ଡେରାଡୁନ: ଯାନ୍ତ୍ରିକ ତ୍ରୁଟି ଯୋଗୁ ଏୟାରଲିଫ୍ଟ ହେଉଥିବା ଏକ ହେଲିକପ୍ଟରକୁ ଆଜି ରୁଦ୍ରପ୍ରୟାଗରେ ଖସାଇ ଦିଆଯାଇଛି। ଅଚଳ ହେଲିକପ୍ଟରକୁ ମରାମତି ପାଇଁ ନିଆଯିବା ବେଳେ ପ୍ରତିକୂଳ ପାଗ ଯୋଗୁଁ ଜଟିଳ ସ୍ଥିତି ସୃଷ୍ଟି ହେବାରୁ ଏହାକୁ ରୁଦ୍ରପ୍ରୟାଗରେ ଏକ ନଦୀରେ ଖସାଇ ଦିଆଯାଇଛି। ବାୟୁସେନାର ଏମ୍ଆଇ-୧୭ ହେଲିକପ୍ଟରରୁ ଝୁଲାଇ ଏହି ଅଚଳ ହେଲିକପ୍ଟରକୁ ଉତ୍ତରାଖଣ୍ଡର ଚମୋଲିସ୍ଥିତ ଗୌଚରକୁ ନିଆଯାଉଥିବା ବେଳେ ଶନିବାର ସକାଳେ ବାୟୁସେନା ହେଲିକପ୍ଟର ଭାରସାମ୍ୟ ହରାଇଥିଲା। ରୁଦ୍ରପ୍ରୟାଗ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ରାହୁଲ ଚୌବେ କହିଛନ୍ତି ଯେ ହେଲିକପ୍ଟରଟି ବାୟୁସେନାର ଏମ୍ଆଇ-୧୭ ଦ୍ୱାରା ମରାମତି ପାଇଁ ଗୌଚର ଏୟାରଷ୍ଟ୍ରିପ୍କୁ ଏୟାରଲିଫ୍ଟ କରାଯାଉଥିବା ବେଳେ ଥାରୁ କ୍ୟାମ୍ପ ନିକଟରେ ଏହା ଭୀଷଣ ଦୋହଲିଥିଲା।
ବାୟୁସେନାର ଏମ୍ଆଇ-୧୭ ହେଲିକପ୍ଟରରୁ ଝୁଲାଇ ଏହାକୁ ସକାଳ ପ୍ରାୟ ୭ଟାରେ ନିଆଯାଉଥିଲା। କିଛି ଦୂର ଅତିକ୍ରମ କରିବା ପରେ କ୍ଷତିଗ୍ରସ୍ତ ହେଲିକପ୍ଟରର ଓଜନ ଓ ପବନ ଯୋଗୁଁ ଏମ୍ଆଇ-୧୭ ଅନିୟନ୍ତ୍ରିତ ହୋଇପଡ଼ିଥିଲା। ଫଳରେ ଥାରୁ କ୍ୟାମ୍ପ ନିକଟରେ ପହଞ୍ଚିବା ମାତ୍ରେ ଏମ୍ଆଇ-୧୭ରୁ ଖରାପ ହେଲିକପ୍ଟରକୁ ଖସାଇବାକୁ ପଡ଼ିଥିଲା। ତେବେ ସେଥିରେ କୌଣସି ଯାତ୍ରୀ କିମ୍ବା ଲଗେଜ୍ ନ ଥିଲା ବୋଲି ଚୌବେ କହିଛନ୍ତି। ଗତ ୨୪ ତାରିଖରେ କେଦାରନାଥ ମନ୍ଦିରର ହେଲିପ୍ୟାଡ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକପ୍ଟରଟି ୬ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଜରୁରୀ ଅବତରଣ କରିଥିଲା।
Follow Us