ନୂଆଦିଲ୍ଲୀ: କରୋନାର ଦ୍ବିତୀୟ ଲହରରେ ଗଙ୍ଗାରେ ମୃତଦେହ ଭାସିବା ସଂକ୍ରାନ୍ତରେ କେନ୍ଦ୍ର ସରକାର ଆଜି ରାଜ୍ୟସଭାରେ ଟିପ୍ପଣୀ ରଖିଛନ୍ତି। ଗଙ୍ଗାରେ କେତେ ମୃତଦେହ ଭାସିଛି ସେ ସଂକ୍ରାନ୍ତ ଖବର ଆମ ପାଖରେ ଉପଲବ୍ଧ ନାହିଁ ବୋଲି ସରକାର କହିଛନ୍ତି। ଉତ୍ତରପ୍ରଦେଶ ଏବଂ ବିହାରର ବିଭିନ୍ନ ଜିଲ୍ଲାରେ ଗଙ୍ଗା ନଦୀ ଏବଂ ଏହାର କୂଳରେ ଅଚିହ୍ନା ମୃତଦେହ ପଡ଼ିବା ସଂକ୍ରାନ୍ତରେ ଟିଏମ୍ସି ସାଂସଦ ଡେରେକ୍ ଓବ୍ରାଏନ୍ ପ୍ରଶ୍ନ କରିଥିଲେ। ପ୍ରଶ୍ନର ଉତ୍ତର ଦେଇ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ କହିଛନ୍ତି, ଗଙ୍ଗାରେ କେତେ ସଂଖ୍ୟକ କରୋନା ମୃତଦେହ ଭାସିଛି ସେ ସଂକ୍ରାନ୍ତ କୌଣସି ସୂଚନା ଆମ ପାଖରେ ନାହିଁ।
ସରକାରଙ୍କ ଏଭଳି ଉତ୍ତରକୁ ବିରୋଧୀ ଦଳ ନେତାମାନେ କଡ଼ା ସମାଲୋଚନା କରିଛନ୍ତି। ସରକାରଙ୍କ ଉତ୍ତରରେ କଡ଼ା ପ୍ରତିକ୍ରିୟା ରଖିଛି କଂଗ୍ରେସ। କେସି ବେଣୁଗୋପାଳ କହିଛନ୍ତି, ଆଜିର ଉତ୍ତର ସରକାର ଦେଇଥିବା ଅକ୍ସିଜେନ୍ ଅଭାବ ଜନିତ ମୃତ୍ୟୁ ସଂକ୍ରାନ୍ତ ଉତ୍ତର ସହ ସମାନ। ସରକାର ସଂସଦକୁ ଭୁଲ୍ ବାଟରେ ନେଉଛନ୍ତି ବୋଲି ବେଣୁଗୋପାଳ କହିଛନ୍ତି। ଅନ୍ୟ ବିରୋଧୀ ଦଳ ନେତାମାନେ ସମାନ ଭାବେ ସରକାରଙ୍କ ଏହି ଉତ୍ତରକୁ ସମାଲୋଚନା କରିଛନ୍ତି। ଗଙ୍ଗାରେ ମୃତଦେହ ଭାସିବା ସଂକ୍ରାନ୍ତ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଗଙ୍ଗାରେ କେତେ ମୃତଦେହ ପକାଯାଇଛି ସରକାର ଏହି ତଥ୍ୟ ସଂସଦରେ ଦେବା ଉଚିତ୍।
Follow Us