ଜାତୀୟ ସ୍ତରରେ ନୂଆଁଖାଇର ପରିଚିତି ଓ ଶ୍ରୀବଲ୍ଲଭ

Advertisment

ତାଳଚେର: ୧୮ କାଉନ୍‌ସିଲର୍‌ ସହ କାର୍ଯ୍ୟକ୍ରମରେ ଯୋଗଦେଲେନି, ଢେଙ୍କାନାଳ: ‘ମୋତେ ରବରଷ୍ଟାମ୍ପ୍‌ କରି ରଖିବାକୁ ମସୁଧା ଚାଲିଛି’

ତାଳଚେର: ୧୮ କାଉନ୍‌ସିଲର୍‌ ସହ କାର୍ଯ୍ୟକ୍ରମରେ ଯୋଗଦେଲେନି, ଢେଙ୍କାନାଳ: ‘ମୋତେ ରବରଷ୍ଟାମ୍ପ୍‌ କରି ରଖିବାକୁ ମସୁଧା ଚାଲିଛି’

ଜାତୀୟ ସ୍ତରରେ ନୂଆଁଖାଇର ପରିଚିତି ଓ ଶ୍ରୀବଲ୍ଲଭ

OpIndia

ଦୁବାଇ: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇକୁ ଜାତୀୟସ୍ତରରେ ପରିଚିତି କରାଇବା ଲାଗି ଶ୍ରୀବଲ୍ଲଭ ପାଣିଗ୍ରାହୀ ତାଙ୍କ ଜୀବଦ୍ଦଶାରେ ବିଭିନ୍ନ ପଦକ୍ଷେପ ନେଇଥିଲେ। ତାଙ୍କ ପୂର୍ବରୁ ଜାତୀୟ ସ୍ତରରେ ନୂଆଁଖାଇ ଭଳି ପର୍ବ ସଂକ୍ରାନ୍ତରେ ଦେଶ ଅପରିଚିତ ଥିଲା। ତାଙ୍କ ଉଦ୍ୟମକ୍ରମେ ତତ୍‌କାଳୀନ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜ୍ଞାପନ କରିଥିଲେ ବୋଲି ଦୁବାଇରେ ରହୁଥିବା ତାଙ୍କ ପୁତ୍ର ତଥା ବରିଷ୍ଠ ପ୍ରବାସୀ ପ୍ରିୟଦର୍ଶୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।
ପୁରୁଣା ନଥିପତ୍ରରୁ ଏ ସଂକ୍ରାନ୍ତ ବିଭିନ୍ନ ଚିଠିପତ୍ର ଆବିଷ୍କାର କରି ପ୍ରିୟଦର୍ଶୀ କହିଛନ୍ତି ଯେ ଆଜିଠୁ ୨୮ ବର୍ଷ ତଳେ ୧୯୯୪ ମସିହାରେ ପୂର୍ବତନ ମନ୍ତ୍ରୀ ଓ ଲୋକସଭା ସଦସ୍ୟ ସ୍ୱର୍ଗତଃ ପାଣିଗ୍ରାହୀ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା, ଉପରାଷ୍ଟ୍ରପତି କେ. ଆର. ନାରାୟଣନ ଓ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କୁ ଚିଠି ଲେଖି କୃଷିଭିତ୍ତିକ ପ୍ରଥମ ଅନ୍ନର ପର୍ବ ନୂଆଁଖାଇର ଗୁରୁତ୍ୱ ଦର୍ଶାଇଥିଲେ। ଏହି ଅବସରରେ ଓଡ଼ିଶା ଓ ବିଶେଷତଃ ପଶ୍ଚିମ ଓଡ଼ିଶାରେ ପରିବାରର ବାର୍ଷିକ ମିଳନ ହେବା ସାଙ୍ଗକୁ ପରିବାର ଲୋକେ ନିର୍ଦ୍ଦିଷ୍ଟ ଲଗ୍ନରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ତଥା ପରିବାରର ଅଧିଷ୍ଠାତ୍ରୀ ଦେବୀମାନଙ୍କୁ ସର୍ବପ୍ରଥମେ ଭୋଗ ଲଗାଇ ନବାନ୍ନ ଭକ୍ଷଣ କରିଥାନ୍ତି। ଏଥିସହିତ ବିଭିନ୍ନ ମନ୍ଦିର ଦର୍ଶନ, ବନ୍ଧୁବାନ୍ଧବମାନଙ୍କ ସହ ପାରସ୍ପରିକ ନୂଆଁଖାଇ ଜୁହାରଭେଟ ହୋଇଥାନ୍ତି। ଏ ଅବସରରେ ବିଭିନ୍ନ ଦେଶୀୟ କ୍ରୀଡ଼ା ସମେତ ଭଜନ, କୀର୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ଏହି ପର୍ବ ପାରିବାରିକ, ସାମାଜିକ, ସାଂପ୍ରଦାୟିକ ସଂହତି, ପ୍ରୀତି, ମୈତ୍ରୀ, ଐକ୍ୟ, ବନ୍ଧୁତ୍ୱ, ସଦ୍‌ଭାବ ବୃଦ୍ଧିରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାଏ। ଦାକ୍ଷିଣାତ୍ୟର ଫସଲ ଅମଳ ପର୍ବ ଓନାମ୍‌, ପୋଙ୍ଗଲ, ଉତ୍ତର-ପୂର୍ବାଞ୍ଚଳର ବିହୁ ପର୍ବ ସହ ଏହି ପର୍ବର ସାମଞ୍ଜସ୍ୟ ରହିଥିବାର ସେ ଦର୍ଶାଇଥିଲେ।

