ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଦ୍ବାରା ଅନୁଷ୍ଠିତ ଟ୍ରାକ୍ଟର ରୢାଲିରେ ହୋଇଥିବା ବ୍ୟାପକ ହିଂସା ଓ ଭଙ୍ଗାରୁଜା ମାମଲାରେ ଦିଲ୍ଲୀ ପୁଲିସ ଆଜି ଚାଷୀ ନେତାମାନଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି। ଯେଉଁ ଚାଷୀ ନେତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି ସେମାନେ ତୁରନ୍ତ ନିଜର ପାସ୍ପୋର୍ଟ ଦାଖଲ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ହିଂସା ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ଜଣେ ବି ଆକ୍ରମଣକାରୀ ନିସ୍ତାର ପାଇବେ ନାହିଁ ବୋଲି କହିଛନ୍ତି। ଚାଷୀଙ୍କ ଯୋଜନାବଦ୍ଧ ଆକ୍ରମଣରେ ସମଗ୍ର ଦିଲ୍ଲୀରେ ମୋଟ ୩୯୪ ଜଣ ପୁଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି।
ଆଜି ଗୃହମନ୍ତ୍ରୀ ଅମିତ ଶାହ ଆହତ ପୁଲିସ କର୍ମୀଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହୋଇଛନ୍ତି। ଦିଲ୍ଲୀର ସମସ୍ତ ସମ୍ବେଦନଶୀଳ ଅଂଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିଛି ଏବଂ ମୋବାଇଲଟ୍ ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଛି। ଦିଲ୍ଲୀ ପୁଲିସ ଟ୍ରାକ୍ଟର ରୢାଲି ହିଂସା ମାମଲାରେ ଚାଷୀ ନେତା ଯୋଗେନ୍ଦ୍ର ଯାଦବ, ରାକେଶ ଟିକାୟତଙ୍କ ସମେତ ମୋଟ ୩୭ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛନ୍ତି। ଏହି ନେତାମାନଙ୍କ ବିରୋଧରେ ଦଙ୍ଗା, ଅପରାଧିକ ଷଡ଼ଯନ୍ତ୍ର, ହତ୍ୟା ଉଦ୍ୟମ ଆଦି ଧାରାରେ ମାମଲା ରୁଜୁ ହୋଇଛି । ଚାଷୀ ନେତା ରାକେଶ ଟିକାୟତ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ନୂଆ କୃଷି ଆଇନ ପ୍ରତ୍ୟାହାର ନହୁଏ ତା’ହେଲେ ସେ ଆତ୍ମହତ୍ୟା କରିବେ। ଆନ୍ଦୋଳନକାରୀ ଚାଷୀମାନେ ଭୁଲ୍ରେ ଲାଲକିଲ୍ଲାରେ ପଶିଯାଇଥିଲେ ଏବଂ ଏତେ ବଡ଼ ହିଂସା ଘଟିିଯିବ ବୋଲି ଆମେ ଭାବିନଥିଲୁ ବୋଲି ଟିକାୟତ କହିଛନ୍ତି।
ଚାଷୀ ନେତାମାନେ ଉତ୍ତେଜକ ଭାଷଣ ଦେଇ ଏବଂ ଚାଷୀଙ୍କୁ ବିଭ୍ରାନ୍ତ କରି ହିଂସା ପାଇଁ ଉସୁକାଇଥିଲେ ବୋଲି ଦିଲ୍ଲୀ ପୁଲିସ ମୁଖ୍ୟ ଏସ୍.ଏନ୍. ଶ୍ରୀବାସ୍ତବ କହିଛନ୍ତି। କେତେକ ସ୍ଥାନରେ ଆନ୍ଦୋଳନକାରୀମାନେ ପୁଲିସଠାରୁ ଅସ୍ତ୍ର, ଗୁଳି ଏବଂ ଟିୟର୍ଗ୍ୟାସ୍ ସେଲ୍ ମଧ୍ୟ ଛଡ଼ାଇ ନେଇଥିବା ରିପୋର୍ଟ ହୋଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଲାଲ୍କିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ ଉପଦ୍ରବକାରୀମାନେ କେତେକ ଗୁରୁତ୍ବପୂର୍ଣ୍ଣ କାନ୍ଥ ଓ ମିନାର୍କୁ ମଧ୍ୟ ଭାଙ୍ଗିଥିବା ଜଣାପଡ଼ିଛି।
Follow Us