ମହାରାଷ୍ଟ୍ର ସଙ୍କଟର ନାଟକୀୟ ଅବସାନ: ୨ରୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ

କ୍ଷମତା ନୁହେଁ, ହିନ୍ଦୁତ୍ବ ପାଇଁ ଲଢ଼େଇ: ଫଡ଼ନାବିସ, ଜନମତକୁ ଅସମ୍ମାନ କରି ଏମ୍‌ଭିଏ ଗଢ଼ାଯାଇଥିଲା: ସିନ୍ଦେ

ମହାରାଷ୍ଟ୍ର ସଙ୍କଟର ନାଟକୀୟ ଅବସାନ: ୨ରୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ଼ ଆସିଛି। ଶିବସେନା ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସିନ୍ଦେ ପ୍ରଥମ କ୍ୟାବିନେଟ ବୈଠକ କରିଛନ୍ତି ଏବଂ ଜୁଲାଇ ୨ରୁ ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡକାଇଛନ୍ତି। ଶପଥ ଗ୍ରହଣ ପୂର୍ବରୁ ଆଜି ବିଜେପିର କେତେକ ‌ନିଷ୍ପତ୍ତି ସମସ୍ତଙ୍କୁ ବିସ୍ମିତ କରିଥିଲା। ଫଡ଼ନାବିସ ମୁଖ୍ୟମନ୍ତ୍ରୀ ହେବେ ‌ବୋଲି ପ୍ରଥମେ ଖବର ପ୍ରସାରିତ ହୋଇଥିଲା। କିନ୍ତୁ ରାଜ୍ୟପାଳଙ୍କୁ ଭେଟିବାପରେ ଫଡ଼ନାବିସ ଏବଂ ସିନ୍ଦେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଫଡ଼ନାବିସ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରି ସମସ୍ତଙ୍କୁ ଆ‌ଚମ୍ବିତ କରିଦେଇଥିଲେ। ଫଡ଼ନାବିସ କହିଥିଲେ, ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାପରେ ଆମେ କ୍ୟାବିନେଟ୍‌ ସମ୍ପ୍ରସାରଣ କରିବୁ। ଶିବସେନା ଏବଂ ବିଜେପି ନେତାମାନେ ଶପଥ ‌ନେବେ। କିନ୍ତୁ ମୁଁ ସରକାରରୁ ବାହା‌ରେ ରହିବି ବୋଲି ସେ କହିଥିଲେ। ତେବେ ସନ୍ଧ୍ୟାରେ ଏହି ସ୍ଥିତି ବଦଳି ଯାଇଥିଲା ଏବଂ ବିଜେପି ଅଧ୍ୟକ୍ଷ ଜେଡି ନଡ୍ଡା ଫଡ଼ନାବିସ୍‌ଙ୍କୁ ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ରହିବାକୁ ଅନୁରୋଧ କରିଥିଲେ ଏବଂ ଫଡ଼ନାବିସ ଏହାକୁ ଗ୍ରହଣ କରିଥିଲେ।

ଫଡ଼ନାବିସ କହିଛନ୍ତି, ୨୦୧୯ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ‌ ଲୋକେ ବିଜେପି-ଶିବସେନା ମେଣ୍ଟକୁ ଭୋଟ୍‌ ଦେଲେ। ବିଧାନସଭା ନିର୍ବାଚନରେ ଆମକୁ ବହୁମତ ମିଳିଲା। ଆମେ ସରକାର ଗଢ଼ିବାର ଆଶା ରଖିଥିଲୁ। କିନ୍ତୁ ଶିବସେନା ଅଲଗା ବାଟ ବାଛିଲା। ବାଲାସାହେବ ଜୀବନ ସାରା ଯେଉଁମାନଙ୍କୁ ବିରୋଧ କରି ଆସିଛନ୍ତି ଶିବସେନା ସେମାନଙ୍କ ସହ ମେଣ୍ଟ କଲା। ଏକନାଥ ସିନ୍ଦେ ଏନ୍‌ସିପି ଏବଂ କଂଗ୍ରେସ ସହ ମେଣ୍ଟ ଭାଙ୍ଗିବାକୁ ଚାହିଥିଲେ ସୁଦ୍ଧା ଉଦ୍ଧବ ଏହା କରାଇ ଦେଇନଥିଲେ। ଫଡ଼ନାବିସ କହିଥିଲେ, ସରକାର କିଭଳି ଠିକ୍‌ ଭାବେ କାର୍ଯ୍ୟ କରିବ ତାହା ମୋର ଦାୟିତ୍ବ। ଏହା କ୍ଷମତା ପାଇଁ ଲଢ଼େଇ ନୁହେଁ, ହିନ୍ଦୁତ୍ବ ପାଇଁ ଏହି ଲଢ଼େଇ ବୋଲି ସେ କହିଥିଲେ। ଫଡ଼ନାବିସ ବଡ଼ ହୃଦୟ ଦେଖାଇଥିବାରୁ ସିନ୍ଦେ ଏଥିପାଇଁ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ କୃତଜ୍ଞତା ଜଣାଇଛନ୍ତି। ସିନ୍ଦେ କହିଛନ୍ତି, ମେଣ୍ଟ ସରକାରରେ ଏନ୍‌ସିପି ଓ କଂଗ୍ରେସର ଜନବିରୋଧୀ ନୀତିକୁ ଉଦ୍ଧବ ଲାଗୁ କରୁଥିଲେ ଏବଂ ଦଳର ନେତାଙ୍କ ମତକୁ ଅଣଦେଖା କରୁଥିଲେ। ଜନମତକୁ ଅସମ୍ମାନ କରି ଗଢ଼ାଯାଇଥିବା ଏମ୍‌ଭିଏ ମେଣ୍ଟ ହିନ୍ଦୁତ୍ବ ବିରୋଧୀ ଥିଲା ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe