ପାଇଁ ଡାକିଥାନ୍ତା। କ୍ରିକେଟ୍‌ର କିଛି ମୌଳିକ କୌଶଳ ରହିଛି। ସେଥିରୁ କସ୍ମିନ୍ କାଳେ ବିଚ୍ୟୁତ ହେବା ଉଚିତ ନୁହେଁ। ବେଳେବେଳେ ମାତ୍ରାଧିକ ପାଣ୍ଡିତ୍ୟ ଦେଖାଇବାକୁ ଯାଇ ବିପଦକୁ ଡାକିଅଣାଯାଇଥାଏ।’’ 

ସେହିପରି ‘‘ଅଫିସ୍‌ରେ କ’ଣ ଥରେଅଧେ ଖରାପ ଦିନ ଆସେନାହିଁ’’ ବୋଲି ରୋହିତଙ୍କ ପ୍ରଶ୍ନକୁ ସହଜରେ ଗ୍ରହଣ କରିପାରିନାହାନ୍ତି କିଛି ଲୋକ। ପ୍ରଶ୍ନ ହୋଇଛି, ‘‘ପ୍ରଥମେ ବ୍ୟାଟିଂ କରିଥିଲେ ନ୍ୟୁଜିଲ୍ୟାଣ୍ଡ କ’ଣ ଏମିତି ୪୬ରେ ଅଲ୍‌-ଆଉଟ୍‌ ହୋଇଥାନ୍ତା? ତମେ ପରା ଏବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରାଜ୍ କରୁଛ! ଯେତେ ଖରାପ ପରିବେଶ ଥାଉ, ଦଳ କ’ଣ ନିହାତି ଶହେ ଡେଇଁବା କଥା ନୁହେଁ କି? ଦଳର ଡ୍ରିମ୍‌-ରନ୍‌କୁ ଏମିତି କ’ଣ ବେପରୁଆ ଭାବେ ରୋକିଦିଆଯାଏ?’’ ମଉକା ଦେଖି ଚଉକା ମାରିବା ଚେଷ୍ଟା ମଧ୍ୟ କରିଛନ୍ତି ରାଜନୀତିଆ ଲୋକ। ଭୁଲ୍‌ କଲା ପରେ ଶହେ ବାହାନା ଖୋଜି କିପରି ନିଜକୁ ଯଥାର୍ଥ ବୋଲି ପ୍ରମାଣ କରାଯାଏ, ରୋହିତଙ୍କଠାରୁ ମୋଦୀ ଶିଖିବା କଥା ବୋଲି ପରିହାସ ଛଳରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe