ନୂଆଦିଲ୍ଲୀ : ଗାନ୍ଧି ପରିବାର (କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା) ଏବଂ ଆମ୍ ଆଦ୍ମୀ ପାର୍ଟି (ଆପ୍) ପାଇଁ ଆୟକର କର୍ତ୍ତୃପକ୍ଷ ଦେଇଥିବା ନିର୍ଦ୍ଦେଶକୁ ଦିଲ୍ଲୀ ହାଇକୋର୍ଟ କାଏମ୍ ରଖିଛନ୍ତି। ଏମାନଙ୍କର ଟିକସ ଆକଳନକୁ ଫେସଲେସ୍ ଜରିଆରେ ନକରି ସେଣ୍ଟ୍ରାଲ ସର୍କଲକୁ ପଠାଇବା ଲାଗି ଆୟକର ବିଭାଗ ନିର୍ଦ୍ଦେଶ ଦେଇଥିଲା। ଏ ସଂପର୍କିତ ମାମଲାର ଶୁଣାଣି କରିବା ପରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ମନମୋହନ ଏବଂ ବିଚାରପତି ଦିନେଶ କୁମାର ଶର୍ମା ଆଦେଶ ଦେଇଛନ୍ତି। ଗତ ମାର୍ଚ୍ଚ ୧୫ ରେ ଉକ୍ତ ଆଦେଶକୁ ଖଣ୍ଡପୀଠ ସଂରକ୍ଷିତ ରଖିଥିଲେ। ଗାନ୍ଧି ପରିବାର ଏବଂ ଆପ୍ ପକ୍ଷରୁ ଦାଖଲ ହୋଇଥିବା ପିଟିସନକୁ ଅଦାଲତ ଖାରଜ କରିଦେଇଛନ୍ତି। ଆଇନ ଅନୁଯାୟୀ, ଉକ୍ତ କାର୍ଯ୍ୟ ହୋଇଛି ବୋଲି ଅଦାଲତ କହିଛନ୍ତି।
ଏଥିସହିତ ଆୟକର ବିଭାଗର ଆଦେଶ ଉପରେ ୨୦୨୧ ମାର୍ଚ୍ଚରୁ ଅନ୍ତରୀଣ ଆଦେଶ ବଳରେ ରହିଥିବା ସ୍ଥଗିତାଦେଶକୁ ମଧ୍ୟ ଖଣ୍ଡପୀଠ ହଟାଇ ଦେଇଛନ୍ତି। ଉପରୋକ୍ତ ବ୍ୟକ୍ତି ଏବଂ ଦଳ ବ୍ୟତୀତ ସଂଜୟ ଗାନ୍ଧି ମେମୋରିଆଲ ଟ୍ରଷ୍ଟ, ରାଜୀବ ଗାନ୍ଧି ଫାଉଣ୍ଡେସନ, ରାଜୀବ ଗାନ୍ଧି ଚାରିଟେବୁଲ ଟ୍ରଷ୍ଟ, ୟଙ୍ଗ ଇଣ୍ଡିଆନ ଏବଂ ଜବାହର ଭବନ ଟ୍ରଷ୍ଟର ଆକଳନ ସ୍ଥାନାନ୍ତର ନିଷ୍ପତ୍ତିକୁ ମଧ୍ୟ ଖଣ୍ଡପୀଠ କାଏମ ରଖିଛନ୍ତି।
Follow Us