ତାଙ୍କର ଚିଠି ପାଇ ରାଷ୍ଟ୍ରପତିଙ୍କ ତତ୍କାଳୀନ ପ୍ରେସ ସଚିବ ଓ ଏବେ ମୋଦି ସରକାରଙ୍କ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ମାଧ୍ୟମରେ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା ଶ୍ରୀବଲ୍ଲଭଙ୍କ ଜରିଆରେ ବର୍ଷର ପ୍ରଥମ ଶସ୍ୟର ପର୍ବ ଉତ୍ପାଦନ ଓ ସମୃଦ୍ଧି ଆଣୁ ବୋଲି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିପରି ପରେ ରାଷ୍ଟପ୍ରତି ପଦ ମଣ୍ଡନ କରିଥିବା ଉପରାଷ୍ଟ୍ରପତି କେ. ଆର୍‌ ନାରାୟଣନ ଓଡ଼ିଶାବାସୀଙ୍କୁ ନବାନ୍ନର ଆନ୍ତରିକ ଶୁଭେଚ୍ଛା ଜଣାଇଥିଲାବେଳେ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଓଡ଼ିଶାବାସୀ ଓ ସମଗ୍ର ଦେଶବାସୀଙ୍କ ଲାଗି ଏହି ପର୍ବ ବୃହତ୍ତର ସମୃଦ୍ଧି ଆଣୁ ବୋଲି ଟେଲିଗ୍ରାମରେ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀବଲ୍ଲଭଙ୍କ ଘନିଷ୍ଠ ବନ୍ଧୁ, ସହଯୋଗୀ, ପୂର୍ବତନ ମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସର ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ ଶ୍ରୀବଲ୍ଲଭ ଆଞ୍ଚଳିକତାବାଦରୁ ଊର୍ଦ୍ଧ୍ୱରେ ରହି ଓଡ଼ିଶାର କଳା, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସବୁବେଳେ ଆନ୍ତରିକ ଉଦ୍ୟମ଼ କରିଥିଲେ। ସମ୍ବଲପୁରୀ ଭାଷା, ସଂସ୍କୃତି, ନୃତ୍ୟ ଓ ସମ୍ବଲପୁରୀ ବସ୍ତ୍ରର ବିକାଶ ଓ ପ୍ରସାର ନିମନ୍ତେ ନିରନ୍ତର ପ୍ରଚେଷ୍ଟା ଜାରି ରଖିଥିଲେ। ଓଡ଼ିଶାର ସାମଗ୍ରିକ ବିକାଶ ଓ ସମ୍ବଲପୁର ଅଂଚଳର ଐତିହ୍ୟର ପ୍ରତିଷ୍ଠା ପାଇଁ ସେ ଥିଲେ ଜଣେ ବିରଳ ସଂଗ୍ରାମୀ ବୋଲି ସେ କହିଛନ୍ତି। ସଂସଦ ପରିସରରେ ସୁରେନ୍ଦ୍ର ସାଏଙ୍କ ମୂର୍ତ୍ତି ପ୍ରତିଷ୍ଠା ଓ ସମ୍ବଲପୁରୀ ଭାଷାର ମାନ୍ୟତା ପାଇଁ ସେ ଲୋକସଭାରେ ଆପ୍ରାଣ ଉଦ୍ୟମ କରିଥିଲେ।

ଶ୍ରୀ ବଲ୍ଲଭଙ୍କ ସାନ ଭାଇ ତଥା ବରିଷ୍ଠ ସାମ୍ବାଦିକ ସୁଭାଷ ପାଣିଗ୍ରାହୀ କହିଛନ୍ତି ଯେ ଶ୍ରୀବଲ୍ଲଭ ବାବୁ ସବୁବେଳେ ନିଜ ମାଟିର ଚେରକୁ ନେଇ ଗର୍ବିତ ହେବା ସହ ଆମ ସଂସ୍କୃତିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ କରାଇବା ଦିଗରେ ସବୁବେଳେ ଚେଷ୍ଟିତ ରହି ଆସିଥିଲେ। ଟ୍ୱିଟର୍‌, ଫେସବୁକ୍ ଓ ହ୍ୱାଟସ୍‌ଆପର ବହୁ ପୂର୍ବରୁ ସେ ନୂଆଁଖାଇ ପର୍ବର ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ମହତ୍ତ୍ବ ପ୍ରତିପାଦନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ସେ ଲୋକସଭା ସଦସ୍ୟ ଥିଲାବେଳେ ନୂଆଦିଲ୍ଲୀରେ ପ୍ରଧାନମନ୍ତୀ ରାଜୀବ ଗାନ୍ଧୀଙ୍କ ସମକ୍ଷରେ ସମ୍ବଲପୁରୀ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ରାଜଧାନୀରେ ନୂଆଁଖାଇ ଭେଟଘାଟର ପରମ୍ପରା ଆରମ୍ଭ କରାଇଥିଲେ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe