ଆଣ୍ଟାର୍କଟିକାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ, ଶ୍ବେତ ବରଫ ଉପରେ ମାଡ଼ିଚାଲିଛି ସବୁଜ ଶୈବାଳ

ଆଣ୍ଟାର୍କଟିକାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ, ଶ୍ବେତ ବରଫ ଉପରେ ମାଡ଼ିଚାଲିଛି ସବୁଜ ଶୈବାଳ

ଲଣ୍ତନ: ବରଫୀକୃତ ହୈମ ମହାଦେଶ ଆଣ୍ଟାର୍କଟିକା ଉପରେ ବର୍ଦ୍ଧିଷ୍ଣୁ ତାପମାତ୍ରାର ପରିଣତି ସ୍ବରୂପ ଏହି ବିଜନ ତୁଷାର ଭୂଇଁରେ ସବୁଜ ଶୈବାଳ ସୃଷ୍ଟି ହୋଇଛି। ସୁଦୀର୍ଘ ଶ୍ବେତ ବରଫ ଚାଦର ଉପରେ ଏହି ଶୈବାଳଗୁଡି଼କ ଏତେ ପରିମାଣରେ ମାଡ଼ିଚାଲିଛି ଯେ ଆକାଶମାର୍ଗରୁ ବି ବାରି ହୋଇପଡୁଛି। ଅପରପକ୍ଷେ, ଏହି ଶୈବାଳ ପରି ଜୈବିକ ପଦାର୍ଥଗୁଡି଼କ ବାୟୁମଣ୍ତଳରୁ ବିଷାକ୍ତ ଅଙ୍ଗାରକାମ୍ଳ ବାଷ୍ପକୁ ଶୋଷିବାରେ ସହାୟକ ହୋଇ ପରିବେଶ ପାଇଁ ଅନୁକୂଳ ବାର୍ତ୍ତା ଆଣିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି। ଆକାଶମାର୍ଗରୁ ଜଣାପଡୁନଥିବା ଆଣ୍ଟାର୍କଟିକାରେ ଲୋହିତ ଏବଂ ପୀତ ରଙ୍ଗର ଶୈବାଳ ଉପରେ ମଧ୍ୟ ଉନ୍ନତ ଗବେଷଣା ଅନେକ ଅନାଲୋଚିତ ଅଧ୍ୟାୟକୁ ସାମନାକୁ ଆଣିବାର ଆଶା କରାଯାଉଛି। ଯଦିଓ ଏହି ମାନବଶୂନ୍ୟ ମହାଦେଶରେ ଏପରି ଶୈବାଳ ସୃଷ୍ଟି ସମ୍ପର୍କରେ ବହୁ ବର୍ଷ ତଳେ ବ୍ରିଟେନ୍ ଅଭିଯାତ୍ରୀ ଆର୍ନେଷ୍ଟ ସାକଲଟନ୍ ଆବିଷ୍କାର କରିଥିଲେ, ତେବେ ତାହା ଏତେ ବ୍ୟାପକ ହୋଇଥିବ ବୋଲି ଆଗରୁ ଜଣାପଡି଼ନଥିଲା। ଦୁଇ ବର୍ଷ ହେଲା ୟୁରୋପୀୟ ମହାକାଶ ଗବେଷଣା ସଂସ୍ଥାର ସେମ୍‌ଟିନେଲ୍-୨ ଉପଗ୍ରହ ଦ୍ବାରା ଉତ୍ତୋଳିତ ଫଟୋସମୂହରୁ ଏପରି ବିରଳ ଦୃଶ୍ୟ ଲୋକଲୋଚନକୁ ଆସିପାରିଛି।

ସେହିପରି କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟ ଓ ବ୍ରିଟିଶ ଆଣ୍ଟାର୍କଟିକା ସବେର୍କ୍ଷଣର ଗବେଷକମାନେ ଆଣ୍ଟାର୍କଟିକା ଉପଦ୍ବୀପର ଉପକୂଳରେ ଛାଇଯାଇଥିବା ଏହି ଶୈବାଳମାନଙ୍କର ପ୍ରଥମ ମାନଚିତ୍ର ପ୍ରକାଶ କରିଛନ୍ତି। ଏହି ମହାଦେଶରେ ସାଧାରଣତଃ ଶିଉଳି ଓ ଜଳଜ ଉଦ୍ଭିଦଗୁଡି଼କ ପ୍ରମୁଖ ଆଲୋକ ସଂଶ୍ଳେଷଣର ମାଧ୍ୟମ ରୂପେ ବିବେଚିତ। ତେବେ ଏହି ନୂତନ ଅନୁଧ୍ୟାନରୁ ସେଠାରେ ବିକଶିତ ହୋଇଥିବା ୧,୬୭୯ ପ୍ରକାରର ଶୈବାଳ ହିଁ ଏହି ନିଷ୍କ୍ରିୟ ମହାଦେଶର ବିଷାକ୍ତ ଅଙ୍ଗାରକାମ୍ଳ ବାଷ୍ପର ପ୍ରମୁଖ ଶୋଷକ ଭାବେ ପରିଗଣିତ ହେବ ବୋଲି କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ପ୍ରଖ୍ୟାତ ଉଦ୍ଭିଦବିଜ୍ଞାନୀ ମାଟ୍ ଡାଭେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe