୨୬/୧୧ ଆକ୍ରମଣର କ୍ଷତିକୁ ଭୁଲି ହେବନାହିଁ: ପ୍ରଧାନମନ୍ତ୍ରୀ

ଏକ ଦେଶ ଏକ ନିର୍ବାଚନ ଉପରେ ଗୁରୁତ୍ବ

୨୬/୧୧ ଆକ୍ରମଣର କ୍ଷତିକୁ ଭୁଲି ହେବନାହିଁ: ପ୍ରଧାନମନ୍ତ୍ରୀ

Image Courtesy of Zee News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୨୬/୧୧ ମୁମ୍ବାଇ ଆକ୍ରମଣର ୧୨ତମ ବାର୍ଷିକୀ ଅବସରରେ ସହିଦ ସୁରକ୍ଷାକର୍ମୀ ଏବଂ ଅନ୍ୟ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ପୀଡ଼ିତ ପରିବାରକୁ ସମବେଦନା ଜଣାଇଛନ୍ତି। ୨୦୦୮ରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ବାରା ମୁମ୍ବାଇରେ ହୋଇଥିବା ବଡ଼ ଆତଙ୍କବାଦୀ ଆକ୍ରମଣର କ୍ଷତକୁ ଭୁଲି ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ଏବେ ନୂଆ ନୀତିରେ ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରଖିଛି ଏବଂ ଏବଂ ଆତଙ୍କବାଦକୁ ଶେଷ କରିବା ପାଇଁ ବଡ଼ ଅଭିଯାନ ଚଳାଇଛି ବୋଲି କହିଛନ୍ତି। ଗୁଜରାଟର କେଭାଡିଆଠାରେ ସର୍ବଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀର ଭର୍ଚୁଆଲ୍‌ କନ୍‌ଫରେନ୍‌ସରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆଜି ସମ୍ବିଧାନ ଦିବସର ବିଶେଷତ୍ବ ସମ୍ପର୍କରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତୀୟ ସମ୍ବିଧାନକୁ ଅଧିକ ଲୋକପ୍ରିୟ କରିବାକୁ ହେଲେ ଆମକୁ ଏକ ନୂଆ ‘କେୱାଇସି’ (ନୋ ୟୋର କନ୍‌ଷ୍ଟିଚ୍ୟୁଏସନ) ଉପରେ ଗୁରୁତ୍ବ ଦେବାକୁ ହେବ। ଦେଶ ପାଇଁ ‘ଏକ ଦେଶ ଏକ ନିର୍ବାଚନ’ ନୀତି ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ‘ସାଧାରଣ ଭୋଟର ତାଲିକା’ ଉପରେ ଗୁରୁତ୍ବାରୋପ କରିଥିଲେ। ଏକ ସୁସ୍ଥ ଗଣତନ୍ତ୍ର ପାଇଁ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଏବଂ ନ୍ୟାୟପାଳିକା ମଧ୍ୟରେ ଉତ୍ତମ ସମନ୍ବୟ ରହିବା ଜରୁରୀ। ସମ୍ବିଧାନର ଭାଷା ସାଧାରଣ ‌ଲୋକଙ୍କ ପାଇଁ କ୍ଳିଷ୍ଟ ହୋଇଯାଉଛି। ଏଣୁ ସାଧାରଣ ‌ଲୋକଙ୍କ ବୁଝିଲା ଭଳି ଆଇନଗୁଡ଼ିକୁ ସରଳ ଭାଷାରେ ବୁଝାଇ ଦିଆଯିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରାସଙ୍ଗିକତା ହରାଇଥିବା ଅନେକ ଆଇନର ମଧ୍ୟ ପରିସମାପ୍ତି ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe