Image Source: Voice of America
ନୂଆଦିଲ୍ଲୀ: ଚୀନ୍ର ପ୍ରମୁଖ ଔଷଧ କମ୍ପାନି କ୍ୟାନ୍ସିନୋ ବାୟୋଲୋଜିକ୍ସ ଦ୍ବାରା ବିକଶିତ ନୂତନ କୋଭିଡ୍-୧୯ ଟିକା 'ଏଡି୫–ଏନ୍କୋଭ୍' ପ୍ରଥମ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ନିରାପଦ ସାବ୍ୟସ୍ତ ହୋଇଛି। ଏପରିକି ବରିଷ୍ଠ ନାଗରିକଙ୍କ ଶରୀରରେ ଏହା ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍-୨ ବିରୋଧରେ ମଧ୍ୟ ଉଲ୍ଲେଖନୀୟ ରୋଗପ୍ରତିରୋଧକ ବଢ଼ାଇପାରୁଥିବା ଜଣାଯାଇଛି। ସାଧାରଣ ଥଣ୍ତାଜ୍ବର ସୃଷ୍ଟି କରୁଥିବା ଆଡିନୋଭୂତାଣୁ ନାମକ ଏକ ଦୁର୍ବଳ ଶ୍ରେଣୀର ଭୂତାଣୁକୁ ଏହି ଟିକାର ପ୍ରମୁଖ ରୋଗପ୍ରତିରୋଧୀ ବାହକ ବା ଭେକ୍ଟର ଭାବେ ବ୍ୟବହାର କରାଯାଇଛି। ଏହି ସ୍ବତନ୍ତ୍ର ପ୍ରଜାତି ଭେକ୍ଟରର ବିଶେଷତ୍ବ ହେଲା ଏହା ମନୁଷ୍ୟ ଜୀବକୋଷକୁ ସଂକ୍ରମିତ କରୁଥିଲେ ବି କୌଣସି ରୋଗ ସୃଷ୍ଟିର କାରଣ ହୋଇନଥାଏ। ଚୀନ୍ ହୁବେଇ ପ୍ରଦେଶର ଉହାନ ସହରରେ ୧୮ରୁ ୬୦ ବର୍ଷ ବୟସ ଭିତରର ୧୦୮ ଜଣ ସ୍ବେଚ୍ଛାସେବୀଙ୍କ ଠାରେ ଚୀନ୍ର ପ୍ରଥମ କରି ନୈଦାନିକ ପରୀକ୍ଷଣ ସ୍ତରରେ ପହିଞ୍ଚିଥିବା ଏହି ଟିକାର ତିନି ପ୍ରକାର ମାତ୍ରାର ପ୍ରୟୋଗରୁ ଏପରି ଫଳାଫଳ ମିଳିଥିବା କଥା ଦି ଲାନ୍ସେଟ ପତ୍ରିକାରେ ପ୍ରକାଶ ପାଇଛି।
The Hindu
ଅପରପକ୍ଷେ, ଏହି ପରୀକ୍ଷଣରେ ୫୮ ଜଣଙ୍କ ଠାରେ ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ଟିକେ ଦରଜ ଅନୁଭୂତ ହୋଇଥିଲା। ସେହିପରି ୫୦ ଜଣଙ୍କୁ ସାମାନ୍ୟ ଜ୍ବର, ୪୭ ଜଣଙ୍କୁ କ୍ଲାନ୍ତି, ୪୨ ଜଣଙ୍କର ମୁଣ୍ତବଥା ଏବଂ ୧୮ ଜଣଙ୍କର ମାଂସପେଶୀରେ ଯନ୍ତ୍ରଣା ଜଣାପଡି଼ଥିଲାା ଏ ସବୁ ପାର୍ଶ୍ବ ପ୍ରତିକ୍ରିୟା ସାମାନ୍ୟରୁ ମଧ୍ୟମ ଧରଣର ଥିଲା। କେବଳ ଉଚ୍ଚମାତ୍ରାର ଟିକା ନେଇଥିବା ଜଣେ ସ୍ବେଚ୍ଛାସେବୀଙ୍କୁ ଭୀଷଣ ଜ୍ବର ସହ ଅତିଶୟ ଅବସନ୍ନତା, ଶ୍ବାସକ୍ରିୟାରେ କଷ୍ଟ ଏବଂ ମାଂସପେଶୀରେ ଅଧିକ ଯନ୍ତ୍ରଣା ହୋଇଥିଲା। ତେବେ ଏହି ସବୁ ପ୍ରତିକ୍ରିୟା ୪୮ ଘଣ୍ଟାରୁ କମ୍ ସମୟ ଯାଏ ରହିଥିଲା। ସବୁଠୁ ଆଶ୍ବସ୍ତିର କଥା ହେଲା, ଟିକା ନେବା ପରେ ୨୮ ଦିନ ଯାଏ କାହାଠାରେ ବି ଅତିଶୟ ପ୍ରତିକୂଳ ପ୍ରତିକ୍ରିୟା ମିଳିନଥିଲାା ସେହିପରି 'ଏଡି୫-ଏନ୍କୋଭ୍' ଟିକାର ରୋଗପ୍ରତିରୋଧକତା ଯଥେଷ୍ଟ ଅଧିକ ରହିଥିବା ବେଳେ ସ୍ବେଚ୍ଛାସେବୀମାନେ ଏହାକୁ ଗ୍ରହଣ କରିବାର ୨୮ ଦିନ ପରେ ସେମାନଙ୍କ ଠାରେ ରୋଗପ୍ରତିରୋଧକ ଶକ୍ତି ୪ ଗୁଣା ବଡ଼ିଥିବା ଜଣାପଡି଼ଥିଲା। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣର ଏପରି ସଫଳତା ପରେ ଏହି ଟିକାର ବ୍ୟାପକ ତଥା ଦ୍ବିତୀୟ ପର୍ଯ୍ୟାୟ ବ୍ୟାବହାରିକ ପରୀକ୍ଷଣକୁ ଦୁଇ ଗୁଣ ସ୍ବେଚ୍ଛାସେବୀଙ୍କ ଠାରେ ବିକ୍ଷିପ୍ତ ଭାବେ କରାଯିବ। ଏହି ପର୍ଯ୍ୟାୟରେ ମୋଟ ୫୦୦ ଜଣ ସୁସ୍ଥ ତଥା ବରିଷ୍ଠ ନାଗରିକଙ୍କ ମଧ୍ୟରୁ ୧୨୫ ଜଣଙ୍କୁ ସ୍ବଳ୍ପ ମାତ୍ରାର ଏବଂ ବାକି ୧୨୫ ଜଣଙ୍କୁ ମଧ୍ୟମ ମାତ୍ରାର ଟିକା ପ୍ରୟୋଗ କରିବାକୁ ସ୍ଥିର ହୋଇଛିା
Follow Us