ରିଜର୍ଭ ବ୍ୟାଙ୍କ ବୋର୍ଡ ନିର୍ଦ୍ଦେଶକଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ: ଜମାରାଶି ବଢ଼ାଇବାକୁ ପରାମର୍ଶ

ରିଜର୍ଭ ବ୍ୟାଙ୍କ ବୋର୍ଡ ନିର୍ଦ୍ଦେଶକଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ: ଜମାରାଶି ବଢ଼ାଇବାକୁ ପରାମର୍ଶ

ନୂଆଦିଲ୍ଲୀ: ୨୦୨୪-୨୫ ବଜେଟ୍‌ ଉପସ୍ଥାପନ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ରିଜର୍ଭ ବ୍ୟାଙ୍କ ବୋର୍ଡର ନି‌ର୍ଦ୍ଦେଶକମଣ୍ଡଳୀ ବୈଠକରେ ଯୋଗଦେଇଛନ୍ତି। ବ୍ୟାଙ୍କଗୁଡ଼ିକ ସେମାନଙ୍କୁ ମୁଖ୍ୟ କାର୍ଯ୍ୟ ଜମା ସଂଗ୍ରହ ଓ ଋଣ ପ୍ରଦାନ ଉପରେ ଗୁରୁତ୍ବ ଦେବାକୁ ଅର୍ଥମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ ଏହା ଚାହାନ୍ତି ବୋଲି ନିର୍ମଳା ମତ ଦେଇଛନ୍ତି। ଏହି ବୈଠକରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଯୋଗଦେଇ କହିଥିଲେ ଯେ ବ୍ୟାଙ୍କଗୁଡ଼ିକ ସେମାନଙ୍କ ସୁଧ ହାର ସଂପର୍କରେ ନିଷ୍ପତ୍ତି ନେବାର ସ୍ବାଧୀନତା ରହିଛି। ଜମା ଓ ଋଣ ସୁଧ ହାର ନିର୍ଦ୍ଧାରଣକୁ ନିୟନ୍ତ୍ରଣମୁକ୍ତ କରାଯାଇଛି ବୋଲି ସେ କହିଥିଲେ।

ତେବେ ଜମା ଓ ଋଣ ପ୍ରଦାନ ମଧ୍ୟରେ ତାଳମେଳ ରହୁ ନଥିବାରୁ ଶକ୍ତିକାନ୍ତ ଏ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ବ୍ୟାଙ୍କଗୁଡ଼ିକ ‌ସେମାନଙ୍କ ଋଣ ଚାହିଦା ପୂରଣ ପାଇଁ ଅତ୍ୟଧିକ ମାତ୍ରାରେ ସ୍ବଳ୍ପ ଅବଧି ଏବଂ ଅଣ ଖୁଚୁରା ଜମା ଓ ଅନ୍ୟାନ୍ୟ କେତେକ ଆର୍ଥିକ ଉପକରଣ ଉପରେ ନିର୍ଭର କରୁଛନ୍ତି। ଏହା ଜାରି ରହିଲେ ବ୍ୟାଙ୍କିଂ ବ୍ୟବସ୍ଥାରେ ନଗଦ ଅର୍ଥ ଢାଞ୍ଚାରେ ସମସ୍ୟା ଦେଖାଦେଇପାରେ। ତେଣୁ ବ୍ୟାଙ୍କଗୁଡ଼ିକ ଅଧିକ ମାତ୍ରାରେ ପାରିବାରିକ ସଂଚୟ ସଂଗ୍ରହ ଉପରେ ଗୁରୁତ୍ବ ଦେବା ଆବଶ୍ୟକ। ଏଥିପାଇଁ ସେମାନଙ୍କୁ ନୂଆ ନୂଆ ଉତ୍ପାଦ ଓ ସେବା ବିକାଶ କରିବାକୁ ହେବ। ଏଥିସହିତ ସେମାନଙ୍କର ରହିଥିବା ବ୍ୟାପକ ଶାଖା ନେଟୱର୍କର ସଂପୂର୍ଣ୍ଣ ଉପଯୋଗ କରିବାକୁ ପଡ଼ିବ। ଜମା ଏବଂ ଋଣ ମଧ୍ୟରେ ରହୁଥିବା ପାର୍ଥକ୍ୟକୁ ଦୂର କରିବା ପାଇଁ ବ୍ୟାଙ୍କଗୁଡ଼ିକ ଅଭିନବ ଓ ଆକର୍ଷଣୀୟ ଜମା ଯୋଜନା ଆଣନ୍ତୁ ବୋଲି ଅର୍ଥମନ୍ତ୍ରୀ ଏହି ଅବସରରେ ପରାମର୍ଶ ଦେଇଛନ୍ତି। ବୈଠକରେ ୨୦୨୪-୨୫ ବଜେଟରେ ହୋଇଥିବା ଯୋଜନା ଏବଂ ଭବିଷ୍ୟତର ଅର୍ଥନୈତିକ ଦୃଶ୍ୟପଟ ଉପରେ ସମୀକ୍ଷା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe