Image Courtesy of Oneindia
ନୂଆଦିଲ୍ଲୀ : ଭିତ୍ତିଭୂମି ସମ୍ପ୍ରସାରଣ ପାଇଁ ସୁପ୍ରିମ୍କୋର୍ଟଙ୍କ ଦାବିକୁ ସରକାର ଗୁରୁତ୍ବର ସହ ନେଇଛନ୍ତି ଏବଂ ଇ-କୋର୍ଟ ପ୍ରକଳ୍ପ ଏବଂ ବିଚାରବିଭାଗୀୟ ଭିତ୍ତିଭୂମି ନିର୍ମାଣ ପାଇଁ ୭୦୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଛନ୍ତି। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ଏହା କହିଛନ୍ତି। ସିଜେଆଇ ଚନ୍ଦ୍ରଚୂଡ଼ କହିଲେ ଯେ ଇ-କୋର୍ଟ ଓ କୋର୍ଟ ଭିତ୍ତିଭୂମି ନିମନ୍ତେ ବଜେଟରେ ୭୦୦୦ କୋଟି ଟଙ୍କା ଆବଣ୍ଟନ ପାଇଁ ସରକାରଙ୍କ ପାଖରେ ଦାବି କରାଯାଇଥିଲା।
ସରକାର ବଜେଟ୍ରେ ସେତିକି ଟଙ୍କା ମଞ୍ଜୁର କରିଛନ୍ତି ଏବଂ ଟଙ୍କାଟିଏ ବି କାଟିନାହାନ୍ତି। ହଜାର ହଜାର ଓକିଲଙ୍କ ଚାମ୍ବର ନିର୍ମାଣ ପାଇଁ ସୁପ୍ରିମ୍କୋର୍ଟ ନିକଟରେ ଜମି ଅଧିଗ୍ରହଣ ଲାଗି ସୁପ୍ରିମ୍କୋର୍ଟ ବାର୍ ଆସୋସିଏସନ (ଏସ୍ସିବିଏ) ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି ସମୟରେ ସିଜେଆଇ ଏହି ସୂଚନା ଦେଇଥିଲେ। ଏସ୍ସିବିଏ ସଭାପତି ବିକାଶ ସିଂହ ଅଭିଯୋଗ କରିଥିଲେ ଯେ, ଦଶନ୍ଧି ଦଶନ୍ଧି ଧରି ଓକିଲମାନେ ଚାମ୍ବରଟିଏ ପାଇଁ ଅନାଇ ବସିଛନ୍ତି। ଓକିଲମାନେ ହେଉଛନ୍ତି ବିଚାର ବିଭାଗର ଅଂଶ ବିଶେଷ। ତେଣୁ ସେମାନଙ୍କ ସୁବିଧା ଲାଗି ଦୃଷ୍ଟି ଦିଆଯିବା ଉଚିତ।
Follow Us