ରାଜଧାନୀ ଉପରେ ଆତଙ୍କୀଙ୍କ ଆଖି! ସିମ୍‌ ବକ୍ସରୁ ସାଂଘାତିକ ତଥ୍ୟ, ପାକିସ୍ତାନ, ଚୀନ୍‌, ମଧ୍ୟପ୍ରାଚ୍ୟ ଦେଶର ଲିଙ୍କ୍‌

Advertisment

ବାଂଲାଦେଶରୁ ମନିଟର କରୁଥିଲା ଅସଦୁର

ବାଂଲାଦେଶରୁ ମନିଟର କରୁଥିଲା ଅସଦୁର

ଭଡ଼ାଟିଆ ୧୨ ଆତଙ୍କବାଦୀ: କଟକରେ ଥିଲେ କାନ୍ଦାହାର ବିମାନ ଅପହରଣକାରୀ

The Economic Times

ଭୁବ‌ନେଶ୍ବର: ବାଂଲାଦେଶରୁ ସିମ୍‌ ବକ୍ସକୁ ଅଣାଯାଇ ରାଜଧାନୀରେ ଇନ୍‌ଷ୍ଟଲ କରାଯାଇଥିଲା। ସିମ୍ ବକ୍ସକୁ ବ୍ୟବହାର କରି ପାକିସ୍ତାନ, ଚୀନ୍‌ ଓ ମଧ୍ୟପ୍ରାଚ୍ୟ ଭଳି ଦେଶକୁ କଲ୍‌ ଓ ମେସେଜ୍‌ କରି ଗୁପ୍ତ ତଥ୍ୟ ପ୍ରଦାନ କରାଯାଉଥିଲା। ବିଶେଷ କରି ସାଇବର ଠକେଇ ଓ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା। ରାଜଧାନୀର ଲକ୍ଷ୍ମୀସାଗର ମହାଦେବନଗରରୁ ଜବତ ହୋଇଥିବା ସିମ୍‌ ବକ୍ସ ଜବତ ଘଟଣାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ପୁଲିସ ସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହ ତଥ୍ୟ ପ୍ରଦାନ କରିବା ସହ ସିମ୍‌ ବକ୍ସ ରୢାକେଟ୍‌ର ଗୁମର ଖୋଲିଛନ୍ତି।

ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ପଶ୍ଚିମବଙ୍ଗ ଉତ୍ତର ଚବିଶ ପ୍ରଗଣାର ରାଜୁ ମଣ୍ଡଳ(୩୦)କୁ ଗିରଫ କରିଛି। ତା’ଠାରୁ ୭ଟି ସିମ୍‌ ବକ୍ସ, ୧୦୦୦ ସିମ୍‌, ୩ଟି ରାଉଟର, ଲ୍ୟାପଟପ୍‌ ଆଦି ଜବତ କରାଯାଇଛି। ତେବେ ରୢାକେଟ୍‌ ମାଷ୍ଟର ବାଂଲାଦେଶର ଅସଦୁର ଜମାନ(୨୯) ବୋଲି ଜଣାପଡ଼ିଛି। ତାକୁ ଗିରଫ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ ବୋଲି ଜଣାପଡ଼ିଛି।

ବାଂଲାଦେଶରୁ ମନିଟର କରୁଥିଲା ଅସଦୁର
ଭୁବନେଶ୍ବରରେ ୨ମାସ ରହି ଦେଇଥିଲା ତାଲିମ୍‌
କୋଡ୍‌ୱାର୍ଡରେ ଚାଲିଥିଲା ରୢାକେଟ୍‌, ରାଜୁ ଗିରଫ

ତଦନ୍ତରୁ ଜଣାପଡ଼ିଛି ଯେ ପାଖାପାଖି ବର୍ଷେ ତଳେ ରାଜୁ ସହ ଜମାନର ପରିଚୟ ହୋଇଥିଲା। ସେହି ସମୟରେ ସେ ରାଜୁକୁ ସିମ୍‌ବକ୍ସ ବ୍ୟବହାର କରି ‌କିପରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବ ତାକୁ ବାଟ ଦେଖାଇଥିଲା। ଏଥିପାଇଁ ସେମାନେ ଭୁବନେଶ୍ବରରେ ରହି ସିମ୍‌ ବକ୍ସ ଅପରେଟ୍‌ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଯୋଜନା ମୁତାବକ ୨୦୨୩ ଅକ୍ଟୋବର ୨୧ରେ ଜମାନ ଭାରତ ଆସିବା ପରେ ରାଜୁକୁ ଟିକ୍‌ନିକ୍‌ ବୁଝାଇଥିଲା। ପରେ ଉଭୟ ଭୁବନେଶ୍ବର ଆସିଥିଲେ। ରାଜଧାନୀର ଲିଙ୍ଗରାଜ ହୋଟେଲ୍‌ରେ ରହି ଭଡ଼ା ଘର ଖୋଜାଖୋଜି କରିଥିଲେ। ଭଡ଼ାଘର ଠିକ୍‌ କରିବା ପରେ ଜମାନ ୭ଟି ସିମ୍‌ବକ୍ସ ମଗାଇଥିଲା। ଉଭୟ ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମା ଦେଇ ସିମ୍‌ ବକ୍ସକୁ ଆଣିଥିଲେ। ସିମ୍‌ ବକ୍ସଗୁଡ଼ିକୁ ଯେଭଳି କେହି ଜାଣି ନପାରିବେ ସେଥିପାଇଁ ମ୍ୟୁଜିକ୍‌ ସିଷ୍ଟମ ଖୋଳରେ ଅଣାଯାଇଥିଲା। ସେଠାରୁ ସିଧା ଭୁବନେଶ୍ବର ଭଡ଼ା ଘରକୁ ଆଣି ୫ଟି ସିମ୍‌ ବକ୍ସକୁ ଇନଷ୍ଟଲ କରାଯାଇଥିଲା। ବାକି ୨ଟିକୁ ରିଜର୍ଭ ରଖାଯାଇଥିଲା। ଯଦି କୌଣସି ସିମ୍‌ ବକ୍ସ ଖରାପ ହୁଏ ରିଜର୍ଭ ଥିବା ସିମ୍‌ ବକ୍ସକୁ ବ୍ୟବହାର କରାଯାଉଥିଲା। ‌ଏଥିରେ ଅଧିକାଂଶ ପଶ୍ଚିମବଙ୍ଗର ଏୟାରଟେଲ୍‌ ସିମ୍‌କୁ ବ୍ୟବହାର କରାଯାଉଥିଲା। ହଜାର ହଜାର ପ୍ରି ଆକ୍ଟିଭେଟ୍‌ ସିମ୍‌ ମିଳିଥିବା ବେଳେ ୨୫୫ଟି ସିମ୍‌କୁ ବ୍ୟବହାର କରାଯାଉଥିଲା। ସେହିପରି ୩ଟି ସଂସ୍ଥାର ଇଣ୍ଟରନେଟ୍‌ କନେକ୍ସନ ନିଆଯାଇଥିଲା। ଆଉ ସମସ୍ତ କନେକ୍ସନ ରାଜୁ ନାମରେ ନିଆଯାଇଥିଲା। ୨ମାସ ଧରି ଜମାନ ରାଜଧାନୀରେ ରହି ରାଜୁକୁ ସିମ୍‌ ବକ୍ସ ବ୍ୟବହାର ନେଇ ତାଲିମ୍‌ ଦେଇଥିଲା। ରାଜୁ ତାଲିମ୍‌ ନେବା ପରେ ଡିସେମ୍ବର ୨୪ରେ ଜମାନ ବାଂଲାଦେଶ ପଳାଇଥିଲା। ରାଜୁ ଘରକୁ ଭଡ଼ା ସୂତ୍ରରେ ନେଇ ସିମ୍‌ ବକ୍ସକୁ ରଖି ରକ୍ଷଣାବେକ୍ଷଣ କରୁଥିଲା।

ଆଉ ଏଥିପାଇଁ ମାସିକ ୨ଲକ୍ଷ ଟଙ୍କା ନେଇଉଥିଲା। ହାୱଲା ମାଧ୍ୟମରେ ରାଜୁ ପାଖକୁ ଟଙ୍କା ଅସୁଥିଲା। ହେଲେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଜମାନ ବାଂଲାଦେଶରୁ ସିମ୍‌ ବକ୍ସକୁ ମନିଟର କରୁଥିଲା। ରାଜୁ ମଧ୍ୟ ମହାଦେବନଗର ଘରେ ରହୁନଥିଲା। ଯଦି କୌଣସି ସମୟରେ ସିମ୍‌ ବକ୍ସକୁ ନେଟ୍‌ୱର୍କ କି ବିଦ୍ୟୁତ୍‌ ସଂଯୋଗ ବା ଅନ୍ୟାନ୍ୟ ସମସ୍ୟା ହେଉଥି‌ଲା ଜମାନ ତୁରନ୍ତ ରାଜୁକୁ ଜଣାଉଥିଲା। ରାଜୁ ଘରକୁ ଆସି ସିମ୍‌ ବକ୍ସ ଠିକ୍‌ କରିବା ପରେ ସେଠାରୁ ଚାଲିଯାଉଥିଲା। ତେବେ ସେ କୌଣସି ସମସ୍ୟା ହେଉ କି କଲ୍‌ କି ମେସେଜ୍‌ ପାଇଁ ଏମାନେ ସମ୍ପୂର୍ଣ୍ଣ କୋଡୱାର୍ଡରେ କଥାବାର୍ତ୍ତା ହେଉଥିଲେ। ଯେଭଳି କୌଣସି ଗୁଇନ୍ଦା ସଂସ୍ଥା କି ପୁଲିସ ସେମାନଙ୍କ ଟେର୍‌ ପାଇବ ନାହିଁ। ମଝିରେ ମଝିରେ ଜମାନ ପଶ୍ଚିମବଙ୍ଗ ଓ ଭୁବନେଶ୍ବର ଆସି ରାଜୁକୁ ସମସ୍ତ ସହାୟତା ଯୋଗାଇଥିଲା। ପରେ ଅନ୍ୟ ଦୁଇଟି ସ୍ଥାନରେ ସିମ୍‌ ବକ୍ସ ଇନ୍‌‌ଷ୍ଟଲ କରିଥିଲେ। ଧୀରେ ଧୀରେ ନେଟ୍‌ୱର୍କ ବି ବଢ଼ାଇଥିଲେ। ଯୁବକଙ୍କୁ ଅଧିକ ଅର୍ଥ ରୋଜଗାରର ଲୋଭ ଦେଖାଇ ଏଥିରେ ସେମାନଙ୍କୁ ସାମିଲ୍‌ କରିଥିଲେ। ତେବେ ସେମାନେ କେଉଁଠି ଇନଷ୍ଟଲ କରିଛନ୍ତି? କିଏ ପରିଚାଳନା କରୁଛି? ଆଉ କେଉଁ ଦେଶର ସନ୍ଦିଗ୍ଧ ସମ୍ପୃକ୍ତ ଅଛନ୍ତି? ଏସବୁକୁ ଠାବ ପାଇଁ କମିସନରେଟ୍‌ ପୁଲିସ ତନାଘନା ଜାରି ରଖିଛି। ଖାଲି ଏତିକି ନୁହେଁ, ସେମାନଙ୍କ ଆର୍ଥିକ କାରବାର ଦିଗରେ ମଧ୍ୟ ଖୋଳତାଡ଼ ହେବ। ତେଣୁ ରାଜୁକୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରା ଉଚରା କରାଯିବ ବୋଲି ପୁଲିସ କମିସନର ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe