The Guardian
କିବ୍: ରୁଷ୍-ୟୁକ୍ରେନ୍ ଯୁଦ୍ଧ ୭୧ ଦିନରେ ପହଞ୍ଚିଥିବା ବେଳେ ଆକ୍ରମଣର ତୀବ୍ରତାକୁ ରୁଷ୍ ଅଚାନକ ବଢ଼ାଇ ଦେଇଛି। ପୂର୍ବ ୟୁକ୍ରେନ୍ରେ ରୁଷ୍ ୬ଟି ରେଳ ଷ୍ଟେସନ୍ ଅଚଳ କରିଦେଇଛି। ପାଶ୍ଚାତ୍ୟ ରାଷ୍ଟ୍ରମାନେ ୟୁକ୍ରେନ୍କୁ ଯେଗାଇଥିବା ଅସ୍ତ୍ର ବିଭିନ୍ନ ଅଞ୍ଚଳକୁ ପଠାଇବା ପାଇଁ ଏହିସବୁ ରେଳ ଷ୍ଟେସନ୍ ବ୍ୟବହାର ହେଉଥିବାରୁ ରୁଷ୍ ଏହାକୁ ଏବେ ଛାରଖାର କରିଦେଇଛି। ରୁଷ୍ ଅତ୍ୟାଧୁନିକ ଅସ୍ତ୍ର ବ୍ୟବହାର କରି ରେଳ ଷ୍ଟେସନ୍ଗୁଡ଼ିକୁ ଟାର୍ଗେଟ୍ କରିଥିବା ଜଣାପଡ଼ିଛି । ରୁଷ୍ ଗତକାଲି ୟୁକ୍ରେନ୍ର ୪୦ଟି ସାମରିକ ପ୍ରତିଷ୍ଠାନ ଧ୍ବଂସ କରିଛି। ଅନ୍ୟପକ୍ଷେ ମାରିୟୁପୋଲ୍ରେ ରୁଷ୍ ଜୋରଦାର ଆକ୍ରମଣ ଜାରି ରଖିଛି। ମାରିୟୁପୋଲ୍ ମେୟର ଭାଦିମ ବୋଇଚେଙ୍କୋ କହିଛନ୍ତି, ଆଜବଷ୍ଟଲ୍ ପ୍ଲାଣ୍ଟ୍ରେ ଆଜି ପୁଣିଥରେ ଆକ୍ରମଣ ହୋଇଛି। ଷ୍ଟିଲ୍ ପ୍ଲାଣ୍ଟ୍ରେ ଶତାଧିକ ନାଗରିକ ଫସି ରହିଥିବା ବେଳେ ରୁଷ୍ ବୋମା ମାଡ଼ ଆରମ୍ଭ କରିବାରୁ ସ୍ଥିତି ଅତି ସାଂଘାତିକ ରହିଛି। ଆକ୍ରମଣ ଯୋଗୁଁ ଆଜବଷ୍ଟଲ୍ ଷ୍ଟିଲ ପ୍ଲାଣ୍ଟ୍ରେ ୟୁକ୍ରେନ୍ ସୈନିକଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
କିନ୍ତୁ ରୁଷ୍ ଏହାକୁ ଖଣ୍ଡନ କରିଛି। କ୍ରେମଲିନ ମୁଖପାତ୍ର କହିଛନ୍ତି, ରୁଷ୍ ଆଜବଷ୍ଟଲ୍ରେ ଆକ୍ରମଣ କରିନାହିଁ। ଆକ୍ରମଣ ବନ୍ଦ କରିବାପାଇଁ ସର୍ବୋଚ୍ଚ କମାଣ୍ଡର ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହି ନିର୍ଦ୍ଦେଶ ବଳବତ୍ତର ରହିଛି ବୋଲି ସେ କହିଛନ୍ତି। ତେବେ ଓଡ଼େଶା, ଲଭିବ୍ ସମେତ ଖେରସନ୍ ଅଂଚଳରେ ରୁଷ୍ ଆକ୍ରମଣର ତୀବ୍ରତା ଅଚାନକ ବଢ଼ାଇ ଧ୍ବଂସଲୀଳା ଘଟାଇଚାଲିଥିବାରୁ ଖୁବ୍ଶୀଘ୍ର ଏହି ଅଂଚଳ ମାରିୟୁପୋଲ୍ ଦଶା ଭୋଗିବ ବୋଲି ଆଶଙ୍କା କରାଯାଉଛି। ପୂର୍ବ ୟୁକ୍ରେନ୍ରେ ରୁଷ୍ ସେନାର ସ୍ଥିତି ସୁଦୃଢ଼ ହୋଇଛି। ରୁଷ୍ର ବୋମାମାଡ଼ ଯୋଗୁଁ ଡୋନେସ୍କରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୭ ଜଣ ଆହତ ହୋଇଛନ୍ତି। ମାର୍ଚ୍ଚ ୧୬ ତାରିଖରେ ମାରିୟୁପୋଲ୍ ଥିଏଟରରେ ହୋଇଥିବା ବୋମା ମାଡ଼ ଘଟଣାରେ ମୃତ୍ୟୁ ସଂଖ୍ୟା ୬୦୦ରେ ପହଞ୍ଚିଥିବା ୟୁକ୍ରେନ୍ କର୍ତ୍ତୃପକ୍ଷ କହିଛନ୍ତି।
Follow Us