Image Courtesy of India Today
ନୂଆଦିଲ୍ଲୀ: ଫ୍ରାନ୍ସ୍ରୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ପାଞ୍ଚଟି ରାଫେଲ୍ ଲଢୁଆ ଜେଟ୍ ଆଉ ଅଳ୍ପ ସମୟ ମଧ୍ୟରେ ହରିୟାଣାର ଅମ୍ବାଲାରେ ଅବତରଣ କରିବ। ଭାରତୀୟ ଆକାଶସୀମାରେ ବର୍ତ୍ତମାନ ଏହା ଗତି କରୁଛି। ସୋମବାର ଦିନ ଏହି ପାଞ୍ଚଟି ଜେଟ୍ ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରି ଗତକାଲି ସ୍ବଳ୍ପ ସମୟ ଲାଗି ୟୁନାଇଟେଡ୍ ଆରବ ଏମିରେଟ୍ସ୍ରେ ରହିଥିଲା। ଏଥିପୂର୍ବରୁ ମଝିଆକାଶରେ ଏଥିରେ ଇନ୍ଧନ ଭର୍ତ୍ତି ହୋଇଥିଲା।
ଆଜି ଅପରାହ୍ଣରେ ଭାରତର ବାୟୁସୀମାରେ ପ୍ରବେଶ କରିବା ପରେ ପଶ୍ଚିମ ଆରବ ସାଗରରେ ମୁତୟନ ହୋଇଥିବା ଭାରତୀୟ ନୌସେନାର ଯୁଦ୍ଧପୋତଗୁଡ଼ିକ ତରଫରୁ ପାଞ୍ଚଟି ରାଫେଲ୍ ଜେଟ୍କୁ ସ୍ବାଗତ କରାଯାଇଥିଲା। ରାଫେଲ୍ ଜେଟ୍ ପ୍ରତି ବେତାର ବାର୍ତ୍ତା ପ୍ରେରଣ କରି ଆଇଏନ୍ଏସ୍ କୋଲ୍କାତା କହିଥିଲା, ‘ସଗୌରବ ଅକାଶ ସ୍ପର୍ଶ କର। ଶୁଭାବତରଣ।’ ଏହାର ପ୍ରତ୍ୟୁତ୍ତର ଦେଇ ରାଫେଲ୍ ପାଇଲଟ୍ କହିଥିଲେ, ‘ଭାରତୀୟ ନୌସେନା ଯୁଦ୍ଧପୋତ ପାଇଁ ଅନୁକୂଳ ପବନ ପ୍ରବାହ ହେଉ।’
୩୬ଟି ରାଫେଲ୍ ଜେଟ୍ ଖରିଦ କରିବା ଲାଗି ଚାରିବର୍ଷ ତଳେ, ୨୦୧୬ ସେପ୍ଟେମ୍ବର ୨୩ ତାରିଖରେ ଫ୍ରାନ୍ସ ଓ ଭାରତ ମଧ୍ୟରେ ୫୯୦୦୦ କୋଟି ଟଙ୍କାର ରାଜିନାମା ହୋଇଥିଲା।
ଚିଫ୍ ଅଫ୍ ଏୟାର୍ ଷ୍ଟାଫ୍ ଆର୍କେଏସ୍ ଭଦୌରିଆ ଅମ୍ବାଲାରେ ଏହି ପାଞ୍ଚଟି ବିମାନ ଗ୍ରହଣ କରିବେ ଏବଂ ରାଫେଲ୍ ଫାଇଟର ଜେଟ୍ ଭାରତୀୟ ବାୟୁସେନାରେ ସାମିଲ ହେବ।
ଏଥିପାଇଁ ଧୁଲକୋଟ, ବଳଦେବ ନଗର, ଗର୍ଣ୍ଣାଲା ଏବଂ ପଞ୍ଚଖେରା ସମେତ ଅମ୍ବାଲା ବିମାନଘାଟି ଅଞ୍ଚଳକୁ ଲାଗିଥିବା ଗାଁମାନଙ୍କରେ ୧୪୪ ଧାରା ଜାରି କରାଯାଇଛି। ବିମାନଘାଟି ନିକଟରେ ବ୍ୟକ୍ତିଗତ ଡ୍ରୋନ୍ ଉଡ଼ାଇବା କିଂବା ଫଟୋ ଓ ଭିଡିଓ ଉତ୍ତୋଳନ ନ କରିବାକୁ ସ୍ଥାନୀୟ ଲୋକମାନଙ୍କୁ କୁହାଯାଇଛି।
Follow Us