Times of India
ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ ପରେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ନୂଆ କ୍ୟାବିନେଟ୍ର ଭର୍ଚୁଆଲ୍ ବୈଠକ କରିଛନ୍ତି। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଅନୁଷ୍ଠିତ ଏହି ପ୍ରଥମ ବୈଠକରେ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ ସାମିଲ ହୋଇଥିଲେ। ବୈଠକ ପରେ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ବାବଦରେ ସୂଚନା ଦେଇ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା କହିଛନ୍ତି, ଦେଶରେ କୋଭିଡ୍ ସଙ୍କଟର ମୁକାବିଲା ପାଇଁ ସରକାର ୨୩,୧୨୩ କୋଟି ଟଙ୍କାର ଜରୁରୀ ପ୍ୟାକେଜ୍ ବ୍ୟବସ୍ଥା କରିଛନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ, ଜରୁରୀ ସ୍ବାସ୍ଥ୍ୟସେବା ଏବଂ ଏ ବାବଦ ଅନ୍ୟ ସହାୟତା ବାବଦରେ ଏହି ଅର୍ଥ ଖର୍ଚ୍ଚ କରାଯିବ। କେନ୍ଦ୍ର ଓ ରାଜ୍ୟ ରାଜ୍ୟ ସରକାରମାନେ ମିଳିତ ଭାବେ ଏହି ପାଣ୍ଠି ଖର୍ଚ୍ଚ କରିବେ। ଦେଶରେ ୨୦ ହଜାର ନୂଆ ଆଇସିୟୁ ବେଡ୍ ବ୍ୟବସ୍ଥା କରାଯିବ ଏବଂ ୭୩୬ ଜିଲ୍ଲାରେ ଶିଶୁ ଯତ୍ନ କେନ୍ଦ୍ର ସ୍ଥାପନ ହେବ।
ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ସରକାରଙ୍କ ଏହି ଜରୁରୀ ପାଣ୍ଠିର ବିନିଯୋଗ କରୋନା ବିରୋଧୀ ଲଢ଼େଇକୁ ନିର୍ଣ୍ଣାୟକ ରୂପ ଦେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କ୍ୟାବିନେଟ୍ରେ କୃଷକଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି। ମଣ୍ଡି ମାଧ୍ୟମରେ ୧ ଲକ୍ଷ କୋଟି ଟଙ୍କା କୃଷକଙ୍କ ନିକଟରେ ପହଞ୍ଚାଇବାକୁ ସରକାର ଯୋଜନା କରିଛନ୍ତି। ଏପିଏମ୍ସି ମଣ୍ଡଗୁଡ଼ିକୁ ଅଧିକ ସଂଗଠିତ ଓ ସଶକ୍ତ କରିବା ପାଇଁ ସରକାର ବିସ୍ତୃତ ରୂପରେଖ ପ୍ରସ୍ତୁତ କରିଛନ୍ତି। କୃଷି ମଣ୍ଡିଗୁଡ଼ିକୁ ଅଧିକ ସମ୍ବଳ ଯୋଗାଇ ଦିଆଯିବ। ମଣ୍ଡି ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ଏବଂ ଏହାକୁ ବନ୍ଦ ହେବାକୁ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ନୂଆ କୃଷି ଆଇନରେ ମଣ୍ଡି ବ୍ୟବସ୍ଥା ବନ୍ଦ ହେବ ବୋଲି କିଛି ଲୋକ ମିଥ୍ୟା ପ୍ରଚାର କରି ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ତୋମାର କହିଛନ୍ତି। ଦେଶରେ ନଡ଼ିଆ ଚାଷକୁ ପ୍ରୋତ୍ସାହନ ଦେବାପାଇଁ ରହିଥିବା ବୋର୍ଡରେ ସରକାର ସଂଶୋଧନ ଆଣିବେ ଏବଂ କୃଷକ ପୃଷ୍ଠଭୂମିର ବ୍ୟକ୍ତିଙ୍କୁ ଏଥିରେ ଅଧ୍ୟକ୍ଷ କରାଯିବ। ଏହା ବ୍ୟତୀତ ବୋର୍ଡର ଦାୟିତ୍ବ ନିର୍ବାହ ପାଇଁ ଜଣେ ସିଇଓ ରହିବେ ବୋଲି କୃଷିମନ୍ତ୍ରୀ କହିଛନ୍ତି।
Follow Us