First India
ଅହମଦାବାଦ: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ସଂକ୍ଷେପରେ ସର୍ଦ୍ଦାର କୁହାଯାଏ। ତାଙ୍କ ନାମ ‘ସର୍ଦ୍ଦାର’କୁ ନିଜ ବାଣିଜ୍ୟିକ ଉତ୍ପାଦରେ ଟ୍ରେଡ୍ମାର୍କ ରୂପେ ବ୍ୟବହାର ପାଇଁ ଗୁଜରାଟ ସରକାର ଏବଂ ଜଣେ ଶିଳ୍ପପତିଙ୍କ ମଧ୍ୟରେ ଲଢ଼େଇ ଚାଲିଥିଲା। ଶେଷରେ ଗୁଜରାଟ ସରକାର ଏଥିରେ ବିଜୟୀ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ଗୁଜରାଟ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଜରାଟ ରାଜ୍ୟ ସାର ଓ ରାସାୟନିକ ଲିମିଟେଡ୍ (ଜିଏସ୍ଏଫ୍ସି) ଗତବର୍ଷ ଜାଣିବାକୁ ପାଇଲା ଯେ, ଦଶରଥ ପଟେଲ ନାମକ ଜଣେ ଶିଳ୍ପପତି ଟ୍ରେଡ୍ମାର୍କ ଆଇନ ଉଳ୍ଲଂଘନ କରି ତାଙ୍କର ଏକ ସାର ଉତ୍ପାଦକୁ ‘ସର୍ଦ୍ଦାର ସେଭେନ୍ ଷ୍ଟାର୍’ ନାମରେ ନାମିତ କରିଛନ୍ତି। ଏହାପରେ ଜିଏସ୍ଏଫ୍ସି ପକ୍ଷରୁ ମିର୍ଜାପୁରସ୍ଥିତ ଅହମଦାବାଦ ଗ୍ରାମାଞ୍ଚଳ କୋର୍ଟରେ ସେପ୍ଟେମ୍ବର ୨୦୨୦ରେ ଏକ କେସ୍ କରାଯାଇଥିଲା। ସରକାର ଦାବି କରିଥିଲେ ସେ ‘ସର୍ଦ୍ଦାର’ ନାମକୁ ସେମାନେ ୧୯୬୭ ମସିହାରୁ ଏକ ସାର ଉତ୍ପାଦ ପାଇଁ ଟ୍ରେଡ୍ମାର୍କ ଭାବେ ବ୍ୟବହାର କରିଆସୁଛନ୍ତି। ତେଣୁ ଆଉ କେହି ସେ ନାମକୁ ବ୍ୟବହାର କରିବା ବେଆଇନ। ଏହାଦ୍ବାରା ରାଷ୍ଟ୍ରାୟତ୍ତ ସଂସ୍ଥାର ଏକ କୋଟି ଟଙ୍କାର କ୍ଷତି ହୋଇଛି କହି ଏହି ଟଙ୍କା ବାର୍ଷିକ ୧୨% ସୁଧହାରରେ ପଇଠ କରିବାକୁ ଦାବି କରାଯାଇଥିଲା।
ସମ୍ପୃକ୍ତ କମ୍ପାନି ଇଣ୍ଡିଆନ ଆର୍ଗୋ ଜିଏସ୍ଏଫ୍ସିର ଦାବି ମାନିନେଇ ସର୍ଦ୍ଦାର ନାମକୁ ବଦଳାଇ ‘ସରକାର ସେଭେନ ଷ୍ଟାର’ କରିଥିଲା। ତେବେ ଏ ସରକାର ନାମ ବି ଗଣ୍ଡଗୋଳ ସୃଷ୍ଟି କରିପାରେ ଅନୁଭବ କରି ତାକୁ ବି ପରିବର୍ତ୍ତନ କରିଥିଲା। ଗତମାସରେ କମ୍ପାନି ପକ୍ଷରୁ କୋର୍ଟରେ ସୂଚନା ଦିଆଯାଇଛି ଯେ କମ୍ପାନି ଉଭୟ ସର୍ଦ୍ଦାର ଓ ସରକାର ନାମକୁ ଆଉ ବ୍ୟବହାର କରୁନି। ଭବିଷ୍ୟତରେ ଏପରି କୌଣସି ବିବାଦୀୟ ନାମ ବା ଅନ୍ୟ ଦ୍ବାରା ପୂର୍ବରୁ ପଞ୍ଜୀକୃତ ନାମ ବ୍ୟବହାର କରିବନି। ତେଣୁ କମ୍ପାନିକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ କୁହା ନ ଯାଉ। କୋର୍ଟ ଏହି ଅନୁରୋଧକୁ ମାନିନେଇଥିଲେ ଏବଂ ଉଭୟ ପକ୍ଷର ସମ୍ମତିରେ ବିବାଦର ସମାଧାନ କରିଥିଲେ।
Follow Us