ସଂକ୍ରମଣ ୯୪ ଲକ୍ଷ ଟପିଲା, ୪ରେ ସର୍ବଦଳୀୟ ବୈଠକ

Advertisment
ସଂକ୍ରମଣ ୯୪ ଲକ୍ଷ ଟପିଲା, ୪ରେ ସର୍ବଦଳୀୟ ବୈଠକ

Image Courtesy of India Today

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ୯୪ ଲକ୍ଷ ଟପିଯାଇଛି। ଗତ ୨୪ ଘଣ୍ଟା‌ରେ ୩୮ ହଜାର ୭୭୨ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୪୪୩ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୯୪ ଲକ୍ଷ ୩୧ ହଜାର ୬୯୧ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୭ ହଜାର ୧୩୯କୁ ବୃଦ୍ଧି ପାଇଛି। ଚଳିତ ମାସରେ ସପ୍ତମ ଥର ପାଇଁ ସକ୍ରିୟ ମାମଲା ୪୦ ହଜାରରୁ କମ୍‌ ରହିଛି। ଅନ୍ୟପକ୍ଷେ ଆରୋଗ୍ୟଙ୍କ ସଂଖ୍ୟା ୮୮ ଲକ୍ଷ ୪୭ ହଜାର ୬୦୦ ପହଞ୍ଚିଛି।

ଫଳରେ ଆରୋଗ୍ୟ ହାର ୯୩.୮୧ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ଲଗାତାର ୨୦ ଦିନ ଧରି ୫ ଲକ୍ଷରୁ କମ୍‌ ରହୁଛି। ଏବେ ୪ ଲକ୍ଷ ୪୬ ହଜାର ୯୫୨ ସକ୍ରିୟ ମାମଲା ରହିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୪.୭୪ ପ୍ରତିଶତ। ଅନ୍ୟପକ୍ଷେ ମହାରା‌ଷ୍ଟ୍ରରେ ସକ୍ରିୟ ମାମଲା ବଢ଼ିବାରେ ଲାଗିଛି। ରବିବାର ମହାରାଷ୍ଟ୍ରରେ କରୋନା ସକ୍ରିୟ ମାମଲା ୯୦ ହଜାର ଟପିଯାଇଛି। ଚଳିତ ମାସ ଆରମ୍ଭରେ ମହାରାଷ୍ଟ୍ରରେ ସକ୍ରିୟ ମାମଲା ୭୮ ହଜାରକୁ ଖସି ଯାଇଥିଲା। ପୁନେରେ ୧୯,୬୫୮ ସକ୍ରିୟ ମାମଲା ଥିବାବେଳେ ଥାନେ ଏବଂ ମୁମ୍ବାଇରେ ଯଥାକ୍ରମେ ୧୬୩୩୮ ଏବଂ ୧୫୬୧୦ ସକ୍ରିୟ ମାମଲା ରହିଛି।

ନୂଆଦିଲ୍ଲୀ: କରୋନା ସ୍ଥିତି ସଂକ୍ରାନ୍ତରେ ଆଲୋଚନା ପାଇଁ ଆସନ୍ତା ଡିସେମ୍ବର ୪ ତାରିଖରେ ସରକାର ସର୍ବଦଳୀୟ ‌ବୈଠକ ଡାକିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିବେ। ସଂସଦର ସବୁ ଦଳର ନେତା ଏହି ବୈଠକରେ ଯୋଗ ଦେବେ। ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ଉକ୍ତ ବୈଠକର ସଂଯୋଜନା କରୁଛି ଏବଂ ସମସ୍ତ ଦଳର ନେତାଙ୍କୁ ଆମନ୍ତ୍ରିତ କରାଯାଇଛି। ମହାମାରୀ ପରେ ସରକାର ଦ୍ବିତୀୟ ଥର ପାଇଁ ଉକ୍ତ ସର୍ବଦଳୀୟ ବୈଠକ ଡାକିଛନ୍ତି। ପ୍ରଥମ ସର୍ବଦଳୀୟ ବୈଠକ ଏପ୍ରିଲ୍‌ ୨୦ରେ ହୋଇଥିଲା। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହ, ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଯୋଗ ଦେଇପାରନ୍ତି। ସଂସଦର ଶୀତ ଅଧିବେଶନ ଏବଂ ବଜେଟ୍‌ ଅଧିବେଶନ ଏକସ‌ଙ୍ଗେ କରିବାପାଇଁ ବିଚାରବିମର୍ଶ ହେଉଥିବାବେଳେ ଏଭଳି ସମୟରେ ସର୍ବଦଳୀୟ ବୈଠକ ହେଉଥିବାରୁ ଏହାକୁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଏହି ବୈଠକ ପରେ ସରକାର କିଛି ଘୋଷଣା ମଧ୍ୟ କରିପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe