Image Courtesy of India Today
ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ଭିତରେ ଦେଶବ୍ୟାପୀ ପ୍ରବାସୀ ଶ୍ରମିକଙ୍କ ସଙ୍କଟ ବଢ଼ୁଛି। ବିଭିନ୍ନ ରାଜ୍ୟରେ ପ୍ରବାସୀ ଶ୍ରମିକମାନେ ଘୋର ହନ୍ତସନ୍ତ ହେଉଥିବା ବେଳେ ସେମାନଙ୍କୁ ସହାୟତା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେଭଳି ଗୁରୁତ୍ବ ଦେଇ ପଦକ୍ଷେପ ନେବା କଥା ତାହା କରିନାହାନ୍ତି ବୋଲି ଆଜି ଏ ବାବଦ ଶୁଣାଣି ବେଳେ ସୁପ୍ରିମ୍ କୋର୍ଟ କହିଛନ୍ତି। ପୂର୍ବରୁ କୋର୍ଟ ଏ ବାବଦରେ ଯେଉଁ ସବୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ସେ ବାବଦରେ ମଧ୍ୟ କେନ୍ଦ୍ର କିମ୍ବା ରାଜ୍ୟ ସରକାରମାନେ ଜବାବ ଦାଖଲ କରିନାହାନ୍ତି ବୋଲି ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଏମ୍ ଆର୍ ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।
ପ୍ରବାସୀ ଶ୍ରମିକଙ୍କ ସ୍ଥିତି ଏବଂ ସେମାନଙ୍କୁ ମହମାରୀ ସମୟରେ ସରକାର ସହାୟତା ପାଇଁ କିଭଳି ପଦକ୍ଷେପ ନେଇଛନ୍ତି ସେ ବାବଦରେ ସପ୍ତାହକ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ କହିଛନ୍ତି। ଦିଲ୍ଲୀରେ ଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ତତ୍କାଳ ରାସନ ଯୋଗାଣ ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରମିକମାନଙ୍କୁ ଯଥାଶୀଘ୍ର ରାସନ ଯୋଗାଣ ସହ ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା ଏବଂ ପରିବହନ ସୁବିଧା ଯୋଗାଇ ଦେବାକୁ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ହରିୟାଣା ସରକାରକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ‘ଆତ୍ମ ନିର୍ଭର ଭାରତ’ ଯୋଜନାରେ ଶ୍ରମିକମାନଙ୍କୁ ଶୁଖିଲା ରାସନ ଦିଆଯିବାକୁ କୁହାଯାଇଛି। ଯେଉଁମାନଙ୍କ ପାଖରେ ପରିଚୟପତ୍ର ନାହିଁ ସେହି ଶ୍ରମିକମାନଙ୍କୁ ପରିଚୟପତ୍ର ଦେଖାଇବାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Follow Us